ନବୀନଙ୍କ କଣ୍ଟା ସ୍ୱୟଂସେବକ ପ୍ରସନ୍ନ

https://www.facebook.com/nnsodia/videos/267154983995629/?t=5

ବରଗଡ: ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ଦେଖିବ ଉପନିର୍ବାଚନ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ନିଶ୍ଚିତ ପ୍ରଭାବିତ କରିବ । କିନ୍ତୁ ବିଜେପୁର ଭୋଟର ପ୍ରଥମ ଥର ଉପନିର୍ବାଚନ ଦେଖୁ ନାହାନ୍ତି । ୧୯୯୧ରେ ଜନତା ଦଳ ବିଧାୟକ ନିକୁଞ୍ଜ ବିହାରୀ ସିଂଙ୍କ ଅକାଳ ବିୟୋଗ ପରେ ବିଜେପୁରରେ ହୋଇଥିଲା ଉପନିର୍ବାଚନ । ଆଉ ସେତେବେଳେ ନିକୁଞ୍ଜ ସିଂଙ୍କର ସ୍ତ୍ରୀ କିଶୋରମଣି ସିଂ ଜନତା ଦଳରୁ ଲଢ଼ି ବିଜୟୀ ହୋଇଥିଲେ । ସମବେଦନା ସ୍ରୋତ ବୋହିଥିଲା କିଶୋରମଣିଙ୍କ ସପକ୍ଷରେ । ଏବେର ସ୍ଥିତ ମଧ୍ୟ ସେହିପରି । ହେଲେ ଏବେ ଶାସକ ଦଳ ଜିତିବା ଏତେ ଜରୁରୀ ହୋଇପଡିଛି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିବଂଗତ ସୁବଳ ସାହୁଙ୍କ ପରିବାରକୁ ଭରସିଛନ୍ତି । ତେଣୁ  ନୈତିକତାକୁ ବନ୍ଧା ପକାଇ କଂଗ୍ରେସରୁ ତିନି ତିନି ଥରର ବିଧାୟକ ସୁବଳଙ୍କ ସ୍ତ୍ରୀ ରୀତାଙ୍କୁ ବିଜେଡିର ପ୍ରାର୍ଥୀ କରିବାକୁ ଯାଉଛନ୍ତି । କାରଣ ଓଡ଼ିଶାର ଭୋଟର ସାଧାରଣତଃ ଉପନିର୍ବାଚନରେ ଦିବଙ୍ଗତ ନେତାଙ୍କ ପରିବାର ପ୍ରତି ଆସ୍ଥା ପ୍ରକଟ କରିବାର ନଜିର ରହିଛି  । ତେଣୁ ରୀତାଙ୍କ ଜରିଆରେ ବିଜେପୁରକୁ ଅକ୍ତିଆର କରିବା ମୁଡ୍୍ରେ ନବୀନ । ଆଉ ପ୍ରଚାରର ନିଅଁ ପକାଇବାକୁ ନବୀନ ପଟ୍ଟନାୟକ ଆଗାମୀ ୨୧ ତାରିଖରେ ବିଜେପୁର ଯାଉଛନ୍ତି । ହେଲେ କେଁ ପୂରାଉଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । କାରଣ ବିଜେପୁର ବିଧାନସଭା ନିର୍ବାଚନ ନେଇ ପୂର୍ବରୁ ହାଇକୋର୍ଟରେ ଚାଲିଥିବା ମାମଲାକୁ ପ୍ରତ୍ୟାହାର କରିବା ମୁଡରେ ନାହାନ୍ତି ପ୍ରସନ୍ନ ।
୨୦୧୪ ନିର୍ବାଚନରେ ବିଜେପରୁରୁ ସୁବଳ ସାହୁ ଜିତିବା ନେଇ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ୪୫୮ଟି ଭୋଟରେ ପରାସ୍ତ ହୋଇଥିବା ପ୍ରସନ୍ନ ବାବୁ ବିଜେପୁର ନିର୍ବାଚନରେ ଅନିୟମିତ ହୋଇଛି ବୋଲି ଅଭିଯୋଗ ଆଣିଲେ । ଏଭିତରେ ନିଜେ ରାଜ୍ୟସଭା ସାଂସଦ ହୋଇ ଦିଲ୍ଲୀ ଗଲେଣି ପ୍ରସନ୍ନ । ଆଉ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ହୋଇଛି । କିନ୍ତୁ ରାୟବାହାଦୁର କୃତାର୍ଥ ଆଚାର୍ଯ୍ୟଙ୍କ ପୁଅ ପ୍ରସନ୍ନ ନଛୋଡବନ୍ଦା । ୨୦୧୪ରେ ବିଜେପୁର ନିର୍ବାଚନରେ ଅନିୟମିତ ହୋଇଥିଲା କି ନାହିଁ ସେକଥା ହାଇକୋର୍ଟଙ୍କ ରାୟ ନଆସିଲା ଯାଏଁ ପ୍ରସନ୍ନ ମାମଲାରୁ ହଟିବେ ନାହିଁ ବୋଲି ଇସାରା ଦେଇଛନ୍ତି । ପ୍ରସନ୍ନଙ୍କ ଏମିତି ଜିଦ୍ ନବୀନ ପଟ୍ଟନାୟକଙ୍କ ଅକଲ ଗୁଡମ୍ କରି ଦେଲାଣି । ଅସଲ କଥା ହେଲା ପ୍ରସନ୍ନ ଆଚାର୍ଯ୍ୟଙ୍କ ରୋଷ ନବୀନଙ୍କ କୋର ଟିମ୍ ଉପରେ । ତାଙ୍କୁ ଅଣଦେଖା କରି ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିଜେପୁର ଉପନିର୍ବାଚନର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରଶାସକ । ଯାହାକୁ ନେଇ ବିଗିଡି ଯାଇଛନ୍ତି ବାବୁ ପ୍ରସନ୍ନ । ଆଉ ସୁବଳ ସାହୁଙ୍କ ପରିବାରର ବିଜେଡିରେ ମିଶ୍ରଣ ପର୍ବକୁ ବୟକଟ୍ କଲେ ପଶ୍ଚିମ ଓଡିଶାର ଆତ୍ମଘୋଷିତ ଚାଣକ୍ୟ ପ୍ରସନ୍ନ ଆଚାର୍ଯ୍ୟ । ରୀତାଙ୍କୁ ନେଇ ବିଜୁ ଜନତା ଦଳରେ ଅସନ୍ତୋଷ ରହିଛି ବୋଲି ପ୍ରସନ୍ନ ହିଁ ପ୍ରଥମେ ମେସେଜ୍ ଛାଡିଦେଲେ । ବାଧ୍ୟ ହୋଇ ବରଗଡର ବିଜେଡି ନେତାଙ୍କୁ ଜଣକ ପରେ ନବୀନ ବୁଝାଇବାକୁ ଲାଗିଲେ । ଅବଶ୍ୟ ପ୍ରସନ୍ନ ରାଗିବା ମଧ୍ୟ ସ୍ୱାଭାବିକ । କାରଣ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ତାଙ୍କ ବଡ ଭାଇ ସମ୍ବିତ ଚାହୁଁଥିଲେ କାକା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୁଣି ବିଜେପୁରରୁ ଲଢନ୍ତୁ । କାରଣ ପ୍ରସନ୍ନ ଜିତିଲେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି । ହେଲେ ବିଜେଡି ସୁପ୍ରିମୋ ନବୀନ, ପ୍ରସନ୍ନଙ୍କୁ ଲଢାଇ ଆଉ ରିସ୍କ ନେବାକୁ ଚାହୁଁ ନାହାନ୍ତି । ସେପଟେ  ଏହାକୁ ନେଇ ପ୍ରସନ୍ନ ରାଗି ଯାଇଛନ୍ତି । ଏଥିପାଇଁ ନବୀନଙ୍କୁ ପାନେ ଦେବାକୁ ହାଇକୋର୍ଟରୁ ନିର୍ବାଚନୀ ମାମଲା ପ୍ରତ୍ୟାହାର କରୁନାହାନ୍ତି ବୋଲି ଚର୍ଚ୍ଚା ।
ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର-ବରପାଲି, ଗାଇସିଲଟ ବ୍ଲକ ଏବଂ ବରପାଲି ଏନଏସିରେ ରାଜନୈତିକ ସ୍ଥିତି ବଡ ରୋଚକ । ସୁବଳ ସାହୁ ଲଗାତର ଜିତିବା ପଛରେ ବିଜେଡିର ବିଭୀଷଣଙ୍କ ଢେର ଭୂମିକା ରହିଥିଲା । କୁହାଯାଏ, ୨୦୦୪ରେ ବିଜେଡି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ହାରିବା ପଛରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ରହିଛି; ସେହିପରି୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରଭାତ ଆଦିତ୍ୟ ମିଶ୍ର ହାରିବା ଲାଗି ଅଶୋକ ପାଣିଗ୍ରାହୀ ଓ ଆଚାର୍ଯ୍ୟ ପରିବାର ହିଁ ଦାୟୀ । ଆଉ୨୦୧୪ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ହାରିବା ପଛରେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ଓ ଅନଙ୍ଗ ଉଦୟ ସିଂହ ଦେଓଙ୍କ ଭୂମିକା ରହିଛି ବୋଲି ଆଲୋଚନା ହୁଏ । ଯେଉଁଥିପାଇଁ ପ୍ରତିଶୋଧ ନେବାକୁ ଆଗାମୀ ଉପନିର୍ବାଚନରେ ରୀତା ସାହୁଙ୍କ ଲାଗି ପ୍ରସନ୍ନ ଆଚାର୍ଯ୍ୟ କଣ୍ଟା ହେଲେଣି । ଏମିତି ବି ବିଜେପୁରରେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ତର୍ଜମା କଲେ ଲାଗୁଛି ଆଗାମୀ ବିଧାନସଭା ଉପନିର୍ବାଚନରେ ବିଜେପି ହାରିବା କଥା ନୁହେଁ । ପଞ୍ଚାୟତ ନିର୍ବାଚନରେ ବିଜେପୁର ବିଧାନସଭା କ୍ଷେତ୍ରରୁ ବିଜେପିକୁ ୯୧ ହଜାର ୬୮୮ଟି ଭୋଟ, ବିଜେଡିକୁ ୪୪ ହଜାର ୧୧୦ ଏବଂ କଂଗ୍ରେସକୁ ୨୭ ହଜାର ୯୬୪ଟି ଭୋଟ ମିଳିଥିଲା । ତେଣୁ  ଏସବୁର ହିସାବକିତାବ କରି ନବୀନଙ୍କୁ ପାନେ ଦେଇ ରାଗ ଶୁଝାଇବା ମୁଡରେ ସ୍ୱୟଂସେବକ ପ୍ରସନ୍ନ ଆଚାର୍ଯ୍ୟ ଅଛନ୍ତି ବୋଲି ବିଜେପୁରରେ ଆଲୋଚନା ହେଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here