ପଣସପୁଟ ଜଙ୍ଗଲରେ ପୁଣି ଗୁଳିବିନିମୟ: ଟଳିଲେ ୨, ମୃତୁ୍ୟ ସଂଖ୍ୟା ୩୦କୁ ବୃଦ୍ଧି

1

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଣସପୁଟ ଜଙ୍ଗଲରେ ପୁଣିଥରେ ମାଓବାଦୀ ଓ ପୋଲିସ୍ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇ ଜଣ ମାଓବାଦୀଙ୍କ ଜୀବନ ଜାଇଥିବା ଜଣାପଡିଛି । ଘଟଣା ସ୍ଥଳରୁ ଦୁଇଟି ଏସ୍ଏଲ୍ଆର ବନ୍ଧୁକ ପୋଲିସ୍ ଜବତ କରିଛି । ଗତ ୨୪ ତାରିଖ ଏନ୍କାଉଣ୍ଟରରେ ୨୮ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ଆଜି ଆଉ ଦୁଇଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଛି । ଏଥିସହ ୪ ଦିନ ମଧ୍ୟରେ ମାଓବାଦୀଙ୍କ ମୃତୁ୍ୟ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଉକ୍ତ ଅଞ୍ଚଳରେ ମାଓବାଦୀ ଗତିବିଧି ଥିବା ଲକ୍ଷ୍ୟ କରି ବର୍ତ୍ତମାନବି ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଜଣାପଡିଛି ।
ସୂଚନା ଥାଉକି, ଗତ ୨୪ ତାରିଖରେ ମାଲକାନଗିରି ଓ ଆନ୍ଧ୍ର ପୋଲିସ ମିଳିତ ଭାବେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ କୁୁଡୁମୁଲୁଗୁମ୍ମା ବ୍ଲକ ପଣସପୁଟ ପଞ୍ଚାୟତ ଯନ୍ତ୍ରୀଠାରେ ଏକ ମାଓ ଶିବିରରେ ଚଢ଼ଉ କରିଥିଲେ । ଏଥିରେ ୧୦ଜଣ କ୍ୟାଡର ମାଓବାଦୀଙ୍କ ସମେତ ପ୍ରାୟ ୨୮ଜଣ ମାଓବାଦୀ ନିହତ ହୋଇଥିଲେ । ଘଟଣାସ୍ଥଳରୁ ପୋଲିସ ୪ଟି ଏକେ ୪୭ ରାଇଫଲ, ୩ଟି ଏସଏଲଆର ବନ୍ଧୁକ, ୨ଟି ମେଗାଜିନ ସହ ୧୦ଟି ୩୦୩ ବନ୍ଧୁକ, ବିପୁଳ ପରିମାଣରେ ବିସ୍ଫୋରକ, କିଟ ବ୍ୟାଗ, ଲାପଟପ ଜବତ ହୋଇଥିଲା । ଏତଦଭିନ୍ନ ଘଟଣାସ୍ଥଳରୁ ୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ମିଳିଥିଲା । ଚଢ଼ଉର ୨ ଦିନ ପୂର୍ବରୁ ଓଡ଼ିଶା ପୋଲିସ୍ ସହ ମିଳିତ ଭାବେ ଆନ୍ଧ୍ର ପୋଲିସ୍ ସ୍ୱତନ୍ତ୍ର କମ୍ବିଂ ଅପରେସନ କରିଥିଲା । ଏହି ଅପରେସନ୍ରେ ଜଣେ ଗ୍ରେହାଉଣ୍ଡ ଅଧିକାରୀ ସହିଦ ହୋଇଥିଲେ । ମୃତ ମାଓବାଦୀଙ୍କ ମଧ୍ୟରେ ଥିଲେ ଅରୁଣା ଚେଲାପତି (ଚିତ୍ତୁର ଜିଲା, ଆନ୍ଧ୍ରପ୍ରଦେଶ), ଦୟା (ନାଲଗୋଣ୍ଡା, ଆନ୍ଧ୍ର), ଭେଙ୍କଟରାମଣା, ବାଙ୍ଗାଲା ସୁରେଶ, ମାଓନେତା ଆରକେଙ୍କ ପୁତ୍ର ମୁନା ଓ ମାଓବାଦୀ କେନ୍ଦ୍ରୀୟ କମିଟିର ସମ୍ପାଦକ ରମେଶ, ଚିତାଲା ଗୌଡା । ଏମାନେ ସମସ୍ତେ ଆନ୍ଧ୍ର ଓଡ଼ିଶା ସ୍ୱତନ୍ତ୍ର ଜୋନାଲ କମିଟିର ଆଗ ଧାଡିର ନେତା ଥିଲେ । ସେମାନଙ୍କ ମଧ୍ୟରେ ୭ଜଣ ମହିଳା ମାଓବାଦୀ ମଧ୍ୟ ଥିଲେ ।
ଏନକାଉଣ୍ଟରେ କୋରାପୁଟ ଓ ବିଶାଖାପାଟଣା ଡିଭିଜନର ମୁଖ୍ୟ କୁହାଯାଉଥିବା ଉଦୟ ଓରଫ ଜି.ରବି (ୱାରଙ୍ଗଲ ଜିଲା, ଆନ୍ଧ୍ର)ର ମୃତୁ୍ୟ ଘଟିଥିବା ପ୍ରଥମେ ଚର୍ଚ୍ଚା ହେଉଥିବାବେଳେ ପରେ ଏହାକୁ ମାଲକାନଗିରି ଏସପି ଖଣ୍ଡନ କରିଥିଲେ । ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।
ଚିହ୍ନଟ ୧୮ଜଣ ମୃତ ମାଓବାଦୀଙ୍କ ମରଶରୀରକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here