You are here
Home > ପଲିଟିକ୍ସ > ବିଜୟ ନିରବ କାହିଁକି?

ବିଜୟ ନିରବ କାହିଁକି?

ଭୁନନେଶ୍ୱର: ବିଜେଡିରୁ ଡାକ୍ତର ଦାମୋଦର ରାଉତ ବହିଷ୍କୃତ ହେବା ପରେ ରାଜ୍ୟ ରାଜନୀତିରେ ଏକ ନୂଆ ରାଜନୀତିକ ସମୀକରଣ ହେବାକୁ ଯାଉଥିବା ନେଇ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି । ହେଲେ ଏହି ସମୀକରଣର ମୁଖ୍ୟ ନାୟକ ଭାବେ ପରିଗଣିତ କରାଯାଉଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଦୀର୍ଘ ନିରବତା ସମସ୍ତଙ୍କୁ ଏବେ ସନ୍ଦେହରେ ପକାଇଛି । ଏତେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ବେଳେ ସେ କାହିଁକି ଚୁପ ହୋଇ ବସିଛନ୍ତି କେହି ଭାବି ପାରୁନାହାଁନ୍ତି । ଗଣମାଧ୍ୟମଠାରୁ ସେ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି । ଡାକ୍ତର ରାଉତଙ୍କ ବହିଷ୍କାର କିମ୍ବା ନୂଆ ରାଜନୀତିକ ସମୀକରଣ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଏଯାଏଁ ଗଣମାଧ୍ୟମରେ ରଖିନାହାଁନ୍ତି ।  ଏପରିକି ଡାକ୍ତର ରାଉତଙ୍କୁ ସମବେଦନା ଜଣାଇବା ପାଇଁ  ତାଙ୍କ ପାଖକୁ ଯାଇ ନାହାଁନ୍ତି । ବିଜୟଙ୍କ ଏପରି ମନୋଭାବ ଓ ଆଭିମୁଖ୍ୟ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ରାଜ୍ୟରେ ଯେତେବେଳେ କିଛି ରାଜନୀତିକ ପରିବର୍ତ୍ତନ କଥା  ଆସେ ସେ ସମୟରେ ବିଜୟଙ୍କ ନାଁ ଆଗକୁ ଆସିଥାଏ । ଯେଉଁ ରାଜନୀତିକ ସମୀକରଣ କଥା ଆଲୋଚନା ହେଉଛି ସେଥିରେ ବିଜୟ ହିଁ ମୁଖ୍ୟ ନାୟକ ରହିବେ । ତାଙ୍କୁ ଛାଡ଼ି ଏପରିକଳ୍ପନା ବାସ୍ତବ ରୂପ ନେବ ନାହିଁ । ବିଜୟଙ୍କର ବିଜେପି ସହ ଏକ ପ୍ରକାର ବିଚ୍ଛେଦ ହୋଇସାରିଛି । କେବଳ ଔପଚାରିକ ଘୋଷଣା ଉଭୟଙ୍କ ପକ୍ଷରୁ ବାକି ରହିଛି । ବିଜେପି ନେତାମାନେ ଆଉ ଭାବୁନାହାଁନ୍ତି ବିଜୟ ସେମାନଙ୍କ ସହ ଅଛନ୍ତି । ସେହିପରି ବିଜୟ ମଧ୍ୟ ଭାବୁନାହାଁନ୍ତି ଯେ, ସେ ବିଜେପିରେ ଅଛନ୍ତି । ବିଜେପିର କୌଣସି କାର୍ଯ୍ୟକ୍ରମରେ ଭାଗ ନେଉନାହାନ୍ତି କି ରାଷ୍ଟ୍ରୀୟ ସଭାପତି ଆସିଲେ ସେଠାକୁ ଯାଉନାହାଁନ୍ତି । ଏପରିକି ଦଳର ଜାତୀୟ କାର୍ଯ୍ୟକାରିଣୀ ମଧ୍ୟ ସାମିଲ ହେଉନାହାଁନ୍ତି । ଅନେକ ଦିନରୁ ସେ ନିଜ ମନ ସ୍ଥିର କରିସାରିଛନ୍ତି ବିଜେପି ସହ ଆଉ ରହିବେ ନାହିଁ । ଡାକ୍ତର ରାତଉଙ୍କ ବହିଷ୍କାର ପରେ ଯେଉଁ ରାଜନୀତିକ ଚର୍ଚ୍ଚା ଚାଲିଛି ସେଥିରେ ବିିଜୟ ଆଗକୁ ଆସିବା କଥା । ହେଲେ ତାଙ୍କ ସ୍ୱର କେହି ଏ କ୍ଷେତ୍ରରେ ଶୁଣିବାକୁ ପାଉନାହାଁନ୍ତି । ଗଣମାଧ୍ୟମକୁ ସେ ଏଡ଼ାଇ ଚାଲିଛନ୍ତି । ଡାକ୍ତର ରାଉତଙ୍କ ସହ ବିଜୟଙ୍କ ସମ୍ପର୍କ ଯାହା ସେଥିରେ ସେ ଚୁପ ହୋଇ ରହିବା ଲୋକ ନୁହଁନ୍ତି । ଡାକ୍ତର ରାଉତଙ୍କ ବହିଷ୍କାର ଆଦେଶ କିମ୍ବା ସେ ଆଣିଥିବା ଦୁର୍ନୀତି ପ୍ରସଙ୍ଗ କୌଣସି ବିଷୟରେ ବିଜୟ ପ୍ରତିକ୍ରୀୟା ରଖିନାହାଁନ୍ତି । ବର୍ତ୍ତମାନ ବିଜୟଙ୍କ ପ୍ରତି ବିଜେଡିର ଆଭିମୁଖ୍ୟ ଆଉ ସେତେଟା ତିକ୍ତ ନାହିଁ । କିନ୍ତୁ ଯେତେବେଳେ ବିଜୟଙ୍କ ଛାଇ ପଡ଼ିଲେ ବିଜେଡିର ନାହି ଡେଉଁଥିଲା ସେ ସମୟରେ ଡାକ୍ତର ରାଉତ ଆଗପଛ ନ ବିଚାରି ବିଜୟଙ୍କ ସହ ଖୋଲା ସମ୍ପର୍କ ରଖୁଥିଲେ । ଯେଉଁ ସମୟରେ ବିଜେଡିର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜୟ ଘନଘନ ସାମ୍ବାଦିକ ସମ୍ମିଳନୀ କରି ନବୀନଙ୍କ ଉପରେ ବର୍ଷୁଥିଲେ ସେ ସମୟରେ ଡାକ୍ତର ରାଉତ ଏକାକି ବିଜୟଙ୍କ ସହ କଥା ହେଉଥିଲେ । ପାରାଦୀପର ଏକ ଗେଷ୍ଟ ହାଉସରେ ଉଭୟ ନେତା ଏକ କାର୍ଯ୍ୟକ୍ରମକୁ ଯାଇ ଏକାଠି ହୋଇଥିବା ଫଟୋ ପଦାକୁ ଆସିଥିଲା । ଏପରି କି ବିଜୟଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଡାକି ଡାକ୍ତର ରାଉତ ସାମିଲ କରୁଥିଲେ । ଡାକ୍ତରଙ୍କ ରାଉତଙ୍କ ଜନ୍ମ ଦିନ ପାଳନରେ ତାଙ୍କ ନିର୍ବାଚନମଣ୍ଡଳୀରେ ପହଂଚି ବିଜୟ କେକ୍ କାଟିଥିଲେ । ଏଣୁ ଉଭୟଙ୍କ ଭିତେର ବନ୍ଧୁତା ଓ ନିବିଡ଼ତା କେତେ ଗଭୀର ତାହା ଏଥିରୁ ସ୍ପଷ୍ଟ ହେଉଛି । ହେଲେ ବର୍ତ୍ତମାନ ସମୟରେ ଦାମଙ୍କର ବିଷୟରେ ବିଜୟ ପଦେବି ମୁହଁ ଖୋଲୁନାହାଁନ୍ତି ।

