ପିନାକୀଙ୍କ ପ୍ରଶଂସା: ବୁଟୁ ଭାଇନାଙ୍କୁ ଅଡୁଆ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରର ଆୟୋଜିତ ମୁଦ୍ରା ଯୋଜନା ଉତ୍ସବରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଆବଶ୍ୟକତା ଠୁ ଅଧିକ ପ୍ରଶଂସା ଉଭୟ ବିଜେଡି ଓ ବିଜେପିକୁ ଦ୍ୱନ୍ଦ୍ୱରେ ପକାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୋର୍ଟିମ୍ ସଦସ୍ୟ ପିନାକୀଙ୍କର ଧର୍ମେନ୍ଦ୍ରଙ୍କୁ ଏଭଳି ପ୍ରଶଂସା ଅପ୍ରତ୍ୟାଶିତ ଥିଲା ନା ସୁଚିନ୍ତିତ ରଣନୀତିର ଅଂଶବିଶେଷ ତାକୁ ନେଇ ଚର୍ଚ୍ଚା । ପିନାକୀ ହେଉଛନ୍ତି ସୁପ୍ରିମକୋର୍ଟର ପ୍ରତିଷ୍ଠିତ ଓକିଲ, ମାପିଚୁପି କଥା କହିବାରେ ସିଦ୍ଧହସ୍ତ । ପିନାକୀ ପ୍ରଶଂସାକୁ ବିଜେଡିର ଅଧଡଜନେ ନେତା ସମାଲୋଚନା କରିବା ସହ ତାଙ୍କର ବିଜେପି ପ୍ରତି ମୋହ ବଢ଼ୁଛି ବୋଲି ସମାଲୋଚନା କଲେ ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଲୋକସଭା ସାଂସଦ ପିନାକୀ ପ୍ରଶଂସାରେ ପୋତି ପକାଇଲେ ।“ଗତ ୪୦ବର୍ଷ ମଧ୍ୟରେ ଦେଶକୁ ଏଭଳି ଜଣେ ଭାଗ୍ୟଶାଳୀ ପେଟ୍ରୋଲିୟମ ମନ୍ତ୍ରୀ ମିଳିନାହିଁ, ଧର୍ମେନ୍ଦ୍ରଙ୍କ ଦୃଢ଼ ସମାଲୋଚକ ମଧ୍ୟ ତାଙ୍କୁ ଜଣେ କର୍ମଠ ଓ ଦକ୍ଷ ବ୍ୟକ୍ତି ବୋଲି ସ୍ୱୀକାର କରିବେ” ବୋଲି ସେ କହିଥିଲେ । ପିନାକୀଙ୍କର ଏହି ଦୁଇପଦ ମନଖୋଲା ପ୍ରଶଂସାକୁ ଦାମୋଦର ରାଉତ, ଦେବାଶିଷ ସାମନ୍ତରାୟ, ବିଷ୍ଣୁ ଦାସ, ପ୍ରଦୀପ ମହାରଥୀ ତୀବ୍ର ସମାଲୋଚନା କରିଥିବାବେଳେ ପ୍ରସନ୍ନ ପାଟ୍ଟଶାଣୀ ଏହାକୁ ପିନାକୀଙ୍କର ବ୍ୟକ୍ତିଗତ ବ୍ୟାପାର ବୋଲି କହିଲେ । ତେବେ ସଭାମଞ୍ଚରେ ପିନାକୀ ଯାହା କହିଲେ ସତରେ କ’ଣ ତାହା ତାଙ୍କ ମନର କଥା । ନା ଏଥିରେ କିଛି ରାଜନୈତିକ ଅଭିସନ୍ଧି ରହିଛି । ବିଜେଡି ମହଲରେ ଚର୍ଚ୍ଚା ହେଉଛି ଯେ, ପିନାକୀ ଏବେ ବିଜେଡିର ଅନ୍ୟ ୨ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଓ ଭର୍ତୃହରି ମହତାବଙ୍କ ମାର୍ଗ ଅନୁସରଣ କରି ବିଜେପି ପ୍ରତି ନିଜର ଦୁର୍ବଳତା ପ୍ରକଟ କରିଛନ୍ତି । ଭବିଷ୍ୟତରେ ସେ ବିଜେପିରେ ନିଜର ସ୍ଥାନ ସୁରକ୍ଷିତ ରଖିବା ପାଇଁ ଏବେଠୁ ଉଦ୍ୟମ କରୁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ତଥା ବିଜେଡିର ଜଣେ ପ୍ରଭାବଶାଳୀ ଯୁବନେତା ନିଜ ନାମ ଗୁପ୍ତ ରଖିବା ସର୍ତରେ କହିଛନ୍ତି ଯେ, ଭୁବନେଶ୍ୱରରେ ମୁଦ୍ରା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ମନ୍ତ୍ରୀ ଓ ଅଧିକାରୀଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପିନାକୀ ଯେଉଁ ପ୍ରଶଂସା କଲେ ତାହା ଏକ ସୁଚିନ୍ତିତ ରଣନୀତିର ଅଂଶବିଶେଷ । ପିନାକୀ ଏବେ ଦିଲ୍ଲୀ ଦରବାରରେ ବିଜେଡିର ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ବିଜେଡି ସୁପ୍ରିମୋ ଏବେ ଦିଲ୍ଲୀ ବ୍ୟାପାରରେ ଅନ୍ୟ ସାଂସଦଙ୍କ ତୁଳନାରେ ପିନାକୀଙ୍କ ଉପରେ ଅଧିକ ଭରସା କରୁଛନ୍ତି । ସେଥିପାଇଁ ପିନାକୀଙ୍କୁ କୋର୍ଟିମ୍ରେ ରଖାଯାଇଛି ଓ ନିୟମିତ ଭାବେ ସିଏ ମୁଖ୍ୟମନ୍ତ୍ରୀ ଅଫିସ ସହ ଯୋଗସୂତ୍ରରେ ରହୁଛନ୍ତି ।ଏପରିକି ମୁଦ୍ରା ଯୋଜନାର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମଧ୍ୟ ପିନାକୀ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇଥିଲେ । ତେଣୁ ସବୁକିଛି ନବୀନ ନିବାସ ଚାଲ୍ର ଅଂଶବିଶେଷ ବୋଲି ଯୁବ ନେତା ଜଣଙ୍କ କହିଛନ୍ତି । ତେବେ ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଯେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି ତାକୁ ନେଇ ବିଜେଡି ବ୍ୟାକ୍ଫୁଟ୍ରେ ରହିଛି । ଚିଟ୍ଫଣ୍ଡ ମାମଲାରେ କାଳେ ସିବିଆଇ ପୁଣିଥରେ ବିଜେଡି ସୁପ୍ରିମୋଙ୍କ ପୂର୍ବତନ ସ୍ୱୀକୃତିପ୍ରାପ୍ତ ସ୍ୱାକ୍ଷରକାରୀ ସରୋଜ ସାହୁଙ୍କୁ ଜେରା କରିବ ଓ ନେତାଙ୍କୁ ବାନ୍ଧିବ; ସେହି ଆଶଙ୍କାରେ କୁଆଡ଼େ ପିନାକୀ ଏବେଠୁ ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି । ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ କ୍ୟାମ୍ପ୍ରେ ଏବେ ପ୍ରଭାବଶାଳୀ ପାଲଟିଥିବା ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ଆକ୍ରୋଶମୂଳକ ରାଜନୀତିରୁ ବିଜେଡି ସରକାରକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ହେଉଛି । ଯାହାର ମଙ୍ଗ ଏବେ ପିନାକୀ ଧରିଛନ୍ତି । ଖାସ୍ ଏହି କାରଣରୁ ପିନାକୀ ଦେଇଥିବା ମନ୍ତବ୍ୟ ପାଇଁ ବିଜେଡିର ଅଧଡ ଜନରୁ ଊଦ୍ଧ୍ୱର୍ ନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ପୂର୍ବରୁ ବିଜେପି ନେତାଙ୍କୁ ଅନୁରୂପ ପ୍ରଶଂସା ପାଇଁ ଭର୍ତୃହରି ମହାତାବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବାବେଳେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସଂସଦୀୟ ଦଳର ମୁଖପାତ୍ର ପଦ ହରାଇବାକୁ ପଡ଼ିଥିଲା ।
