ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇବେ ନବୀନ

1

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି  । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନୂଆଦିଲ୍ଲୀ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇବେ  । ତା ସହିତ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ଦେବା ପାଇଁ ମଧ୍ୟ ଦାବି କରିବେ  । ଦିଲ୍ଲୀରେ ସେ କିଛି ମନ୍ତ୍ରୀଙ୍କୁ ଭେଟି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗ ଉଠାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ତେବେ କେଉଁ କେଉଁ ମନ୍ତ୍ରୀଙ୍କୁ ଭେଟିବେ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି  । ଅନ୍ୟପକ୍ଷରେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଅଣ ବିଜେପି ଦଳର ମୁଖିଆଙ୍କ ସହିତ ମୁଖ୍ୟମନ୍ତ୍ରୀ ମାନସମନ୍ଥନ କରିପାରନ୍ତି ବୋଲି ଆଲୋଚନା ହେଉଛି । ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସିଥିଲେ । ନବୀନଙ୍କୁ ଭେଟିଥିଲେ । ଏହି ଭେଟଘାଟକୁ ଉଭୟ ମୁଖ୍ୟମନ୍ତ୍ରୀ ସୌଜନ୍ୟମୂଳକ ବୋଲି କହିଥିଲେ । ତେବେ ଉଭୟଙ୍କ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଗୁପ୍ତ ଆଲୋଚନା ହୋଇଥିବା କୁହାଯାଉଛି ।
  ତେବେ ରାଷ୍ଟ୍ରପତି ନିର୍ବାଚନ ନେଇ ତାଙ୍କ ଦଳ ଏବେ କୌଣସି ଯୋଜନା  କରି ନାହିଁ ବୋଲି ନବୀନ କହିଛନ୍ତି  । ତା ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଏବେ ଆଲୋଚନା କରିବା ନେଇ ମଧ୍ୟ କୌଣସି ଯୋଜନା  ନାହିଁ ବୋଲି ସେ କହିଛନ୍ତି । ଦିଲ୍ଲୀ ଗସ୍ତ ସାରି ୨୬ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ  । ଚଳିତ ମାସରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଦିଲ୍ଲୀ ଗସ୍ତ ।

LEAVE A REPLY

Please enter your comment!
Please enter your name here