ପଙ୍କିଳ ରାଜନୀତିରେ ବିଜେଡି ସିଦ୍ଧହସ୍ତ

0
3

ଭୁବନେଶ୍ୱର: ବର୍ତ୍ତମାନ ବିଭିନ୍ନ ମହଲରେ ବିଜେଡିର ଚାଲକୁ ନେଇ ଆଲୋଚନା ଜୋରଦାର ଚାଲିଛି । ଅନ୍ୟକୁ ଦୋଷ ଦେଇ ଫାଇଦା କିପରି ହାସଲ କରିହେବ, ତାହ ବିଜେଡିଠୁ ଶିଖିବାକୁ ହେବ ବୋଲି କୁହାଯାଉଛି । ନିକଟରେ ଘଟିଥିବା କେତେକ ଘଟଣାକୁ ନେଇ ଏକଥା ଚର୍ଚ୍ଚା ହେଉଛି । ରେଳ ବଜେଟରେ ଓଡ଼ିଶାକୁ ଅଧିକ ଅର୍ଥ ଦେବା ବ୍ୟବସ୍ଥା କରିବା ଲାଗି କେନ୍ଦ୍ରକୁ ଚିଠି ଲେଖିବା, ମହାନଦୀ ବିବାଦର ସମାଧାନ ଲାଗି କମିଟି ଗଠନ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇବା, ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ବିରୁଦ୍ଧରେ ଆନ୍ଦୋଳନ କରିବା ଘଟଣା ଗୁଡିକୁ ତର୍ଜମା କଲେ ବିଜେଡିର ପଙ୍କିଳ ରାଜନୀତି କଥା ପଦାକୁ ଆସିବ ବୋଲି କୁହାଯାଉଛି । ରାଜ୍ୟ ସ୍ୱାର୍ଥ ହାସଲ ଅପେକ୍ଷା ରାଜନୀତି କରିବା ହେଉଛି ବିଜେଡିର ମୁଖ୍ୟ ଉଦେଶ୍ୟ । ଏକଥା ବି ଉଠିଲାଣି ।
ଫେବୃଆରୀ ୧ରୁ ପାର୍ଲାମେଣ୍ଟର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଆରମ୍ଭରୁ କେନ୍ଦ୍ର ସରାକର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏଥିରେ ରେଳ ବଜେଟ୍ ମଧ୍ୟ ଉପସ୍ଥାପିତ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟର ଆକଳନ କରାଯାଇ ଚୂଡାନ୍ତ ହୋଇସାରିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ବଜେଟ୍ରେ ଓଡ଼ିଶାକୁ ୬,୫୦୦ କୋଟି ଟଙ୍କା ଦେବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି । ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ ହେବା ପାଇଁ ଆଉ ମାତ୍ର ୧୪ ଦିନ ଅଛି । ଏଣୁ ରେଳ ବଜେଟ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବାରୁ ବଜେଟ ଉପସ୍ଥାପନ ପାଇଁ ଅନୁସଙ୍ଗିକ ପ୍ରକ୍ରିୟା ଚୂଡାନ୍ତ ହୋଇସାରିଥିବ । ବଜେଟ ପୁସ୍ତିକା ମଧ୍ୟ ଛପା ହେବାକୁ ଯାଇ ସାରିଥିବ । ସବୁ କାମ ସରିବା ପରେ ମୁଖ୍ୟମନ୍ତ୍ରୀ ହଠାତ ଚିଠି ଲେଖି ଅର୍ଥ ଦାବି କରିବା ଦ୍ୱାରା ଏଥିରେ ରାଜ୍ୟ ସ୍ୱାର୍ଥ କେତେଦୂର ହାସଲ ହୋଇପାରିବ, ତାହା ହେଉଛି ସବୁଠୁ ବଡ ପ୍ରଶ୍ନ । ୬,୫୦୦ କୋଟି ଟଙ୍କା ଦେବାକୁ କହିଥିଲା ବେଳେ ଯେଉଁ ସବୁ ପ୍ରସ୍ତାବ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥବ୍ୟବସ୍ଥା କରିବାକୁ ଦିଆଯାଇଛି ତାହା ପ୍ରାୟ ୧୫ଶହରୁ ୨ ହଜାର କୋଟି ଟଙ୍କା ହେବ । ଏଥିରୁ କୁହାଯାଉଛି, ବଜେଟର ସବୁ ପ୍ରସ୍ତୁତି ସରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରସ୍ତାବ ଗ୍ରହଣ କରିବା ହୁଏତ ସମ୍ଭବ ହୋଇ ନପାରେ । ବିଜେଡି ମଧ୍ୟ ଏହା ଚାହୁଁଛି । ଅର୍ଥ ବରାଦ ହୋଇଗଲେ କେନ୍ଦ୍ର ଉପରେ ଦୋଷ ଲଦି ରାଜନୀତି କରିବା ସମ୍ଭବ ହୋଇନଥାନ୍ତା । ଅର୍ଥ ନମିଳିଲେ ଯାଇ, ତାକୁ ପ୍ରସଙ୍ଗ କରି ବିଜେଡିକୁ ରାଜନୀତି କରିବାକୁ ମଉକା ମିଳିବ । କେନ୍ଦ୍ର ଦେଲାନି ବୋଲି ରାଜ୍ୟ ସାରା ହୁରି ପକାଇ ବିଜେପି ବିରୁଦ୍ଧରେ ପ୍ରଚାର କରିବାର ସୁଯୋଗ ମିଳିବ । ପ୍ରକୃତରେ ଯଦି ରାଜ୍ୟ ସ୍ୱାର୍ଥ କଥା ନେଇ ଚିନ୍ତା ଥାନ୍ତା, ତେବେ ବହୁ ଆଗରୁ ମୁଖ୍ୟମନ୍ତ୍ରୀ ଏଭଳି ଚିଠି ଲେଖି ପ୍ରସ୍ତାବ ଦେଇପାରିଥାନ୍ତେ ।
ସେହିପରି ମହାନଦୀ ଜଳ ବିବାଦ ପ୍ରସଙ୍ଗ କଥା ଦେଖିଲେ, ଏହା ସମାଧାନ ହେଉ ଏବଂ ଓଡ଼ିଶା ତାର ହକ୍ ପାଉ, ଏହାବି ବିଜେଡି ଚାହୁଁନି ବୋଲି ମଧ୍ୟ କୁହାଯାଉଛି । ମହାନଦୀ ଓଡ଼ିଶାର ଜୀବନଧାରା ପାଲଟି ସାରିିଛି । ଏହା ଅତ୍ୟନ୍ତ ସ୍ପର୍ଶକାତର ବିଷୟ ହୋଇସାରିଛି । ଏହାକୁ ନେଇ ରାଜନୀତି କଲେ ତାହା ବେଶ ମନଛୁଆଁ ହେବ । ମହାନଦୀ ଜଳ ୧୬ଟି ଜିଲ୍ଲାର ଲୋକେ ପ୍ରଭାବିତ ହେବେ । ଏହି ୧୬ ଜିଲ୍ଲା ରାଜ୍ୟ ଲୋକସଂଖ୍ୟାର ସିଂହଭାଗ । ଏଣୁ ସମାଧାନ ହୋଇଗଲେ କିଛି ଫାଇଦା ମିଳିବ ନାହିଁ ।
ପାର୍ଲାମେଣ୍ଟରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ସିଧାସଳଖ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଟ୍ରିବ୍ୟୁନାଲ ପୂର୍ବରୁ ଆପୋଷ ଆଲୋଚନାରେ ସମସ୍ୟାର ଯଦି ସମାଧାନ ହୋଇଗଲା, ତେବେ ଉଭୟ ଓଡ଼ିଶା ଓ ଛତିଶଗଡକୁ ଫାଇଦା ହେବ । ବାସ୍ତବ କ୍ଷେତ୍ରରେ କୋର୍ଟ କଚେରୀର ମାମଲାର ସମାଧାନ ସମୟ ସାପେକ୍ଷ । କାରଣ ଏପର୍ଯ୍ୟନ୍ତ ପୋଲାଭରମ ବିବାଦର ସମାଧାନ ହୋଇପାରିନାହିଁ, କିମ୍ବା କୋର୍ଟରୁ ପ୍ରକଳ୍ପ ବନ୍ଦ ନେଇ ରହିତାଦେଶ ଆଣିବାରେ ରାଜ୍ୟ ସରକାର ସମର୍ଥ ହୋଇପାରି ନାହାନ୍ତି । କିନ୍ତୁ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କଲେ । ବିଧାନସଭାରେ ଆଲୋଚନା ହେଲା । ବିଜେଡି ବିଧାୟକମାନେ ବହୁ ହୋହାଲ୍ଲା କଲେ । ବିଧାନସଭା ଅଚଳ କଲେ । ବହୁବାଦବିଦ ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଗତ ଶୀତ ଅଧିବେଶନ ସମୟରେ ଗଠନ ହେଲା । ଏପରିକି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବି ଗୃହକମିଟି ହୋଇଛି । କିନ୍ତୁ ଏହି ବୈଠକ ଡାକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । କମିଟି ଗଠନ କରି ସେ ନିରବ ରହିଯାଇଛନ୍ତି । ଗୋଟିଏ ପଟେ ରାଜ୍ୟ ସ୍ୱାର୍ଥ କଥା କୁହାଯାଉଛି, ଅନ୍ୟପଟରେ ଏହା କିପରି ହାସଲ ହୋଇପାରିବ, ସମସ୍ତଙ୍କୁ ନେଇ ଲଢ଼େଇ କରିବାକୁ ଯିବା ପାଇଁ
ଆଗ୍ରହ ନାହିଁ । ବିଧାନସଭା ସରିଲାଣି ମାସେ ଉପରେ ହେବ । ଏଯାଏ ଥରୁଟିଏ ବି ବୈଠକ ବସିଲା ନାହିଁ । ଏଥିରୁ ମହାନଦୀ ନେଇ ଓଡ଼ିଶାର ଦାବି ହାସଲ ଦିଗରେ ଆନ୍ତରୀକତା କେତେ ତାହା ସ୍ପଷ୍ଟ ବୋଲି ଆଲୋଚନା ହେଉଛି । ସମାଧାନ ନହେବା ଯାଏ, ତାକୁ ଧରି ରାଜନୀତି କରି ହେବ । ବୋଧହୁଏ ମୁଖ୍ୟମନ୍ତ୍ରୀ ଏହି ଫର୍ମୁଲାକୁ ଭଲଭାବେ ଆପଣେଇଛନ୍ତି ବୋଲି କେହି କେହି କହୁଛନ୍ତି ।
ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ବିଜେଡି ପକ୍ଷରୁ ଏବେ ରାଜ୍ୟବ୍ୟାପୀ ଧାରଣା ଓ ବିକ୍ଷୋଭ ଚାଲିଛି । କେନ୍ଦ୍ର ଓଡ଼ିଶାର ଦାବି ଶୁଣୁନାହିଁ, ଏହି ଧାରଣା ରାଜ୍ୟର ଚାଷୀଙ୍କ ମୁଣ୍ଡରେ ଭରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କ୍ୱିଣ୍ଟାଲ ପିଛା ଧାନର ସହାୟକ ମୂଲ୍ୟ ୨୯୫୦ ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରାଯାଉଛି । କିନ୍ତୁ ଅନ୍ୟ ରାଜ୍ୟମାନଙ୍କ ଭଳି ଓଡ଼ିଶା ସରକାର ନିଜ ଚାଷୀଙ୍କୁ ସହାୟତା ପାଇଁ ବୋନସ୍ ଦେବାର ବ୍ୟବସ୍ଥା କରୁ ନାହାନ୍ତି, କିମ୍ବା ଋଣଛାଡ କରିବା ନେଇ ନାଁ ଧରୁ ନାହାନ୍ତି । ଯେତେବେଳେ ଅନ୍ୟ ରାଜ୍ୟମାନେ ଋଣ ଛାଡ କଲେ, ସେତେବେଳେ ଓଡ଼ିଶାରେ ଦାବି ଉଠୁଥିବାରୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି ବୋଲି