ଏକଦା ରାଜ୍ୟ ରାଜନୀତିରେ ଆଲୋଚନା ହେଲା ବିଜୟ ପୁଣି ବିଜଡିକୁ ବାହୁଡିବେ । ପୂର୍ବର ତିକ୍ତତାକୁ ଭୁଲି ଉଭୟ ପକ୍ଷ ଏକାଠି ହେବାକୁ ଯାଉଛନ୍ତି । ବିଜେପି ବର୍ତ୍ତମାନ ବିଜେଡିର ବିଶେଷ କରି ନବୀନଙ୍କର  ପ୍ରମୁଖ ରାଜନୀତିକ ଶତ୍ରୁ ପାଲଟିଥିବାରୁ ବିଜୟଙ୍କୁ ଆପଣାଇବା ପାଇଁ ଯୋଜନା କରାଯାଇଥିବା କୁହାଯାଉଥିଲା ।  ବିଜୟଙ୍କ କାର୍ଯ୍ୟଧାରାରେ ମଧ୍ୟ ଏହା ପ୍ରତିଫଳିତ ହେଉଥିଲା । ବିଜେପି ସହ ତାଙ୍କର ତିକ୍ତତା ବଢ଼ିବା ପରେ ବିଭିନ୍ନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ବିରୋଧରେ ଯାଇ ବିଜୟ ବିଜେଡିକୁ ସୁହାଇଲା ଭଳି ମତମାନ ରଖିଥିଲେ । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜୟ ସିଧାସଳଖ ଟାର୍ଗେଟ କରୁଥିଲେ ଓ ଖାଲରେ ପକାଇବାକୁ ଉଦ୍ୟମ କରୁଥିଲେ । ମହାନଦୀ ପ୍ରସଙ୍ଗରେ ବିଜୟ ବିଜେପିକୁ ସବୁଠାରୁ ଅଧିକ ଅଡୁଆରେ ପକାଇଥିଲେ । ଯାହା ବିଜେଡି ପାଇଁ ବେଶ ଖୋରକ ଯୋଗାଇଥିଲା । କୁହାଯାଉଛି ବିଜୟଙ୍କର ଏବେବି ବିଜେଡିକୁ ଫେରିବାର ଆଶା ରହିଛି । ବିଜୟ କିଛି ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କି ଲକ୍ଷ୍ୟ ରଖି ନ ଥିଲେ ସେ କେବେହେଲେ ଏତେଦିନ ଧରି ଯେଉଁ ରାଜନୀତିକ ଚର୍ଚ୍ଚା ଚାଲିଛି ସେଥିରେ ମୁହଁ ନ  ଖୋଲି ଚୁପ ରହିଥାନ୍ତେ । ଏକଥା ବି କୁହାଯାଉଛି  ବିଜୟ ଯେପର୍ଯ୍ୟନ୍ତ କିଛି ମତ ନ ରଖିଛନ୍ତି ସେ ପର୍ଯ୍ୟନ୍ତ ନୂଆ ରାଜନୀତିକ ସମୀକରଣ ପରିକଳ୍ପନା ଚାଲିଛି ତାହାର ଯଥାର୍ଥତା ବା ତାହାର ବାସ୍ତବତା ଉପରେ ପ୍ରଶ୍ନବାଚୀ ହୋଇ ରହିବ । ଅନେକ ଏ ସମ୍ପର୍କରେ ମତ ରଖୁଛନ୍ତି ।

