ଦକ୍ଷିଣର ଜବାବ ଉତ୍ତରରେ

ଭୁବନେଶ୍ୱର : ଦକ୍ଷିଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ବିଜେଡି ବରିଷ୍ଠ କଂଗ୍ରେସ ନେତାଙ୍କୁ ନିଜ ଦଳରେ ବଡ ଝଟକା ଦେଇଛି । ଅନୁରୂ ଭାବେ ବିଜେଡିକୁ ଦକ୍ଷିଣର ଜବାବ ଉତ୍ତରରେ ଦେବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେପି । ଗଞ୍ଜାମରେ ଯେମିତି ବିଜେଡି କଂଗ୍ରେସର ନେତାକୁ ପୋଛିନେଇଛି ଠିକ ସମାନ ଢଙ୍ଗରେ ବାଲେଶ୍ୱରରେ କଂଗ୍ରେସ ବରିଷ୍ଠ ନେତାଙ୍କୁ କୋଳେଇ ନେଇ ବିଜେଡିକୁ ଝଟକା ଦେବାକୁ ଯୋଜନା କରିଛି ବିଜେପି । ବାଲେଶ୍ୱର ଜିଲ୍ଲାର ୩ ବରିଷ୍ଠ କଂଗ୍ରେସ ନେତା ତଥା ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା, ଜଳେଶ୍ୱରର ଜୟନାରାୟଣ ମହାନ୍ତି ଓ ଦେବୀପ୍ରସନ୍ନ ଚାନ୍ଦ ଖୁବ୍ ଶୀଘ୍ର ବିଜେପିରେ ମିଶିବା ନେଇ ଏବେ ଆଲୋଚନା ଜୋର ଧରିଛି । ରାଜ୍ୟସ୍ତରୀୟ ନେତାଙ୍କ ଗୋଷ୍ଠୀ କନ୍ଦଳ ଓ ପିସିସି ସଭାପତିଙ୍କୁ ନେଇ ଉପୁଜୁଥିବା ବିବାଦରେ ଅତିଷ୍ଠ ହୋଇ ସୋମନେ ଏହି ଚରମ ନିଷ୍ପତ୍ତି ନେଉଥିବା ଶୁଣିବାକୁ ମିଳୁଛି । ଏକଦା ବାଲେଶ୍ୱର ଜିଲ୍ଲାକୁ କଂଗ୍ରେସ୍ର ଗଡ଼ ବୋଲି କୁହାଯାଉଥିଲା । ଅତୀତରେ ଦଳୀୟ ଟିକେଟ୍ରୁ ବିଜୟୀ ହୋଇଥିବା ନେତାମାନେ ରାଜ୍ୟ ରାଜନୀତିରେ ଗୁରୁତ୍ୱୂର୍ଣ୍ଣ ପଦ ପଦବୀରେ ରହିଥିଲେ । ମାତ୍ର କିଛି ବର୍ଷ
ହେବ ଏଠାରେ କଂଗ୍ରେସ ପଛରେ ପଡିଛି । ୨୦୧୪ ବିଧାନସଭା ନିର୍ବାଚନରେ ଏହାର ଫାଇଦା ବିଜେପି ହାତକୁ ଯାଇଥିଲା । ଗତବର୍ଷ ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଏହା ପ୍ରମାଣିତ ହୋଇସାରିଛି । ତେବେ ୨୦୧୯ ନିର୍ବାଚନ ବେଳକୁ ଏହି ତିନି ବରିଷ୍ଠ ନେତା ଅତିଷ୍ଠ ହୋଇ ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି । ଆଉ ଏହା ହେଲେ ବାଲେଶ୍ୱର ରାଜନୀତି ଗଣିତ ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା । ଜଳେଶ୍ୱରର ଜୟନାରାୟଣ ମହାନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା । ଜଣେ ପରିଚିତ ବ୍ୟକ୍ତିତ୍ୱ ଭାବେ କଂଗ୍ରେସ ଦଳ ବ୍ୟତୀତ କ୍ରୀଡ଼ା ଓ ବିଭିନ୍ନ ସଙ୍ଗଠନ ସହିତ ସେ ଜଡ଼ିତ ରହିଛନ୍ତି । ୧୯୯୫ ଓ ୨୦୦୦ରେ କ୍ରମାଗତ ୨ଥର ସେ କଂଗ୍ରେସରୁ ବିଜୟୀ ହୋଇଥିଲେ । ହେଲେ ପରେ ଦଳୀୟ କନ୍ଦଳ ଯୋଗୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହା ପରଠାରୁ ସେ ନିର୍ବାଚନରେ ଲଢ଼ି ନ ଥିଲେ ହେଁ ଦଳୀୟ ରାଜନୀତିରେ ସକ୍ରିୟ ରହିଛନ୍ତି । ସେହି ରି ଅନ୍ୟ ଜଣେ କଂଗ୍ରେସ ନେତା ତଥା ଜଳେଶ୍ୱର ପୂର୍ବତନ ବିଧାୟକ ହେଲେ ଦେବୀପ୍ରସନ୍ନ ଚାନ୍ଦ । ଜୟନାରାୟଣଙ୍କ ସ୍ଥାନରେ ୨୦୦୯ରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ପାତ୍ର ବିଜେଡିରେ ମିଶିବା ପରେ ଶ୍ରୀ ଚାନ୍ଦଙ୍କୁ ୨୦୧୪ ନିର୍ବାଚନରେ ପରାଜୟ ମୁହଁ ଦେଖିବାକୁ ମିଳିଥିଲା । ପରାସ୍ତ ହେଲେ ମଧ୍ୟ ଶ୍ରୀ ଚାନ୍ଦ ଦଳୀୟ ରାଜନୀତିରେ ବେଶ୍ ସକ୍ରିୟ ଅଛନ୍ତି । ସେହିଭଳି କଂଗ୍ରେସର ଆଉ ଜଣେ ଟାଣୁଆ ନେତା ହେଲେ ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା । ଏହି ନିର୍ବାଚନ ମଣ୍ଡଳୀରୁ ସେ ୧୯୮୫, ୧୯୯୫ ଓ ୨୦୦୪ରେ ବିଜୟୀ ହୋଇ ଗିରିଧର ଗମାଙ୍ଗୋ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଏବଂ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚୟତିରାଜ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ହେଲେ ୨୦୦୯ ଓ ୨୦୧୪ରେ ତାଙ୍କୁ କ୍ରମାଗତ ଭାବେ ବିଫଳତାର ସ୍ୱାଦ ଚାଖିବାକୁ ପଡ଼ିଥିଲା । ଏବେ ଏହି ନେତାମାନେ ନିଜ କ୍ୟାରିୟର ଲାଗି ଦଳବଦଳ କରିବାକୁ ଅଣ୍ଟା ଭିଡିଛନ୍ତି । ଏମିତିବି ବାଲେଶ୍ୱରର ଜିଲ୍ଲାରେ ରେମୁଣା, ନୀଳଗିରି ଓ ସଦର ନିର୍ବାଚନ ମଣ୍ଡଳୀ ବ୍ୟତୀତ ଅନ୍ୟ ସବୁଠି ବିଜେପି
ଦୁର୍ବଳ ଅବସ୍ଥାରେ ରହିଛି । ଦଳର ସଙ୍ଗଠନକୁ ମଜଭୁତ ତଥା ଆଗାମୀ ନିର୍ବାଚନରେ ବିଜେଡିକୁ ଟକ୍କର ଦେବା ପାଇଁ ଅସନ୍ତୋଷ କଂଗ୍ରେସ ନେତାଙ୍କୁ ଦଳ ଅସ୍ତ୍ର କରିବାକୁ
ଯୋଜନା କରିଛି । ଏହି ନେତାମାନଙ୍କ ସହ ବିଜେପିର ବରିଷ୍ଠ ନେତା ଆଲୋଚନା ସାରିଥିବା କୁହାଯାଉଛି । ହେଲେ ଏନେଇ କିନ୍ତୁ କେହି ମୁହଁ ଖୋଲିବାକୁ ନାରାଜ । ତେବେ ଏହି ନେତାମାନେ ବିଜେପିରେ ଯଦି ମିଶନ୍ତି ତେବେ ବାଲେଶ୍ୱର ରାଜନୀତି ସମୀକରଣ ବଦଳିବ ବୋଲି କୁହାଯାଉଛି । ଏହା ଦ୍ୱାରା କଂଗ୍ରେସର ଏକ ବଡ ଭୋଟ ବ୍ୟାଙ୍କ ବିଜେପି ସହ ମିଶିବ ଆଉ ବିଜେଡି ପ୍ରଭାବିତ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here