ବାକି ଖାଉଛନ୍ତି ସାଂସଦ

ଭୁବନେଶ୍ୱର: ବିଧାୟକ ଓ ସାଂସଦ ଜନ ପ୍ରତିନିଧି । ସେମାନଙ୍କ ପାଖରେ ଲୋକଙ୍କ ଲମ୍ବା ଲାଇନ୍ । ନେତାମାନେ ସକାଳେ ରାଜଧାନୀରେ ତ ସଞ୍ଜ ବେଳକୁ ନିଜ ନିର୍ବାଚନ ମଣ୍ଡଳୀର ପୁଣି କେବେ କାହା ପୁଅ ବାହା ଘରରେ ତ, ନହେଲେ କର୍ମୀଙ୍କ ପୁଅ ଏକୋଇଶିଆରେ । ସେମାନଙ୍କ ଖର୍ଚ୍ଚ ବଢିବାରେ ଲାଗିଛି । ବିଧାୟକଙ୍କ ଖର୍ଚ୍ଚ ବଢୁଥିବାରୁ ଏହାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଟେମ୍ବର୧୩ରେ କ୍ୟାବିନେଟରେ ନିଷ୍ପତ୍ତି ନେଲେ ବିଧାୟକଙ୍କ ମାସିକ ଦରମା ଏବଂ ଭତ୍ତା ୧ଲକ୍ଷ ଟଙ୍କା କରିବାକୁ । କିନ୍ତୁ ନବୀନ ବୁଝି ପାରିଲେ ନାହିଁ ଯେତେ ଦେଲେ ମଧ୍ୟ ଏମିତି କିଛି ବିଧାୟକ ଅଛନ୍ତି ଯେଉଁମାନେ ନିଜର କୃପଣ ଗୁଣ ଛାଡି ପାରିବେ ନାହିଁ । ସେଭିତରୁ ଜଣେ ହେଲେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ସାଂସଦ ଥିବା କୁହାଳିଆ ନେତା । ଉପକୂଳ ଓଡିଶାର ସେହି ଜନ ପ୍ରତିନିଧି ପ୍ୟାରୀ ବାବୁ ବିଜେଡିରୁ ବିଦା ହେଲା ପରେ କ୍ଷମତାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡବୁକ୍ରେ ଥିବାରୁ ବିଧାନସଭା ସଦସ୍ୟ ନଥିବା ସତ୍ତେ୍ୱ ଗୃହ ଭିତରେ ଓ ବାହାରେ ତାଙ୍କ ପ୍ରଭାବ ରହିଲା । ହେଲେ ଶାସକ ଦଳର ସେହି କୁହାଳିଆ ନେତାଙ୍କୁ ନେଇ ବିଧାନସଭା ପରିସରରେ ଏପରି ଆଲୋଚନା ଚାଲିଛି, ଯାହା କୌଣସି ଜନ ପ୍ରତିନିଧିଙ୍କ ପାଇଁ ଶୋଭା ପାଏ ନାହିଁ । ସେହି ନାମକରା ନେତା କୁଆଡେ ବିଧାନସଭା କ୍ୟାଣ୍ଟିନରୁ ବାକି କରିଛନ୍ତି । ଆଉ ବକେୟା ଅର୍ଥ ଦେବାର ନାଁ ଧରୁ ନାହାନ୍ତି ।
ବିଧାନସଭାରେ ଏକ ଦଶନ୍ଧିରୁ ଜଣେ ବ୍ୟକ୍ତି କ୍ୟାଣ୍ଟିନ୍ ଖୋଲି ଜୀବିକା ନିର୍ବାହ କରୁଛନ୍ତି । ବେପାର ବଢିବାରୁ କିଛି ପିଲାଙ୍କୁ ବେତନ ଦେଇ କାମରେ ରଖିଛନ୍ତି । ବାହାର କ୍ୟାଣ୍ଟିନ୍ ସମେତ ବିଧାୟକ ଲାଉଞ୍ଜ କ୍ୟାଣ୍ଟିନ୍ ବି ଏହି ବ୍ୟକ୍ତିଙ୍କ ଜିମାରେ । ଏଠାରେ ବିଧାନସଭା କର୍ମଚାରୀ, ପୋଲିସ, ବିଧାୟକ, ସାଂସଦ ଓ ଗଣମାଧ୍ୟମ ପ୍ରତିନିଧି ଚା’ ପିଇବା ଠାରୁ ଆରମ୍ଭ କରି ଖାଇବା ପାଇଁ ଆସନ୍ତି । କିଏ କିଏ ତୁରନ୍ତ ଟଙ୍କା ଦେଇ ଦିଅନ୍ତି ତି କିଏ ବାକି ଖାତା ଖୋଲିଛନ୍ତି । ଶୁଣିବାକୁ ମିଳିଛି, ଜଣେ ପୂର୍ବତନ ବିଧାୟକ ବାକିରେ ଖାଆନ୍ତି । ହେଲେ କୌଣସି ବାକି ଖାତା ଖୋଲି ନାହାନ୍ତି ।
ବିଧାୟକ ଥିବା ସମୟରେ ସେ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ରହିଥିଲେ । ସେବେଠାରୁ ବିଧାନସଭାରେ ବିଭିନ୍ନ ସମୟରେ କ୍ୟାଣ୍ଟିନରେ ବାକି ରଖିଥିବା ଖବର ମିଳିଛି । ସେ ସମୟରେ ତାଙ୍କ ବ୍ୟକ୍ତିଗତ ସହାୟକ କିଛି ସମୟ ଟଙ୍କା ପଇଠ କରିଥିଲେ । ହେଲେ ଧୀରେ ଧୀରେ ବାକି ରାଶି ବଢିବାରେ ଲାଗିଛି । ତେବେ ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶନରେ କରିତକର୍ମା ପୂର୍ବତନ ବିଧାୟକଙ୍କ ବାକି ଖାଇବାରେ କଥା ପଦାକୁ ଆସିଲା ଯେବେ ଜଣେ ସ୍ୱାଧୀନ ବିଧାୟକ ନେତାଙ୍କର ବାକି ଖିଆ ସଉକ କିଛି ଲୋକଙ୍କ ଆଗରେ ବଖାଣିଲେ । ୧୨ ଡିସେମ୍ବର, ୨୦୧୭ ସଂଧ୍ୟା । କରିତକର୍ମା ପୂର୍ବତନ ବିଧାୟକ ବାବୁ କୁଆଡେ ବିଧାୟକ ଲାଉଂଜ କ୍ୟାଣ୍ଟିନରେ ଚା’ପିଇଲେ । ହେଲେ ପଇସା ମାଗିବାରୁ କ୍ୟାଣ୍ଟିନରେ କାମ କରୁଥିବା ପିଲାଙ୍କୁ ଗାଳିମନ୍ଦ କରଥିଲେ ବୋଲି ସ୍ୱାଧୀନ ବିଧାୟକ ଜଣଙ୍କ ସୂଚନା ଦେଲେ । ରାଗିବାର କାରଣ ଥିଲା ଯେ କ୍ୟାଣ୍ଟିନ ପିଲା ତାଙ୍କୁ ସେ ଦିନର ଟଙ୍କା ସହ ବାକି ୯୦୦ଟଙ୍କା ବି ମାଗିଥିଲା । ଭିତରେ ବସି ଚା’ ପିଉଥିବା ସ୍ୱାଧୀନ ବିଧାୟକ ଜଣକ ଏହି ସବୁ ଦୃଶ୍ୟ ଦେଖିଲେ । ହୁଏତ କରିତକର୍ମା ପୂର୍ବତନ ବିଧାୟକ ତାଙ୍କୁ ଦୃଷ୍ଟି ଦେଇ ନଥିବେ । ଏହି ବାକି ଟଙ୍କା ପାଇଁ କୁଆଡେ କ୍ୟାଣ୍ଟିନ ପିଲା କରିତକର୍ମା ପୂର୍ବତନ ବିଧାୟକଙ୍କ ଭୁବନେଶ୍ୱର ବାହାରେ ଥିବା ଘରକୁ ବି ଯାଇଥିବା ଖବର ମିଳିଛି । ହେଲେ ସାହେବ ଘରେ ଥାଇ ନଥିବାର ବାହାନା କଲେ ।
ଅବଶ୍ୟ କଥାର ସତ୍ୟତା କଣ ଜଣା ନାହିଁ । ଏହା ସତ ନା ସ୍ୱାଧୀନ ବିଧାୟକ ଜଣଙ୍କ ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ଏହି ଖବର ଦେଲେ, ତାହା ଜଣା ନାହିଁ । ତେବେ ଯଦି ତାଙ୍କ କଥା ସତ ହୋଇଥାଏ, ଏହାଠାରୁୁ ବଳି ଲଜ୍ଜାଜନକ ଘଟଣା ହୋଇପାରେ । ଏହାକୁ କିଛି ନେତା ଏବେ ତାତ୍ସଲ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here