ପ୍ରକାଶ ବେହେରା ସଭାପତି ପଦଛାଡ଼ିବାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭.୬.୨୦୧୮: କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଦଳ ମଧ୍ୟରେ ଓ ବାହାରେ ନାନା ଗୁଞ୍ଜରଣ ସୃଷ୍ଟି ହୋଇଛି । ପ୍ରକାଶଙ୍କ ଇସ୍ତଫା ପରେ ଦଳ ପକ୍ଷରୁ ଜଣେ ବ୍ୟକ୍ତି ଗୋଟିଏ ପଦବୀ କଥା କୁହାଯାଉଥିଲେ ମଧ୍ୟ ଆଲୋଚନା କିନ୍ତୁ ଥମୁ ନାହିଁ । ଏନେଇ ବିଭିନ୍ନ କଥା କୁହାଯାଉଛି । ପୂର୍ବରୁ ପ୍ରକାଶ ବିଜେଡିରେ ଯୋଗଦେବା ନେଇ ବହୁ ପ୍ରଚାର ହୋଇଥିଲା । ଏଣୁ ଏବେ ସେ ଯେତେବେଳେ ସଭାପତି ପଦ ଛାଡ଼ିଲେ ସେଥିପାଇଁ ଚର୍ଚ୍ଚା ଅଧିକ ହେଉଛି । କାରଣ ଦଳ ପକ୍ଷରୁ ଜଣେ ବ୍ୟକ୍ତି ଗୋଟିଏ ପଦ କଥା କୁହାଯାଉଥିଲେ ମଧ୍ୟ ଏବେ ବି ଦଳର ଏକାଧିକ ବିଧାୟକ ଏକାଧିକ ପଦବୀରେ ରହିଛନ୍ତି । ଅବଶ୍ୟ ପ୍ରକାଶ ଦଳରୁ ନୁହେଁ କେବଳ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଦର୍ଶାଇଛନ୍ତି ।
ବିଧାୟକମାନଙ୍କ ଭିତରୁ ପ୍ରକାଶ ଦଳର କଟକ ଜିଲ୍ଲା ସଭାପତି ଥିଲାବେଳେ ବିଧାୟକ ନବ କିଶୋର ଦାସ ଝାରସୁଗୁଡ଼ା ପାଇଁ, ବିଧାୟକ ଜାକବ ପ୍ରଧାନ କନ୍ଧମାଳ ପାଇଁ ଓ ଦେବେନ୍ଦ୍ର ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲାରା ସଭାପତି ଅଛନ୍ତି । ଇତିମଧ୍ୟରେ ନବଙ୍କୁ ଏଆଇସିସି ପକ୍ଷରୁ ଦଳର କାର୍ଯ୍ୟକାରୀ ସଭାପତି କରାଯାଇ ସାରିଛି । ମଙ୍ଗଳବାର ପ୍ରକାଶଙ୍କ ଇସ୍ତଫା ଖବର ଆସି ପହଞ୍ଚିଲା, ସେ ଦଳର ସଭାପତିଙ୍କୁ ଚିଠି ଲେଖି ତାଙ୍କ ଇସ୍ତଫା ପ୍ରସଙ୍ଗରେ ଜଣାଇଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଥିଲେ ଯେ, “ମୋ ନିର୍ବାଚନ ମଣ୍ଡଳରେ ଅଧିକ ସମୟ ଦେବା ପାଇଁ ଓ ବ୍ୟକ୍ତିଗତ ସୁବିଧା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଉଛି । ଏହାକୁ ଗ୍ରହଣ କରିବାକୁ ଅନୁରୋଧ ।”
