ନବୀନଙ୍କ ଦାମ ଫଣ୍ଡା

ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତ ଏବେ ବିଜେଡି ପାଇଁ ଅଲୋଡା । ବ୍ରାହ୍ମଣଙ୍କ ସଂପର୍କରେ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବାରୁ ତାଙ୍କର ମନ୍ତ୍ରୀ ପଦ ସାଙ୍ଗକୁ ଦଳୀୟ ପଦପଦବୀ ବି ଯାଇଛି । ବିଜେଡିରେ କୋଣଠେସା ହୋଇଥିବା ଏହି ନେତାଙ୍କ ଫଣ୍ଡା କିନ୍ତୁ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆପଣାଇଛନ୍ତି । ଯେଉଁଥିପାଇଁ ବିଜୁ ବାବୁଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ଉନ୍ମୋଚନୀ ଉତ୍ସବରେ ନବୀନଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବେ ଦକ୍ଷିଣପନ୍ଥୀ, ବାମପନ୍ଥୀ ଓ ଲୋହିଆ-ଜେପିଙ୍କ ପଟ୍ଟଶିଷ୍ୟ । ପ୍ରବାଦ ପୁରୁଷଙ୍କ ବିଜୁ ବାବୁଙ୍କ ସହ କାର୍ଯ୍ୟ କରିଥିବା ବିଭିନ୍ନ ଦଳର ଜାତୀୟସ୍ତରୀୟ ନେତା ଆଗାମୀ ୨୭ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ଯୋଗଦେବା ପାଇଁ ସମ୍ମତି ଦେଇଛନ୍ତି ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକରାରେ ରାଜନୀତିକୁ ଆସିଥିଲେ ଡାକ୍ତର ଦାମୋଦର ରାଉତ । ବିଜୁ ବାବୁଙ୍କୁ ନିର୍ଦ୍ଦିଷ୍ଟ ଦଳ ମଧ୍ୟରେ ସୀମାବଦ୍ଧ ନ ରଖିବା ପାଇଁ ଓ ସେ ଜଣେ ରାଷ୍ଟ୍ରନାୟକ ଭାବରେ ପରିଚିତ ଥିବାରୁ ଏହି ଧାରାକୁ ବଜାୟ ରଖିବା ପାଇଁ ଡାକ୍ତର ରାଉତ ଅତୀତରେ ଉଦ୍ୟମ କରିଥିଲେ । ଏଥିପାଇଁ ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ସହ କାର୍ଯ୍ୟ କରିଥିବା ଦେଶର ବିଭିନ୍ନ ଦଳର ପ୍ରତିଷ୍ଠିତ ନେତାଙ୍କୁ ଆମନ୍ତ୍ରଣ କରିବା ପାଇଁ ଘୋଷଣା କରିଥିଲେ । ଏପରିକି ସେମାନଙ୍କ ନିକଟକୁ ନିମନ୍ତ୍ରଣ ପଠାଇବା ପାଇଁ ବ୍ୟବସ୍ଥା ମଧ୍ୟ କରିଥିଲେ । ଲାଲୁ ପ୍ରସାଦ ଯାଦବ, ମମତା ବାନାର୍ଜୀ, ନୀତୀଶ କୁମାର, ରାମବିଳାସ ପାସ୍ୱାନ୍, ମୁଲାୟମ ସିଂ ଯାଦବ, ଏଚ.ଡି ଦେବଗୌଡ଼ା, ଶରଦ ଯାଦବଙ୍କ ଭଳି ପ୍ରତିଷ୍ଠିତ ନେତାମାନଙ୍କୁ ଡାକିବା କଥା ଉଠାଇଥିଲେ । ଏପରି ପଦକ୍ଷେପ ନେଇ ସେ ଜଣାଇବାକୁ ଚାହିଁଥିଲେ ଯେ, ବିଜୁ ବାବୁ କେବଳ ବିଜେଡିର ନୁହଁନ୍ତି । ସେ ଦଳମତରୁ ଢେର ଊଦ୍ଧ୍ୱର୍ରେ । କିନ୍ତୁ ତାଙ୍କର ଏହି ଉଦ୍ୟମକୁ ବିଜେଡି ଭିତରୁ ତୀବ୍ର ବିରୋଧ କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦାମଙ୍କ ଏହି କାର୍ଯ୍ୟ ସହ ସହମତ ହୋଇ ନଥିଲେ । ଏଥିଯୋଗୁ ଡାକ୍ତର ରାଉତ ବାଧ୍ୟ ହୋଇ ଜାତୀୟ ସ୍ତରର ନେତାଙ୍କୁ ଡାକିବାରୁ ବିରତ ରହିଲେ । ହେଲେ ନିଜ ଜିଦ୍ ରଖିବା ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଜୁ ଶତବାର୍ଷିକୀ ଉତ୍ସବ କରି ବିଜୁ ବାବୁଙ୍କ ସହ କାମ କରିଥିବା ରାଜ୍ୟର ଅନ୍ୟଦଳର ନେତାମାନଙ୍କୁ ଡାକିଥିଲେ । ବିରୋଧୀ ଦଳର ନେତା ନରସିଂହ ମିଶ୍ର ଓ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ଅନ୍ୟମାନଙ୍କୁ ଡାକି କାର୍ଯ୍ୟକ୍ରମ କରିଥିଲେ । ସେତେବେଳେ ତାଙ୍କର ଏହି ପଦକ୍ଷେପକୁ କାହିଁକି ବିରୋଧ କରାଗଲା ତାହା ବୁଝା ପଡିଲା ନାହିଁ । କିନ୍ତୁ ସାଧାରଣରେ ଓ ବୁଦ୍ଧିଜୀବୀ ମହଲରେ ଡ଼ା. ରାଉତଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଆଉ ବିରୋଧୀ ସବୁ ବେଳେ ବିଜେଡିକୁ ଏଥିନେଇ ସମାଲୋଚନା କରି ଆସୁଥିଲେ । ବିଜୁ ପଟ୍ଟନାୟକଙ୍କୁ ରାଷ୍ଟ୍ର ନାୟକ ଭାବେ ମାନ୍ୟତା ଦେବାକୁ ବିଜେଡି ଚାହୁଁ ନାହିଁ ବୋଲି ଅଭିଯୋଗ ଉଠିଥିଲା । ବିଜେଡିର କ୍ଷମତା କେନ୍ଦ୍ର ସାଜିଥିବା ନେତା ଓ ଅଧିକାରୀମାନଙ୍କ ସହ ଦାମୋଦର ରାଉତଙ୍କ ଉତ୍ତମ ସମ୍ପର୍କ ନଥିବାରୁ ସେମାନେ ବିରୋଧ କରିଥିବା କୁହାଯାଉଥିଲା । କାରଣ ଏହାଦ୍ୱାରା ଦାମୋଦର ରାଉତ ବିଜୁ ବାବୁଙ୍କୁ ସର୍ବମାନ୍ୟ ନେତା ଭାବେ ପ୍ରତିପାଦିତ କରିବାରେ ସଫଳ ହେଲେ ବୋଲି ପ୍ରଚାର ହୋଇଥାନ୍ତା ଓ ସବୁ ଶ୍ରେୟ ତାଙ୍କ ଆଡକୁ ଯାଇ ଥାନ୍ତା । ନବୀନ ପୁଅ ହୋଇ ଯାହା କରିପାରିଲେ ନାହିଁ, ତାହା ଡାକ୍ତର ରାଉତ କରିପାରିଲେ ବୋଲି ସମସ୍ତେ କହିଥାନ୍ତେ । ଆଉ କେହି କେହି କହିଲେ ଯେଉଁମାନଙ୍କୁ ଡାକିବା ପାଇଁ ଡା. ରାଉତ କହିଥିଲେ, ସେମାନେ ସମସ୍ତେ ବିଜେପିି ବିରୋଧୀ ହୋଇଥିବାରୁ ବିରୋଧ କରାଗଲା । କାରଣ ସେତେବେଳେ ବିଜେପି ସହ ବିଜେଡିର ତିକ୍ତତା ଏତେ ବ୍ୟାପକ ହୋଇ ନଥିଲା । ଯଦି ଏସବୁ ନେତାଙ୍କୁ ଡାକି ବିଜେଡି ଫୋରମରେ ସଭା କରାଯିବ,ତେବେ ହୁଏତ ବିଜେପି ଖପ୍ପା ହେବ । ଏଥିଲାଗି କୁଆଡେ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ନଥିଲା ।
ଏବେ ଦାମ ବାବୁଙ୍କ ଫଣ୍ଡା ଆପଣେଇ ନବୀନ ତାଙ୍କ ବାପା ବିଜୁ ବାବୁଙ୍କ ସହ କାମ କରିଥିବା ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି । ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଲାଗି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସିପିଏମ ନେତା ସୀତାରାମ ୟେଚୁରୀ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଆସିବା ପାଇଁ ସମ୍ମତିି ଦେଇଥିବା କୁହାଯାଉଛି । ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ, ଜେଡିୟୁର ପୂର୍ବତନ ସଭାପତି ଶରଦ ଯାଦବ ଓ ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ଡକାଯାଇଛି ।
ଏହାଦ୍ୱାରା ନବୀନ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ବିଜୁ ବାବୁ କୌଣସି ନିର୍ଦ୍ଦିଷ୍ଟ ଦଳର ନୁହନ୍ତି । ବାସ୍ତବିକ ସେ ଜଣେ ଆଦର୍ଶ ନେତା ଓ ଜନନାୟକ । ଦେଶର ଏସବୁ ପ୍ରତିଷ୍ଠିତ ନେତାମାନେ ଓଡିଶା ଆସି ବିଜୁ ବାବୁଙ୍କ ପ୍ରଶଂସା ଗାନ କରିବେ । ଏଥିରେ ଉଭୟ ରାଜନୈତିକ ସ୍ୱାର୍ଥ ସାଧନ ସହ ବିଜୁ ବାବୁଙ୍କୁ ସମଗ୍ର ଦେଶରେ ଜଣେ ଜାତୀୟବାଦୀ ନେତା ଭାବେ ପ୍ରତିପାଦିତ କରିହେବ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦେଶର ଏତେସଂଖ୍ୟକ ପ୍ରତିଷ୍ଠିତ ନେତା ଆସି ବିଜୁ ବାବୁଙ୍କ ଗୁଣଗାନ କରି ଯିବା ପରେ ଏହା ବିଜେଡି ପାଇଁ ବେଶ ଲାଭଦାୟକ ହେବ ବୋଲି କୁହାଯାଉଛି । ହେଭିୱେଟ ନେତାମାନେ ଆସୁଥିବାରୁ ଗଣମାଧ୍ୟମରେ ଏହାର ପ୍ରଚାର ପ୍ରସାର ମଧ୍ୟ ଜୋରଦାର ହେବ । ଏସବୁ ଦୃଷ୍ଟିକୁ ବିଚାର କରି ନବୀନ ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ବିଜୁଙ୍କୁ ଆଗକୁ ଠେଲି ପୁଣି ରାଜନୈତିକ ଫାଇଦା ହାସଲ କରିବା ଲାଗି ଏହା ଏକ ସୁଚିନ୍ତିିତ ଯୋଜନା ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here