ଦିଲ୍ଲୀପଙ୍କ ଚାଲାକି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଓ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ତିକ୍ତତା ଖବର ହାଟରେ ପଡି ଦାଣ୍ଡରେ ଗଡୁଛି । ଏଥିପାଇଁ କିଛି ମାସ ତଳେ ଭୁବନେଶ୍ୱରରେ ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦିଲ୍ଲୀପ ରାୟଙ୍କ ଦେଖା ମିଳିନଥିଲା । ରାଉରକେଲା ଇସ୍ପାତ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସପିଟାଲ ମାନ୍ୟତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖି ତାତ୍ସଲ୍ୟ ବି କରିଛନ୍ତି ଦିଲ୍ଲୀପ । ଆଉ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଢ ବର୍ଷ ହେବ ଦିଲ୍ଲୀପଙ୍କ ପାଦ ପଡୁନଥିବା ଖବର ମିଳିଛି । ଚର୍ଚ୍ଚା ହେଉଛି ପଦ୍ମ ଛାଡି ଶଙ୍ଖ ଫୁଙ୍କିବା ଯୋଜନାରେ କୁଆଡେ ଅଛନ୍ତି ଦିଲ୍ଲୀପ, ସେଥିପାଇଁ ବିଜେପିଠାରୁ ଖାପଛଡା ଦେଉଛନ୍ତି । ନବୀନ ବି ସିଗନାଲ ଦେଇଛନ୍ତି ଯେ କିଛି ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଅଣାଯିବ । ସେଥିରେ ଦିଲ୍ଲୀପ କେଉଁଠି ନା କେଉଁଠି ନିଜକୁ ଦେଖୁଛନ୍ତି ।  ଯେଉଁଥିପାଇଁ ଏବେ ଦଲ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୧୨୦କୁ କଟାକ୍ଷ କରିଛନ୍ତି ।
୬ ସେପ୍ଟେମ୍ବର, ୨୦୧୭ । ଭୁବନେଶ୍ୱରକୁ ତିନି ଦିନିଆ ଗସ୍ତରେ ଆସିଲେ ଅମିତ ଶାହ । ତାଙ୍କ ଗସ୍ତ ପାଇଁ ଭୁବନେଶ୍ୱରେ ମିଶନ ୧୨୦+ ପତାକା ଉଡୁଥାଏ । ଶାହ ଆସିବା ପୂର୍ବରୁ ଦିଲ୍ଲୀପଙ୍କୁ ୧୨୦ ମିଶନ କଥା ପଚରାଗଲା ତ ସେ ଗଣମାଧ୍ୟମ ଆଗରେ ଏନେଇ ସନେ୍ଦହ ପ୍ରକାଶ କଲେ । ଠିକ୍ ଯେଭଳି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ସନେ୍ଦହ ପ୍ରକାଶ କରିଥିଲେ । ଲାଗିଲା ନବୀନଙ୍କ ତୁଣ୍ଡକୁ ଦୋହରାଇ ତାଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ଦିଲ୍ଲୀପ । କାଳେ ଏପରି କଲେ ନବୀନ ତାଙ୍କୁ ହାତ ଧରି ବିଜେଡିକୁ ଟାଣି ନେବେ । ନ ହେଲେ ୨୦୧୯ରେ ରାଜ୍ୟସଭା ପଠାଇ ଦେବେ । ତେବେ ଏହା କହିବା ପରେ ପରେ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଭିମୁଖେ ଅମିତଙ୍କୁ ସ୍ୱାଗତ କରିବା ପାଇଁ ଗଲେ ଦିଲ୍ଲୀପ । ହେଲେ ସେଠାରେ କିଛି ସମୟ ରହି ଚାଲି ଗଲେ । କୁଆଡେ ପିତାଙ୍କ ଶ୍ରାଦ୍ଧ ଥିବା କହି ଦିଲ୍ଲୀପ ଛୁ ମାରିଲେ । କିନ୍ତୁ ଶୁଣିବାକୁ ମିଳିଛି ୬ ସେପ୍ଟେମ୍ବରରେ ଦିଲ୍ଲୀପଙ୍କ ପିତାଙ୍କ ଶ୍ରାଦ୍ଧ ହିଁ ନଥିଲା । ଏହାର ଦୁଇ ଦିନ ପରେ କୁଆଡେ ପିତାଙ୍କ ଶ୍ରାଦ୍ଧ । ଆଉ ଯଦି ବି ଦିଲ୍ଲୀପ କହିବେ ଯେ ଏହାର ପ୍ରସ୍ତୁତି ପାଇଁ ବ୍ୟସ୍ତ ଥିଲେ, ତାହା ବି ହାସ୍ୟାସ୍ପଦ । ବିଜନେସ୍ ଟାଇକୁନ୍ ଦିଲ୍ଲୀପଙ୍କ ପାଇଁ ଏପରି କାର୍ଯ୍ୟକ୍ରମର ଆୟୋଜନ ବାମ ହାତର ଖେଳ । ତେଣୁ ବାହାନା କରି ଦିଲ୍ଲୀପ ଅମିତ ଶାହାଙ୍କ ସହ ନ ଯିବା ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
ତେବେ ଦିଲ୍ଲୀପ ବାରମ୍ବାର ବିଜେପିର ବଡ ବଡ କାର୍ଯ୍ୟକ୍ରମରେ ଯୋଗ ନ ଦେବାରୁ ଦଳୀୟ ନେତା ଗୋଟାଏ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ନବୀନଙ୍କୁ ଖୁସି କରିବା ଯୋଜନାରେ ଅଛନ୍ତି ଏହି ବିଜନେଓ ଟାଇକୁନ୍ । ଦିଲ୍ଲୀପ ବି ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ସେପଟେ ନିଜକୁ ସବୁ ସମୟରେ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଦାୟାଦ ବୋଲି କହନ୍ତି ଦିଲ୍ଲୀପ । ଆଉ ଏବେ ନବୀନ ଧୀରେ ଧୀରେ ପତିଆରା ଶୂନ୍ୟ ହେବାକୁ ଲାଗିଲେଣି । ତାଙ୍କ ପରେ ବିଜେଡିର ଗତି ବି ଅସ୍ପଷ୍ଟ । ଏପରି ସ୍ଥିତିରେ ବିଜୁଙ୍କ ନାଁରେ ଚାଲିଥିବା ବିଜେଡିର ଉତ୍ତରାଧିକାରୀ ହେବା ପାଇଁ ନିଜକୁ ହୁଏତ ଦିଲ୍ଲୀପ ଯୋଗ୍ୟ ଭାବି ଥାଇପାରନ୍ତି । କାରଣ ଲୋକବଳ କି ଅର୍ଥ ବଳର ଅଭାବ ନାହିଁ ଦିଲ୍ଲୀପଙ୍କ ପାଖରେ । ହେଲେ ସେ ଅପେକ୍ଷା କରିଛନ୍ତି କେବେ ବିଜେପି ତାଙ୍କୁ ବିଦା କରିବ! କାରଣ ଦିଲ୍ଲୀପଙ୍କ ବେକରେ ବି ଝୁଲୁଛି କୋଇଲା ଦୁର୍ନୀତିର ସିବିଆଇର ଖଣ୍ଡା । ସେ ଭଲ ଭାବେ ଜାଣନ୍ତି ଯେ ମୋଦି ଓ ଶାହାଯେପରି ବିଚକ୍ଷଣ ରାଜନୈତିଜ୍ଞ, କୌଣସି ମୁହୂର୍ତ୍ତରେ ସିବିଆଇ ଦ୍ୱାରା ତାଙ୍କୁ ଗିରଫ କରାଇ ପାରିବେ । ତେଣୁ ସବୁକିଛି କୁ ମାପିଚୁପି କାମ କରୁଛନ୍ତି ।  ଦେଖାଯାଉ, ଦିଲ୍ଲୀପ ବିଜେପିକୁ ସେ କିପରି ଭୁଆଁ ବୁଲାଉଛନ୍ତି!

ମତାମତ ଦିଅନ୍ତୁ

Please enter your comment!
Please enter your name here