ବୁଧବାର ଦଳର ମିଶ୍ରଣ ପର୍ବ ଚାଲିଥିଲାବେଳେ ପ୍ରକାଶଙ୍କ ଇସ୍ତଫା ଖବରକୁ ନେଇ ଆଲୋଚନା ଜୋରଦାର ହେଲା । ଦଳ ପ୍ରଭାରୀ ଜିତେନ୍ଦ୍ର ସିଂହ ଗଣମାଧ୍ୟମକୁ ଜଣାଇଥିଲେ ଯେ ଦଳ ପକ୍ଷରୁ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ଅବଲମ୍ବନ କରାଯାଇଛି । ଏଣୁ ପ୍ରକାଶ ବିଧାୟକ ଥିବାରୁ ସଭାପତିରୁ ଇସ୍ତଫା ଦେଇଛନ୍ତି । ହେଲେ ଅନ୍ୟ ବିଧାୟକମାନେ ଇସ୍ତଫା ଦେଇନଥିବାରୁ ପ୍ରକାଶଙ୍କ ଇସ୍ତଫା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯେତେବେଳେ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିଲେ ସେ ସମୟରେ ବହୁ ଦଳୀୟ ନେତା ଓ ପଦାଧିକାରୀ ଦଳ ଛାଡ଼ିଥିଲେ । ସେତେବେଳେ ପ୍ରଚାର ହୋଇଥିଲା କିଛି ବିଧାୟକ ମଧ୍ୟ ଦଳ ଛାଡ଼ିବେ । ସେମାନଙ୍କ ଭିତରେ ପ୍ରକାଶଙ୍କ ନାଁ ଆସୁଥିଲା । ଏବେ ଯଦିଓ ସ୍ଥିତି ବଦଳିଛି । ପ୍ରସାଦ ହଟି ନିରଞ୍ଜନ ପଟ୍ଟନାୟକ ସଭାପତି ହୋଇଛନ୍ତି । ଦଳ ଭିତରେ ଏକ ନୂଆ ଆଶା ସଂଚାର ହୋଇଛି । ଦଳ ବାହୁଡ଼ା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି କ୍ଷେତ୍ରରେ ପ୍ରକାଶ ଆଉ ଛାଡ଼ିକି ଯିବେ ନାହିଁ ବୋଲି ମଧ୍ୟ କୁହାଯାଉଛି । ପ୍ରକାଶଙ୍କ ସହ ଖାସ ସଂପର୍କ ଥିବା ବିରୋଧୀ ଦଳ ଉପନେତା ବିଧାୟକ ଚିରଞ୍ଜୀବି ବିଶ୍ୱାଳ ଏବେ ଦଳର କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ଏଣୁ ପ୍ରକାଶ ଆଉ ବିଜେଡିକୁ ଯାଇ ନପାରନ୍ତି ବୋଲି ଗୋଟିଏ ଗୋଷ୍ଠୀ କହୁଛନ୍ତି । କିନ୍ତୁ ଅନ୍ୟ ବିଧାୟକମାନେ ଇସ୍ତଫା ଦେଇନଥିବାବେଳେ ପ୍ରକାଶଙ୍କ ଇସ୍ତଫା ଦେବା ଘଟଣା ସନ୍ଦେହକୁ ବଢ଼ାଉଛି । ଗୋଟିଏ ଗୋଷ୍ଠୀଙ୍କ କହିବା କଥା ଦଳ ଛାଡ଼ିବା ପାଇଁ ପ୍ରକାଶ ଏବେଠାରୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।
ଏକଥା ମଧ୍ୟ କୁହାଯାଉଛି ଯେ, ନୂଆ ସଭାପତି ହେବା ପରେ ସେ ଖୁବ ଶୀଘ୍ର ତାଙ୍କ ଟିମ୍ ଗଂନ କରିବାକୁ ଯାଉଛନ୍ତି । ଜିଲ୍ଲା ସଭାପତିମାନେ ବଦଳିବାର ଅଛି । ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ଅବଲମ୍ବନ କରାଯାଉଥିବାରୁ ସେ ସମୟରେ ବିଧାୟକମାନଙ୍କୁ ବାଦ୍ ଦିଆଯିବ । ଏଣୁ ତା ଆଗରୁ ସୂଚନା ପାଇ ପ୍ରକାଶ ଏହି ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ କୁହାଯାଉଛି ।