ତେବେ ନବୀନ ମଧ୍ୟ ଜାଣିବା ଉଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ବିଶ୍ୱସ୍ଥ ପିନାକୀ, କ୍ଷମତା ପାଇଁ ୨୦୦୯ ନିର୍ବାଚନ ବେଳେ କଂଗ୍ରେସକୁ ଅଲବିଦା କରିଦେଲେ । ତାନ୍ତ୍ରିକ ଚନ୍ଦ୍ରସ୍ୱାମୀଙ୍କର ଘନିଷ୍ଠ ପିନାକୀ ଯେ, ପ୍ୟାରୀମୋହନ ମହାପାତ୍ରଙ୍କୁ ପାନେ ଦେଇଥିଲେ । ଲୁଟିଆନ୍ସ ଦିଲ୍ଲୀରେ ବଢିଥିବା ପିନାକୀ ଯେ, ବିଜେପି ସହ ନବୀନ ସରକାର ଲାଗି ଡିଲ୍ କରିବା ଭିତରେ ନିଜ ପାଇଁ ପୁରୀ ଲୋକସଭା ଆସନ ପକ୍କା କରି ନନେବେ, ସେକଥା କହି ହେବ ନାହିଁ । କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ବୋଧହୁଏ ଖୁବଶୀଘ୍ର ବିଜେପିରେ ମିଶିବେ । ହୁଏତ ବ୍ରଜ ତିପ୍ରାଠୀ ଓରଫ ବୁଟୁ ଭାଇନାଙ୍କର ବାଟ ଓଗାଳିବା ଲାଗି ପିନାକୀଙ୍କର ଏହା ଚାଲ ନୁହେଁ ତ! କାରଣ ୨୦୦୯ରେ ବିଜେପି ଠାରୁ ବିଜେଡି ଅଲଗା ହେବା ପରେ ନବୀନ ପଟ୍ଟନାୟକଙ୍କ ସରକାରକୁ ଅନସ୍ଥା ଭୋଟରେ ଜିତାଇବାରେ ପିନାକୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଆଉ ସେତେବେଳେ ବ୍ରଜଙ୍କ ଟିକେଟ କାଟି ନିଜେ ପିନାକୀ ପୁରୀ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ । ଆଉ ଏବେ ବୁଟୁ ଭାଇନାଙ୍କୁ ଦଳରେ ମିଶାଇବା ଲାଗି ବିଜେପି ଉଦ୍ୟମ କରୁଥିବାବେଳେ ପିନାକୀଙ୍କର ଧର୍ମେନ୍ଦ୍ରଙ୍କୁ ପ୍ରଶଂସା ପୁରୀ ଜିଲ୍ଲା ରାଜନୀତି ଗୋଳମାଳିଆ କରି ଦେଇଛି । ଏମିତି ବି ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର, ପିପିଲିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଆଶ୍ରିତ ପଟ୍ଟନାୟକ ଏବଂ ନୟାଗଡ଼ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଲାଲା ମନୋଜ ରାଏ ବିଜେପିରେ ମିଶି ସାରିଛନ୍ତି । ଏହି ତିନି ନେତାଙ୍କର ବିଜେପିରେ ମିଶିବା ଫଳରେ ପୁରୀ ଲୋକସଭା ଆସନର ରାଜନୀତି ପାଣିପାଗ ବଦଳିଯାଇଛି । ଆଗକୁ ଯଦି ବୁଟୁ ଭାଇନା ବିଜେପିରେ ମିଶନ୍ତି ତାହେଲେ ବିଜେଡିର ଅବସ୍ଥା ଖରାପ ହେବ । ତେଣୁ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରି ବୁଟୁ ଭାଇନାଙ୍କ ବାଟକୁ ଓଗାଳିବାକୁ ଲାଗିପଡ଼ିଛନ୍ତି ବାବୁ ପିନାକୀ ।

ମତାମତ ଦିଅନ୍ତୁ

Please enter your comment!
Please enter your name here