ଭଦ୍ରକ ଦଙ୍ଗା: ମଙ୍ଗଳବାର ସକାଳ ୭ଟା ଯାଏ ବଳବତ୍ତର ରହିବ କର୍ଫୁ୍ୟ

◊ ତଦନ୍ତ କରିବ ସାଇବର ସେଲ
ଭଦ୍ରକ: ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟିଂକୁ ନେଇ ଗତ ୫ ଦିନ ହେଲା ଭଦ୍ରକ ସହରରେ ନିଆଁ ଜଳୁଛି । ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି । ଗତକାଲି ଠାରୁ ପରିସ୍ଥିତିରେ ସାମାନ୍ୟ ଉନ୍ନତି  ଆସିଥିବା ବେଳେ ପ୍ରଶାସନ ଆଜି ସକାଳୁ ଦିନ ୧୨ଟା ଯାଏ କର୍ଫୁ୍ୟ କୋହଳ କରିଥିଲା । ପରେ ଏହାକୁ ପୁଣି ଦିନ ୨ଟା ଯାଏ ବଢ଼ାଇ ଦିଆଯାଇଥିଲା । ତେବେ ଅପରାହ୍ଣ ୨ଟାରୁ ପୁଣି ସହରରେ କର୍ଫୁ୍ୟ ଜାରି କରାଯାଇଛି । ଏହା ମଙ୍ଗଳବାର ସକାଳ ୭ଟା ଯାଏ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
  ଲଗାତର ୫-୬ ଦିନ ହେବ ଭଦ୍ରକରେ ଲାଗି ରହିଥିବା ଗୋଷ୍ଟୀ କନ୍ଦଳକୁ ଅନୁସନ୍ଧାନ କରିବା ପାଇଁ ସୋମବାର କ୍ରାଇମ୍ ବ୍ରାଞ୍ଚର ସାଇବର ସେଲ ଟିମ୍ ଯାଇ  ଭଦ୍ରକରେ ପହଞ୍ଚିଛନ୍ତି  । କ୍ରାଇମ ବ୍ରାଞ୍ଚର ଏକ ୭ ଜଣିଆ ଦଳ ସେଠାରେ ପହଞ୍ଚି ଘଟଣାର ତନାଘନା ଆରମ୍ଭ କରିଛନ୍ତି  । ସୋସିଆଲ ମିଡିଆରେ କିଏ ଓ କାହିଁକି ଏପରି ବିବାଦୀୟ ପୋଷ୍ଟ ଦେଇଛି ଏନେଇ ଦଳ ତଦନ୍ତ ଆରମ୍ଭ କରିଛି । ଗତକାଲି ଜରୁରୀ ତଥ୍ୟ ସବୁ ସେୟାର କରିବାକୁ ଟ୍ୱିଟର ଜରିଆରେ ନିବେଦନ କରିଥିଲେ କ୍ରାଇମ୍ ବ୍ରାଞ୍ଚ ସ୍ପେଶାଲ ଡିଜି ବିକେ ଶର୍ମା । ରବିବାର ସନ୍ଧ୍ୟାଠାରୁ ୪୮ ଘଣ୍ଟା ପାଇଁ ସମଗ୍ର ଭଦ୍ରକରେ ଫେସବୁକ୍, ଟ୍ୱିଟର ଓ ହ୍ୱାଟ୍ସଆପ ପରି ସୋସିଆଲ ମିଡିଆକୁ ବନ୍ଦ କରି ଦିଆଯାଇଛି ।