ବିଜେପିର ଚ୍ୟାଲେଞ୍ଜକୁ ବିଜେଡି ଗ୍ରହଣ କରୁଛି: ପ୍ରତାପ ଦେବ

ଭୁବନେଶ୍ୱର: ରବିବାର ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି  । ଜାତୀୟ କାର୍ଯ୍ୟକାରିଣୀ ଓଡ଼ିଶା ରାଜନୀତିରେ ଉଷ୍ମତା ଭରି ଦେଇଛି । ବିଜେପିର ଏହି ବୈଠକ ବିଜେଡି ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି ।  ବିଜେପିର ଏହି ସମ୍ମିଳନୀ ବିଜେଡି ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ସୋମବାର ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି  । ସେ କହିଛନ୍ତି, ବିଜେପିର ଏହି କାର୍ଯ୍ୟକାରିଣୀ ଓ ସେମାନଙ୍କ ଉକ୍ତିକୁ ବିଜେଡି ଚ୍ୟାଲେଞ୍ଜ ଭାବେ ନେଉଛି । ୨୦୧୯ ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ବିଜେପି ଦେଖୁଥିବା ସ୍ୱପ୍ନ ପୂରଣ ହେବ ନାହିଁ  । ୨୦୧୯ରେ ସରକାର ଗଠନ କରିବାକୁ ଆମେ ପ୍ରମୁଖ ଦାବିଦାର ବୋଲି ପ୍ରତାପ ଦେବ କହିଛନ୍ତି  । ଓଡ଼ିଶାକୁ ଏନଡିଏ ସରକାରେ ଅବହେଳା କରିଛି ଓ କେନ୍ଦ୍ର ଅନୁଦାନ ଅର୍ଥ କଟାଯାଇଛି । କାର୍ଯ୍ୟକାରିଣୀ  ନେଇ ବିଜେପି ନେତା ବହୁ ଡିଣ୍ଡିମ ପିଟିଲେ, ମାତ୍ର ଓଡ଼ିଶାର ବିକାଶ ପାଇଁ ବିଶେଷ ଯୋଜନା ନାହିଁ । ଏହା ସହ ଦୀର୍ଘମିଆଦି ଯୋଜନା କିଛି ନାହିଁ । କେବଳ ପ୍ରଚାର  ପ୍ରସାର କରି ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଉଥିବା ପ୍ରତାପ କହିଛନ୍ତି  ।