ବିଜୟ ଯେଉଁ ପରିସ୍ଥିତିରେ ବିଜେଡିରୁ ଆସିଛନ୍ତି ସେଠାକୁ ପୁଣି ଫେରିଲେ ତାଙ୍କର ସମ୍ମାନ କେତେଦୂର ରହିବ ତାହା ହେଉଛି ବଡ଼ ପ୍ରଶ୍ନ । ବିଜୟଙ୍କ ଶୁଭେଚ୍ଛୁମାନଙ୍କ କହିବା କଥା  ସେ ବିଜେଡିକୁ ଫେରିବା ପ୍ରଶ୍ନ ଉଠୁନାହିଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେବେହେଲେ ବିଜୟଙ୍କୁ ଗ୍ରହଣ କରିବେନାହିଁ । ଉଭୟଙ୍କର ରାଜନୀତିକ ମତଭେଦ ରହିଥିବାରୁ ଏକାଠି ହେବା ସମ୍ଭବ ନୁହେଁ ବୋଲି କୁହାଯାଉଥିଲା ବେଳେ ରାଜନୀତିରେ କେହି କାହାଁରି ଚିର ଶତ୍ରୁ କି ମିତ୍ର ନ ଥାନ୍ତି କହି ସବୁକିଛି ସମ୍ଭବ ବୋଲି ମଧ୍ୟ କୁହାଯାଉଛି । ହେଲେ ବିଜୟ ଯେପର୍ଯ୍ୟନ୍ତ ପାର୍ଟି ନ ଖୋଲିଛନ୍ତି ସେ ପର୍ଯ୍ୟନ୍ତ ଏସବୁ ଚର୍ଚ୍ଚା ଉପରୁ ପରଦା ଉଠିବ ନାହିଁ ବୋଲି କୁହାଯାଉଛି ।

Loading...
ONA

Leave a Reply

Top