ଧର୍ମେନ୍ଦ୍ର ଓ ବିଜେଡି ଯୁବ ନେତା ଟକ୍ରା ଟକ୍ରି

1

ଭୁବନେଶ୍ୱର, ୧୦.୬.୨୦୧୮: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଏବେ ଟକରା ଟକରି ଜୋରଦାର ହୋଇଛି । ପରସ୍ପରକୁ ଆକ୍ଷେପ ଓ ପତ୍ୟାକ୍ଷେପ ଜାରି ରହିଛି । ଧର୍ମେନ୍ଦ୍ରଙ୍କୁ ଘେରିବା ପାଇଁ ବିଜେଡି ଯୁବ ବାହିନୀ ପୁରା ତୟାର ହୋଇ ଆଗକୁ ବାହାରିଛନ୍ତି । ଉଭୟଙ୍କ ମଧ୍ୟରେ ଆହ୍ୱାନ ଓ ପ୍ରତିଆହ୍ୱାନ ଚାଲିଛି । କେନ୍ଦ୍ର ବିଜେପି ସରକାରଙ୍କ ଚାରିବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସି ଦେଶବାସୀଙ୍କ ଉଦ୍ଦେଶ୍ୟରେ ତଥ୍ୟ ରଖି ଯିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୭ ତାରିଖରେ ଓଡ଼ିଶାଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ସାମ୍ବାଦିକ ସମ୍ମିଳନୀ ଡାକି ଏହି ୪ ବର୍ଷ ମଧ୍ୟରେ ଓଡ଼ିଶାକୁ କେତେ ଅର୍ଥ ବିଭିନ୍ନ କ୍ଷେତ୍ରରେ ଦିଆଯାଇଛି ଓ କେଉଁ କେଉଁ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି ତାହାର ସବିଶେଷ ହିସାବ ଦେବା ସହ ତଥ୍ୟମାନ ରଖିଥିଲେ । ଧର୍ମେନ୍ଦ୍ର ଦେଇଥିବା ହିସାବ ଭୁଲ୍ ବୋଲି ପରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଜଣାଇଲା । ବିଜେଡି ନେତା ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅରୁଣ ସାହୁ ଓ ସଂଜୟ କୁମାର ଦାସବର୍ମା ଧର୍ମେନ୍ଦ୍ରଙ୍କ ତଥ୍ୟକୁ ଭୁଲ ବୋଲି କହିଥିଲେ । ଏହାପରେ ଧର୍ମେନ୍ଦ୍ର ଚୁପ୍ ନବସି ପାଲଟା ଜବାବ ଦେବା ସହ ବିଜେଡି ନେତାମାନଙ୍କୁ କଳା ପାହାଡ଼ ବୋଲି କହି ଆକ୍ଷେପ କରିବା ପରେ ପୁଣି ବିଜେଡି ନେତାମାନେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏପରିକି ଧର୍ମେନ୍ଦ୍ର ସେମାନଙ୍କୁ ଚା’ ପାର୍ଟିକୁ ଆସି ତାଙ୍କଠୁ ତଥ୍ୟ ନେବା ପାଇଁ ଆହ୍ୱାନ ଦେବା ପରେ ସେମାନେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ।
ଧର୍ମେନ୍ଦ୍ର ତୃତୀୟ ମହଲାକୁ ଟାର୍ଗେଟ କରି କହିଛନ୍ତି, “ ସାଢ଼େ ୪କୋଟି ଓଡ଼ିଆ ଲୋକଙ୍କର ଶାସନ କେନ୍ଦ୍ର ହେଲା ତୃତୀୟ ମହଲା । କଳା ପହାଡ଼ମାନେ ଆଜି ତୃତୀୟ ମହଲାକୁ ଜବରଦଖଲ କରିଛନ୍ତି ବୋଲି କହିଛନ୍ତି । ଧର୍ମେନ୍ଦ୍ର ଗଣମାଧ୍ୟମରେ ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲେ ବିଜେଡି ନେତାମାନେ ତାହା ମିଛ ବୋଲି କହିଥିଲେ । ଧର୍ମେନ୍ଦ୍ର କହିଥିଲେ ଜାତୀୟ ରାଜପଥ ଅଧିନରେ ୫ହଜାର ୫୦୦ କିଲୋମିଟର ମଧ୍ୟରୁ ପୋଷ୍ଟାଲ ହାୱେ ପାଇଁ ୨୫୦୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଅନୁମୋଦନ ପାଇଁ କେନ୍ଦ୍ର ପଠାଇଥିବା ପ୍ରସ୍ତାବର ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ି ରହିଛି । ଏକଥା ଯଦି ଭୁଲ୍ ତାହେଲେ ସେ କ୍ଷମା ମାଗିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ରେଳବାଇରେ ୪ ବର୍ଷରେ ୨୦ ହଜାର କୋଟିର ଅନୁଦାନ । ୪୦ ଲକ୍ଷ ଲୋକଙ୍କ ଘରକୁ ବିଜୁଳି ସଂଯୋଗ ପାଇଁ ଅନୁଦାନ ଦେବା କଥା ଯଦି ଭୁଲ୍ ହୋଇଥାଏ ସେ କ୍ଷମା ମାଗିବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ । ଉଜ୍ଜ୍ୱଳା ଯୋଜନା, ଏନ୍ଆରଜିଏସ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେ ସହାୟତା ମିଳିଛି ସେ କଥା ସତ କହିବାକୁ ଆହ୍ୱାନ ଦେଇଥିଲେ । ସବୁ କଥାକୁ ବିଜେଡି ନେତା କଟି ଦେଇଥିବାରୁ ଧର୍ମେନ୍ଦ୍ର ସେମାନଙ୍କୁ କହିଛନ୍ତି “ ମୁଁ ଆପଣମାନଙ୍କ ମନର କଷ୍ଟ କଥା ବୁଝି ପାରୁଛି । ଆପଣ ଘୋଷିତ ଶବ୍ଦର ପାରା ଯାହା କଥା ଆପଣ ଶୁଣୁଛନ୍ତି, କା’ରେ ଯେଉଁମାନେ ଶାସନ ଚଳାଉଛନ୍ତି ଓ କଳାପାହାଡ଼ମାନେ ଯାହା କହିବେ ଆପଣ ତାକୁ ଗଣମାଧ୍ୟମରେ କହିବାକୁ ବାଧ୍ୟ ।”
ଧର୍ମେନ୍ଦ୍ରଙ୍କ ଏହି କଳାପାହାଡ଼ ଆଖ୍ୟା ଉପରେ ତାଙ୍କୁ ପାଲଟା ଆକ୍ଷେପ କରି ଅରୁଣ ସାହୁ କହିଛନ୍ତି, “ କଳାପାହାଡ଼ ଓଡ଼ିଶାରେ ଜନ୍ମ ନେଇ ବାହାରକୁ ଯାଇ ଓଡ଼ିଶା ପ୍ରତି ଦାଉ ସାଜିଥିଲା । ତେଣୁ କଳାପାହାଡ଼ ଉପରେ ଗୋଟେ ପ୍ରବାଦ ଅଛି “ଆସିଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି ।” ଏଣୁ ଯେଉଁମାନେ ମହାନଦୀ ପାଣି ଶୁଖାଇଛନ୍ତି । ମହାନଦୀ ପାଣି ପିଇ ଦେଇଛନ୍ତି । ସେମାନେ ଓଡ଼ିଶାର କଳାପାହାଡ଼ ।
ଧର୍ମେନ୍ଦ୍ର କହିଛନ୍ତି, “ଯେଉଁମାନେ ଏକଥା କହୁଛନ୍ତି ସେମାନେ ମୋର ବନ୍ଧୁ । ସେମାନେ ତାଙ୍କର ତୃତୀୟ ମହଲାର ଅନୁମତି ନେଇ ମୋ ପାଖକୁ ଆସିଲେ । ମୁଁ ତାଙ୍କୁ ସବୁ ତଥ୍ୟ ପ୍ରମାଣ ସହ ବୁଝାଇବି ଓ ଚା’ ବି ପିଆଇବି । ସେମାନେଙ୍କୁ ଯାହା କୁହାଯାଉଛି ସେମାନେ କହୁଛନ୍ତି । ବୁଝିଲା ପରେ ବି ଅବୁଝା ହୋଇ କହୁଛନ୍ତି ।”
ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟରେ ପ୍ରତିକ୍ରିୟା ରଖି ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି, “ ବିଜେପି ବା କେନ୍ଦ୍ରମନ୍ତ୍ରୀଙ୍କ ସହ ତର୍କ କରିବା ପାଇଁ କେଉଁଠୁ ଅନୁମତିର ଆବଶ୍ୟକ ନାହିଁ । ଚା” ପିଇବା କଥାରେ ଧର୍ମେନ୍ଦ୍ରଙ୍କୁ କହିଛନ୍ତି, ବ୍ୟକ୍ତିଗତ ଭାବେ ଆପଣଙ୍କ ଘରେ କାହିଁକି ଆଲୋଚନା ହେବ । ସମୁହରେ ଆଲୋଚନା ହେଲେ ଭଲ । ଖୋଲା ବିତର୍କକୁ ଆମେ ଦୃଢ଼ତାର ସହ କେନ୍ଦ୍ରମନ୍ତ୍ରୀ ଆହ୍ୱାନକୁ ସ୍ୱୀକାର କରୁଛୁ ।”

LEAVE A REPLY

Please enter your comment!
Please enter your name here