ବାବୁସାନଙ୍କ ‘ଲୋକାଲ୍ ଟୋକା’ ଚଳଚ୍ଚିତ୍ର ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ବାବୁସାନଙ୍କ ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଚଳଚ୍ଚିତ୍ରର ଶୁଟିଂ ପ୍ରାୟ ଶେଷ ପର୍ଯ୍ୟାୟରେ ଆସି ପହଞ୍ôଚଛି । ଏହି ଚଳଚ୍ଚିତ୍ରର ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହୋଇଗଲାଣି । ଅଗଷ୍ଟ ମାସରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରି ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଯୋଜକ ଲକ୍ଷ୍ୟ ରଖିଥିବା କୁହାଯାଉଛି । ତେଣୁ ପୂରାଦମରେ ଏବେ ଶୁଟିଂ କାର୍ଯ୍ୟ ଚାଲିଛି । ଇତିମଧ୍ୟରେ ଦୁଇଟି ଗୀତ ରାଜସ୍ଥାନରେ ଶୁଟିଂ ସାରି କଳାକାରମାନେ ଫେରି ଆସିଲେଣି । ବାବୁସାନ ଏହି ଚଳଚ୍ଚିତ୍ରର ସଙ୍ଗୀତରେ ଗୋଟିଏ ଗୀତରେ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ବେଶ ପରିଚିତ । ଏପରିକି ଚଳଚ୍ଚିତ୍ରରେ ବାବୁସାନ ଭିନ୍ନ ଭୂମିକାରେ ଆସିଛନ୍ତି । ଲୋକାଲ ଟୋକା ଭୂମିକାରେ ବାବୁସାନ ଅବତିର୍ଣ୍ଣ ହୋଇଛନ୍ତି । ତାଙ୍କର ସନମୀରା ନାଗେଶଙ୍କ ସହ ଯୋଡ଼ି ହୋଇଛି । ଉଭୟଙ୍କ ଲଭ୍ ଏଥିରେ ବେଶ ଆଦୃତ ହେବ ଏବଂ ଦର୍ଶକଙ୍କ ମନ ଛୁଇଁବ ବୋଲି ଆଲୋଚନା ହେଉଛି । ବୈଦ୍ୟନାଥ ଦାଶ ସ୍ୱର ସଂଯୋଜନାରେ ଥିବାବେଳେ ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା ଓ ଡିପି ଖଣ୍ଡେଲୱାଲ । ସୁଧାଂଶୁ ମୋହନ ସାହୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଚଳଚ୍ଚିତ୍ରରେ ସୁନାମଧ୍ୟନ କଳାକାର ମିହିର ଦାସ, ଅଭିନେତ୍ରୀ ଅପରାଜିତା, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ଅସିତ ପତି ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ଶ୍ରୀକାନ୍ତ ଦାସ ପରିବେଷଣ ଦାୟିତ୍ୱରେ ଥିବାବେଳେ ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ବାପୁ ଗୋସ୍ୱାମୀ । ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ଅସୀମା ପଣ୍ଡା, ଅନନ୍ୟା ଗୀତରେ କଣ୍ଠଦାନ କରିଛନ୍ତି ।