କହିଲେ । କିନ୍ତୁ ଅନ୍ୟ ରାଜ୍ୟର ଚାଷୀ ସହାୟତା ପାଇସରିଥିଲା ବେଳେ ଓଡ଼ିଶାର ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନକୁ ମାସ ମାସ ଧରି ଅନାଇ ରହିଛନ୍ତି । ବର୍ତ୍ତମାନ ଏସବୁଥିରୁ ଚାଷୀଙ୍କ ମନ ଏଡାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଢ଼ାଲିବାକୁ ମୂଲ୍ୟବୃଦ୍ଧି କଥାକୁ ନେଇ ଆନ୍ଦୋଳନ ଚଳାଇଥିବା କଥା ଚର୍ଚ୍ଚା ହେଉଛି ।
ବିଜେଡି ପକ୍ଷରୁ ଯୁବ ଓ ଛାତ୍ର ଶାଖା ବ୍ୟାନରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ହଠାତ୍ ଗୁରୁବାର ଆନ୍ଦୋଳନ କରାଯାଇଥିଲା । ଏଥିରେ କୁହାଯାଉଛି, ବିଜେଡି ତୈଳଦର ବୃଦ୍ଧି ନେଇ ଆନ୍ଦୋଳନ ନୂଆ କରୁନାହିଁ, ପୂର୍ବରୁ ବହୁବାର ଆନ୍ଦୋଳନକୁ ଓହ୍ଲାଇଛି । ଯେତେବେଳେ ୩/୪ ଟଙ୍କା ବଢ଼ୁଥିଲା ସେତେବେଳେ ନିରବ ରହୁଥିବା ବିଜେଡି ଏବେ ମଝିରେ ମଝିରେ ୫୦ ପଇସା କିମ୍ବା ଟଙ୍କାଏ ବଢ଼ିଲେ ବି ଆନ୍ଦୋଳନ କରୁଛି । ଏହାପଛରେ ମୁଖ୍ୟ ଉଦେଶ୍ୟ ହେଉଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲୋକଙ୍କ ସମ୍ମୁଖରେ ନିନ୍ଦିତ କରିବା । କାରଣ ତାଙ୍କ ହାତରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ରହିଛି । ଏହି ଆନ୍ଦୋଳନ ଯେତେ କରାଯିବ, ଧର୍ମେନ୍ଦ୍ରଙ୍କୁ ସେତିକି ଅଡୁଆରେ ପକାଯାଇ ପାରିବ ବୋଲି ବିଜେଡି ଭାବୁଛି । ଧର୍ମେନ୍ଦ୍ର ରାଜ୍ୟ ବିଜେପିର ଅଘୋଷିତ ମଙ୍ଗ ଧରିବା ପରଠାରୁ ବିଜେଡିକୁ କଡା ଟକ୍କର ଦେଇ ଚାଲିଛନ୍ତି । ବିଭିନ୍ନ ଘଟଣାରେ ବିଜେଡି ବହୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଜେଡି ପାଇଁ ଆଗାମୀ ଦିନରେ ଧର୍ମେନ୍ଦ୍ର ହିଁ କଣ୍ଟା ହେବାକୁ ଯାଉଛନ୍ତି । ଫଳରେ ଧର୍ମେନ୍ଦ୍ରଙ୍କୁ ବଦନାମ କରିଦେଲେ ଉଦେଶ୍ୟ ସାଧାନ ହୋଇପାରିବ । ଏକଥାକୁ ଭାବି ବିଜେଡି ତୈଳଦର କମ ବଢ଼ୁଥିଲେ ବି ତାକୁ ନେଇ ଆନ୍ଦୋଳନ କରିବାକୁ ପଛାଉ ନାହିଁ ।
ଏସବୁ ଘଟଣାକୁ ଅନୁଧ୍ୟାନ କଲେ, କେବଳ ରାଜନୀତିକ ଲକ୍ଷ୍ୟ ହାସଲ କରିବା ବ୍ୟତୀତ ରାଜ୍ୟର କିମ୍ବା ଜନସାଧାରଣଙ୍କର ବିକାଶ ହେଉ, ବିଜେଡି ତାହା ଚାହେଁ ନାହିଁ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here