You are here
Home > ବଡ଼ଖବର > ପଞ୍ଚଦଶ ଅର୍ଥ କମିଶନଙ୍କ ସର୍ତ୍ତାବଳୀରେ ରାଜ୍ୟର ଆଶଙ୍କା ଭିତିହୀନ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଞ୍ଚଦଶ ଅର୍ଥ କମିଶନଙ୍କ ସର୍ତ୍ତାବଳୀରେ ରାଜ୍ୟର ଆଶଙ୍କା ଭିତିହୀନ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ୍ ରେଫରେନ୍ସରେ ଅସଙ୍ଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିକୁ ନେଇ ଯୋର ଧରିଛି ରାଜ୍ୟ ରାଜନୀତି । ସରକାରଙ୍କ ଆପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଂଚଦଶ ଅର୍ଥ କମିଶନ ପାଇଁ ଟର୍ମ ଅଫ ରେଫରେନ୍ସରେ ଯେଉଁ ରାଜ୍ୟ ମାନେ ଜନସଂଖ୍ୟା ନିୟଂତ୍ରଣ ଓ ବିକାଶ ମୂଳକ କାମରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କାର ଦିଆଯିବ । ଯେଉଁ ରାଜ୍ୟ ମାନେ ନିଜର ଟିକସ ବୃଦ୍ଧି କରାଇବାରେ ସଫଳ ହୋଇଥିବେ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ ପ୍ରସ୍ତୁତ ହୋଇଥିବେ, ବିଜୁଳି ଯୋଗାଣର ମାନ ବୃଦ୍ଧି ସହ ପରିବହନ ଜନିତ କ୍ଷତି କମ କରିବାରେ ସଫଳ ହୋଇଥିବେ, ପଂଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କୁ ଅଧିକ ସ୍ୱାୟତ୍ତତା ଦେଇଥିବେ ସେମାନଙ୍କୁ ପଂଚଦଶ ଅର୍ଥ କମିଶନ ଅଧିକ ଗୁରୁତ୍ୱ ଦେବା ପାଇଁ ଟର୍ମ ଅଫ ରେଫରେନ୍ସରେ ବ୍ୟବସ୍ଥା ରହିଛି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଅର୍ଥ କମି ଯିବ ବୋଲି କାହିଁକି ଅହେତୁକ ଆଶଙ୍କା ଦେଖାଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ।
ଅର୍ଥ କମିଶନ ୧୯୭୧ ଜନଗଣନାକୁ ୧୭ ପ୍ରତିଶତ ୱେଟେଜ ଦେଇଥିବା ବେଳେ ୨୦୧୧ର ଜନଗଣନାକୁ ୧୦ ପ୍ରତିଶତ ୱେଟେଜ ଦେଇଥିଲେ। ତେଣୁ ପ୍ରଥମ ଥର ପାଇଁ ପଞ୍ଚଦଶ ଅର୍ଥ କମିଶନ ଏଭଳି ସୁପାରିଶ କରିନାହିଁ। ଚତୁର୍ଦଶ ଅର୍ଥ କମିଶନ ମଧ୍ୟ ଅନୁରୂପ ସୁପାରିଶ କରିଥିଲେ। ୧୯୭୧ ପରିବର୍ତ୍ତେ ୨୦୧୧ ଜନଗଣନା ତଥ୍ୟ ଆଧାରରେ ଆଗକୁ ରାଜ୍ୟମାନଙ୍କୁ ଅନୁଦାନ ଦିଆଯିବ ବୋଲି ପଞ୍ଚଦଶ ଅର୍ଥ କମିଶନ ସୁପାରିଶ କରିଥିଲେ। ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଳ ଟର୍ମ ଅଫ ରେଫରେନ୍ସକୁ ସଠିକ୍‌ ଭାବେ ପଢ଼ି ନାହାଁନ୍ତି । ଯଦି ପଢ଼ିଥାଆନ୍ତେ ତାହା ହେଲେ ରାଜ୍ୟକୁ କମ ଅର୍ଥ ମିଳିବା ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନ ଥାନ୍ତେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ୧୯୭୧ ବଦଳରେ ୨୦୧୧ ମସିହାର ଜନଗଣନାକୁ ଆଧାରକୁ ମାନିଲେ ଓଡିଶାକୁ କମ ଅର୍ଥ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କାର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ । ୨୦୧୧ ଜନଗଣନାରେ ଜନ ସଂଖ୍ୟା କମ କରିବାରେ ରାଜ୍ୟ ସରକାର ଭଲ କାମ କରିଥିଲେ ଏଥି ପାଇଁ ତାଙ୍କୁ ପୁରସ୍କାର ଦିଆ ଯିବାର ବ୍ୟବସ୍ଥା ରହିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେହିପରି ୨୦୨୨-ନ୍ୟୁ ଇଣ୍ଡିଆ ଯୋଜନାରେ ଜନତାଙ୍କ ପାଇଁ ଉଲ୍ଲେଖ୍ୟନୀୟ କାର୍ଯ୍ୟ କରିଥିବା ରାଜ୍ୟଗୁଡ଼ିକୁ ଅଧିକ ରାଶି ଦିଆଯିବ । ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ ଯୋଜନାର ସଫଳ ରୂପାୟନ ହେଲେ ପଂଚଦଶ ଅର୍ଥ କମିଶନ ଅଧିକ ଅର୍ଥ ପ୍ରଦାନ କରିବାକୁ ଯେଉଁ ଟର୍ମ ଅଫ ରେଫରେନ୍ସ କରାଯାଇଛି ତାହାକୁ ମୁଖ୍ୟମନ୍ତ୍ରୀ କାହିଁକି ବିରୋଧ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକମ ମାଧ୍ୟମରେ ଯେଉଁ ଅର୍ଥ ବାଣ୍ଟୁଛନ୍ତି ତାହାର ହିସାବ ପଂଚଦଶ ଅର୍ଥ କମିଶନ କରିବ । ତେଣୁ ଏହାର ପୀଡା ମୁଖ୍ୟମନ୍ତ୍ରୀଙ୍କୁ ହେବା ସ୍ୱାଭାବିକ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଧର୍ମେନ୍ଦ୍ରଙ୍କ ପ୍ରେସମିଟ୍ ଉପରେ ବିଜେଡିର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେବି ବିରୋଧ କରୁଛନ୍ତି କଣ ସେମାନେ ଟର୍ମ ଅଫ୍ ରେଫରେନ୍ସ ପଢି ନାହାନ୍ତି କି? ପାଲଟା ପ୍ରଶ୍ନ କରିଛନ୍ତି ଦେବୀ । ରାଜ୍ୟର ସ୍ବାର୍ଥ ସାଧିତ ହେବା ଭଳି ଟର୍ମ ରହିବା ଆବଶ୍ୟକ । ଏକଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଏହି ଟର୍ମ ଅଫ୍ ରେଫରେନ୍ସ ଯଦି ଲାଗୁ ହୁଏ ତେବେ ରାଜ୍ୟ କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞ ଆଶଙ୍କା କାରିଛନ୍ତି ବୋଲି ଦେବୀ କହିଛନ୍ତି । ଏହା ସହ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପ୍ରସଙ୍ଗ କହିଛନ୍ତି ଏଭଳି ଅଭିଯୋଗ ଅମୂଳକ । ଗାଁର ବିକାଶ କରିବା କଣ ସାମନ୍ତବାଦୀ କାମ । ଯେଉଁ ଗାଁର ବିକାଶ ହୋଇନି ସେଠାରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ ଅର୍ଥ ଦେଉଛନ୍ତି ପଞ୍ଚାୟତରେ ସବୁ ଲୋକଙ୍କ ଉପସ୍ଥିତିରେ ନିଷ୍ପତ୍ତି ହେଉଛି ତେଣୁ ଏହା କର୍ମୀଙ୍କୁ ଅର୍ଥ ହେଲା କିପରି ବୋଲି କହିଛନ୍ତି ଦେବୀ ମିଶ୍ର ।

Loading...
ONA

Leave a Reply

Top