ନବୀନଙ୍କୁ ଦାମଙ୍କ ପ୍ରଶ୍ନ, ନୈତିକତା ଗଲା କୁଆଡେ?

4

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ସବୁବେଳେ ନୈତିକତାକୁ ଗୁରୁତ୍ୱ ଦିଅନ୍ତି । ହେଲେ ତାଙ୍କର ଜଣେ ଅଧସ୍ତନ କର୍ମଚାରୀ ତାଙ୍କ ବିଶ୍ୱାସ ଭାଜନ ହେବା କଥା । କିନ୍ତୁ ତାଙ୍କୁ ବିରୋଧ କରିବାକୁ ଯାଇ ଏତେ ସମାଲୋଚନା ହେଉଛି । ସତ ଥାଉ ନଥାଉ ନୈତିକତା ଦୃଷ୍ଟିରୁ ଅପସାରଣ କରିଦେଲେ କ୍ଷତି କଣ ହେବ ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସରକାରୀ ଭାସଭବନରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀଙ୍କ ଭଙ୍ଗାରୁଜ୍ଜା ଘଟଣାରେ ଗଣମାଧ୍ୟମରେ ଏପରି ମନ୍ତବ୍ୟ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

ପାଣ୍ଡିୟାନ୍ଙ୍କ ବାସଭବନରେ ଭଙ୍ଗାରୁଜା କରାଯିବା ଘଟଣାକୁ ଡାକ୍ତର ରାଉତ ନିନ୍ଦା କରିବା ସହ ବିଜେପି ଏବେ କ୍ଷମତା ନିଶାରେ ଏଭଳି ଶାଳୀନତା ଟପିଯାଉଛି ବୋଲି କହିଛନ୍ତି । ବିଜେପି ସ୍ଥିତି ଏବେ ଏମିତି ଅବସ୍ଥାରେ ରହିଛି ଯେ ତାକୁ ସାଧାରଣ ଲୋକ ଗ୍ରହଣ କରୁନାହାନ୍ତି କି କରିବେ ନାହିଁ । ରାଜନୀତିକ ଶାଳୀନତାକୁ ବିଜେପି ଭୁଲି ଯାଇଛି । ରାଜନୀତିକ ଦଳ ହୋଇଥିଲେ ଏମିତି ଜଣେ ସରକାରଙ୍କ ଅଧସ୍ତନ କର୍ମଚାରୀଙ୍କ ଘରେ ପଶି ଭଙ୍ଗାରୁଜା କରିନଥାନ୍ତା । ରାଜନୀତିକସ୍ତରରେ ତାଙ୍କର ସାମ୍ନା କରିଥାନ୍ତେ । ସେ ସାମର୍ଥ୍ୟ ବିଜେପିର ନାହିଁ । ତେବେ ସେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋର୍ଟକୁ ବଲ୍ ଫିଙ୍ଗି କହିଛନ୍ତି ଯେ, ନୈତିକତା ଆଧାରରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ନୈତିକତାକୁ ଦୃଷ୍ଟି ଦେଇଥାନ୍ତି । ତାଙ୍କୁ ମଧ୍ୟ ନୈତିକତା ଆଧାରରେ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡ଼ିଛି । ଯଦି ମୁଖ୍ୟମନ୍ତ୍ରୀଙ୍କର ଅଧସ୍ତନ କର୍ମଚାରୀଙ୍କ ବିରୋଧରେ କିଛି ଅଭିଯୋଗ ଆସୁଛି, ସେଥିରେ ସତ୍ୟତା ଥାଉ ଅବା ନଥାଉ କିମ୍ବା ତାହା ପ୍ରାୟୋଜିତ ହୋଇଥାଉ । ସେହି କର୍ମଚାରୀ ଯେହେତୁ ବିବାଦୀୟ ହେଉଛନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ ନୈତିକତା ଆଧାରରେ ଅପସାରଣ କଲେ କ୍ଷତି କ’ଣ ବୋଲି ଡାକ୍ତର ରାଉତ ମତ ଦେଇଛନ୍ତି । ତେବେ ପାଣ୍ଡିଆନ୍ଙ୍କୁ ଅପସାରଣ ଭଳି ମନ୍ତବ୍ୟ ଦେଇ ଡାକ୍ତର ରାଉତ ରାଜନୀତିକ ଉଷ୍ମତା ବଢ଼ାଇଥିବାବେଳେ ଏବେ କ୍ଷମତା ହାସଲ ପାଇଁ ଏଭଳି ଶାଳୀନତା ବିହୀନ କାର୍ଯ୍ୟ କରିଚାଲିଛି ବୋଲି କହି ବିଜେପିକୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here