You are here
Home > ବଡ଼ଖବର > ଦମ୍ଭ ନା ଆଉ କ’ଣ ? : ମୁହଁ ଖୋଲିଲେ ପ୍ରସାଦ,କହିଲେ ପିସିସିର ହେବ ନବକଳେବର

ଦମ୍ଭ ନା ଆଉ କ’ଣ ? : ମୁହଁ ଖୋଲିଲେ ପ୍ରସାଦ,କହିଲେ ପିସିସିର ହେବ ନବକଳେବର

ଭୁବନେଶ୍ବର : ଖୁବ୍ ଶୀଘ୍ର ରାଜ୍ୟ କଂଗ୍ରେସର ହେବ ନବକଳେବର । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ନିୟମିତ କିଛି କଂଗ୍ରେସ ନେତାଙ୍କୁ ସାକ୍ଷାତ ଜାରି ରଖିଛନ୍ତି । ଓଡ଼ିଶାରେ ସଂଗଠନକୁ ମଜବୁତ୍ କରିବା ପାଇଁ ଖୁବଶୀଘ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି ଆଉ ତାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ବୁଥସ୍ତରରୁ ଉପର ପର୍ଯ୍ୟନ୍ତ ଦଳରେ ପରିବର୍ତନ ନେଇ ଗଲା ବର୍ଷେ ହେବ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ତା’ହେଲେ ପ୍ରଶ୍ନ ଉଠୁଛି ଯଦି ବର୍ଷେ ହେଲାଣି ପ୍ରକ୍ରିୟା ଚାଲିଛି ତାହେଲେ ବିଜେପୁରରେ କଂଗ୍ରେସ ଅମାନତ ହରାଇଲା କାହିଁକି ?
ଖୁବ୍‌ ଶୀଘ୍ର ରାଜ୍ୟ କଂଗ୍ରେସର ନବକେଳବର ହେବ । ବୁଥସ୍ତରରୁ ଉପର ପର୍ଯ୍ୟନ୍ତ ଦଳରେ ପରିବର୍ତ୍ତନ କରାଯିବ । ଆଉ ଗଲା ବର୍ଷେ ହେଲାଣି ଏହାକୁ ନେଇ ଯେଉଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି ତାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଏବେ ଏଭଳି ଦମ୍ଭୋକ୍ତି କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।
କିଛି ଦିନ ହେଲା ରାଜ୍ୟ କଂଗ୍ରେସର ପ୍ରଭାରୀ ବନିଛନ୍ତି ଜିତେନ୍ଦ୍ର ସିଂହ । ଦାୟିତ୍ବ ଗ୍ରହଣ କରିବା ପରେ ନୂଆ ପ୍ରଭାରୀ ଏବେ ଜଣ ଜଣ କରି ରାଜ୍ୟ କଂଗ୍ରେସ ନେତାଙ୍କୁ ଭେଟୁଛନ୍ତି । ଏମିତିକି ଆସନ୍ତା ୨୩ରେ ବିଧାୟକ ଭୁଜବଳ ମାଝୀ ଏବଂ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ଦିଲ୍ଲୀ ଡାକିଛନ୍ତି ନୂଆ ପ୍ରଭାରୀ । ପର୍ଯ୍ୟାୟକ୍ରମେ ଆଗକୁ ଦଳର ସବୁ ବିଧାୟକଙ୍କୁ ଜିତେନ୍ଦ୍ର ସିଂହ ଭେଟିବେ ବୋଲି ଚର୍ଚ୍ଚା ହେଉଛି, ହେଲେ ଏଭଳି ପରିସ୍ଥିତିରେ ଖୋଦ୍‌ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବର୍ଷେ ପୂର୍ବରୁ ରାଜ୍ୟ କଂଗ୍ରେସର ନବକଳେବର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇସାରିଛି ,ଏବଂ ଏହାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି କହିବାର ମାନେ କ’ଣ ହୋଇପାରେ ? ଏଠି ପ୍ରଶ୍ନ ଉଠୁଛି ଯଦି ବର୍ଷେ ତଳୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇସାରିଥିଲା ତା’ହେଲେ ଦଳ ବିଜେପୁର ଉପନିର୍ବାଚନରେ ଅମାନତ ହରାଇଲା କାହିଁକି ?
ବର୍ଷେ ପୂର୍ବରୁ ଦଳର ନବକଳେବର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହି ନୂଆ ପ୍ରଭାରୀଙ୍କ ଆଗରେ ପ୍ରସାଦ ନିଜର ଧାକ୍‌ ଜମାଇବାକୁ ଚାହୁଁ ନାହାନ୍ତି ତ ? ପୁରୁଣା ପ୍ରଭାରୀ ବିକେ ହରିପ୍ରସାଦଙ୍କୁ ଧରି ନିଜେ ପ୍ରସ୍ତୁତ କରିଥିବା ତାଲିକା ଉପରେ ନୂଆ ପ୍ରଭାରୀଙ୍କ ମୋହର ଲଗାଇବାକୁ ଚେଷ୍ଟା କରୁନାହାନ୍ତି ତ ? କାହିଁକି ନା ରାଜ୍ୟ କଂଗ୍ରେସରେ ଏବେ ଦୁଇଟି ଗୋଷ୍ଠୀ ସମାନ୍ତରାଳ ଭାବେ କାର୍ଯ୍ୟ କରୁଛି । କାଳେ ନୂଆ ପ୍ରଭାରୀଙ୍କ ଆଗରେ ବିରୋଧୀ ଗୋଷ୍ଠୀଙ୍କ ଲବି ପ୍ରସାଦଙ୍କୁ ଗାଦି ଛାଡ଼ିବାକୁ ବାଧ୍ୟ କରିବ । କାଳେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଆଗରେ ପିସିସି ସଭାପତି ଭାବେ ପ୍ରସାଦ ହରିଚନ୍ଦନଙ୍କ ବିଫଳତା ଭାରି ପଡ଼ିଯିବ । ସେଭଳି କିଛି ଆଶଙ୍କାକୁ ପ୍ରତିହତ କରିବାକୁ ପ୍ରସାଦ ଏମିତି ଦମ୍ଭ ଦେଖାଉନାହାନ୍ତି ତ ? ଏଭଳି କିଛି ପ୍ରଶ୍ନକୁ ନେଇ ଏବେ ରାଜ୍ୟ କଂଗ୍ରେସ ଦଳରେ ଯୋର୍‌ ଧରିଛି ଚର୍ଚ୍ଚା ।

Loading...
ONA

Leave a Reply

Top