ଦୋମୁହାଁ ନୀତି

ଢ଼େର ଦିନ ହେବ ଜାତୀୟ ଦଳରୁ ବାଦ ପଡିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ୍ ପଠାନ । ଫଳରେ ଅର୍ଥ ଉପାର୍ଜନର ଏକମାତ୍ର ମାଧ୍ୟମ ସାଜିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ । ବର୍ଷକୁ ଥରେ ଏଥିରୁ ଯାହା ମିଳୁଛି ସେଥିରେ ସବୁ ସଉକ ପୁରଣ କରିବା ତାଙ୍କ ଲାଗି ସମ୍ଭବ ହେଉନି । ଯଦ୍ୱାରା ବିଦେଶୀ ଟି-୨୦ ଲିଗ୍ ଖେଳିବାକୁ ସେ ମନସ୍ତ କରିଥିଲେ । ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏକ ବିଦେଶୀ ଟି-୨୦ ଲିଗ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ ୟୁସୁଫ । ହେଲେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୋମୁହାଁ ନୀତି ଯୋଗୁ ୟୁସୁଫ୍ଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ପ୍ରଥମେ ତାଙ୍କୁ ଏନ୍ଓସି ମିଳିଲା, ଏବେ ପ୍ରତ୍ୟାହାର କରିନେଲା ବିସିସିଆଇ । ଫଳରେ ୟୁସୁଫ୍ଙ୍କ ଆଶା ଅଧାଅଧୁରା ରହିଗଲା । ଆଇପିଏଲ ଲାଗି ପ୍ରସ୍ତୁତ ହେବା ପାଇଁ ୟୁସୁଫ ହଂକଂ ଟି-୨୦ ଲିଗ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ତାଙ୍କୁ ନିରାଶ ହେବାକୁ ପଡିଛି । ମାର୍ଚ୍ଚ ୮ରୁ ୧୨ ପର୍ଯ୍ୟନ୍ତ ହଂକଂ ଟି-୨୦ ଲିଗ ଖେଳିବାକୁ ତାଙ୍କୁ ଅନୁମତି ମିଳିବା ପରେ ବିସିସିଆଇ ଓ ବରୋଦା କ୍ରିକେଟ ଆସୋସିଏସନକୁ ୟୁସୁଫ ଧନ୍ୟବାଦ ଦେଇଥିଲେ । ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏକ ବିଦେଶୀ ଲିଗରେ ଖେଳିବାର ଅନୁମତି ୟୁସୁଫ ପାଇବା ପରେ ଅନ୍ୟ ଭାରତୀୟ ଖେଳାଳି ମଧ୍ୟ ଏଥିଲାଗି ଆଗ୍ରହ ପ୍ରକାଶ କରିଥିଲେ । ଏହି କାରଣରୁ ୟୁସୁଫଙ୍କ ଅନୁମତି ବିସିସିଆଇ ପ୍ରତ୍ୟାହାର କରିନେଇଛି । ୩୪ ବର୍ଷ ବୟସ୍କ ୟୁସୁଫ ପଠାନ କୋୱଲୁନ କାଣ୍ଟନସ ପାଇଁ ହଂକଂ ଟି-୨୦ ଲିଗରେ ଖେଳିବାର ଥିଲା । ସେପଟେ ଆଇପିଏଲ୍ରେ ୯ଟିଯାକ ସିଜିନ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳିଥିବା ୟୁସୁଫ ପଠାନ ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ । ସେ ଆଇପିଏଲ୍ରେ ମୋଟ ୨୭୬୧ ରନ ସ୍କୋର କରିଛନ୍ତି । ମାତ୍ର ୧୫ଟି ବଲରୁ ଅର୍ଦ୍ଧଶତକ ହାସଲକରି ଆଇପିଏଲର ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି ।  ଏବେ ବିସିସିଆଇରେ ଘଡିକେ ଘୋଡା ଛୁଟୁ ଥିବାରୁ କେତେବେଳେ କେଉଁ ନିଷ୍ପତ୍ତି ନିଆଯିବ ଓ କଣ ନୂଆ ନିୟମ ହେବ ତାହା ପୂର୍ବ ଆକଳନ କରିବା କାଠିକର ପାଠ ହୋଇପଡିଛି ।