ବଦଳିଲା ପୋଲିସ ଥିଓରୀ : ଉନ୍ମେୟକୁ କେହି ହତ୍ୟା କରିନାହାନ୍ତି ବରଂ ସେ ଆତ୍ମହତ୍ୟା କରିଛି- ପୋଲିସ

1

ଭୁବନେଶ୍ୱର: ଦୁଇ ମାସ ଭିତରେ ବଦଳି ଯାଇଛି ପୋଲିସ ଥିଓରୀ । ଦୁଇମାସ ତଳେ ହତ୍ୟା ବୋଲି ସନ୍ଦେହ କରାଯାଇଥିଲା । ହେଲେ ଏବେ ଆତ୍ମହତ୍ୟା କରିଥିବା କହିଛି । ଭୁବନେଶ୍ବର କୁଆଖାଇ ପଠା ଉନ୍ମେୟ ମୃତ୍ୟୁ ଘଟଣା ଉପରୁ ପୋଲିସ ଉଠାଇଛି ପରଦା । ପୋଲିସ କମିଶନର କହିଛନ୍ତି, ଉନ୍ମେୟକୁ କେହି ହତ୍ୟା କରିନାହାନ୍ତି ବରଂ ସେ ଆତ୍ମହତ୍ୟା କରିଛି । ହେଲେ ପୋଲିସ ଥିଓରୀ ହିଁ ବହୁ ସନ୍ଦେହକୁ ଜନ୍ମ ଦେଇଛି ।

ଗତ ମାର୍ଚ୍ଚ ୨୧ ତାରିଖରେ କୁଆଖାଇ ନଇପଠାରୁ ପୋଲିସ ଜବତ କରିଥିଲା ଉନ୍ମେୟର ମ଼ତଦେହ । ତାଙ୍କ ଦେହରେ ତିନୋଟି ସ୍ଥାନରେ ଛୁରୀ ଭୁଶା ଯାଇଥିଲା । ଦୁଇଟି ସ୍ଥାନରେ ଛୁରୀ ଭୁଶିହୋଇ ଦେହରେ ଲାଗି ରହିଥିଲା । ମ଼ତ ଶରୀରର ପ୍ରାୟ ୭୦ଭାଗ ପୋଡିଯାଇଥିଲା । ଦୁଇମାସ ପରେ ଏହି ମୃତ୍ୟୁର ତଦନ୍ତ କରି ଏକ ଥିଓରୀ ରଖିଛି ପୋଲିସ । କମିସନରେଟ ପୋଲିସର କହିବା କଥା, ଉନ୍ମେୟ ନିଜ ଦେହରେ ଛୁରୀ ଭୁଶି ତା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଯାହା ଫୋରେନସିକ୍ ରିପୋର୍ଟରେ ଦର୍ଶା ଯାଇଛି । ପ୍ରଶ୍ନ ଉଠୁଛି ଜଣେ ଆତ୍ମହତ୍ୟା କରିବା ଲାଗି ନିଜକୁ ଏତେ କଷ୍ଟ ଦେଇପାରେ । କମିସନରେଟ ପୋଲିସର କହିବା ଯେଉଁ ଝିଅ ପ୍ରେମରେ ପଡି ସେ ଚାକିରି ହରାଇଲା ଆଉ ଜେଲ ଭୋଗିଲା, ସେହି ଯୁବତୀ ଓ ତାଙ୍କ ପ୍ରେମିକକୁ ଉଚିତ ଶିକ୍ଷା ଦେବାପାଇଁ କୁଆଡେ ଉନ୍ମେୟ ଏଭଳି ପଦକ୍ଷେପ ନେଇଥିଲା ।

କମିସନରେଟ ପୋଲିସର ତଦନ୍ତ ସହ ଉନ୍ମେୟଙ୍କ ଭାଇ ଏକମତ ନୁହନ୍ତି । ତଦନ୍ତ ପାଇଁ ସେ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହେଇ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି କହିଛନ୍ତି । ସେପଟେ ଆଇନଜୀବୀଙ୍କ ମତରେ ଏହି ଘଟଣାର ତଦନ୍ତରେ ପୋଲିସ ଫେଲ ମାରିଛି ।

କମିସନରେଟ ପୋଲିସ କଣ ସତରେ ଉନ୍ମେୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ନା ସୁରାଗ ନପାଇ ଶେଷରେ ଆତ୍ମହତ୍ୟାର ରୂପ ଦେବାକୁ ବାଧ୍ୟ ହୋଇଛି । ସତରେ କଣ ପ୍ରତିଶୋଧ ନେବା ପାଇଁ ନିଜକୁ ଏତେ ଯନ୍ତ୍ରଣା ଦେଇଥିଲା ଉନ୍ମେୟ ।

LEAVE A REPLY

Please enter your comment!
Please enter your name here