ଥମୁନି ଚାଷୀ ଆତ୍ମହତ୍ୟା: ଆଖିବୁଜିଲେ ଖଗେଶ୍ୱର

https://www.facebook.com/nnsodia/videos/267154983995629/?t=5

ବରଗଡ: ରାତି ପାହିଲେ ନୂଆଖାଇ ପାଳିଥାନ୍ତେ ଖଗେଶ୍ୱର । ହେଲେ ଏତିକ’ବି ତାଙ୍କ ଭାଗ୍ୟରେ ଜୁଟିଲାନି । ପଞ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇକୁ ନେଇ ସଜବାଜ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଠାକାର ଜଣେ ଚାଷୀ ଜୀବନ ହାରିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।
  ସୋହଲା ଥାନା ଲୁହୁରାବଳି ଗାଁରେ ୩୦ ବର୍ଷର ଯୁବ ଚାଷୀ ଖଗେଶ୍ୱର ମେହେରା ଆତ୍ମହତ୍ୟା କରିଛନ୍ତି । ଅନିୟମିତ ମୌସୁମୀ ବର୍ଷା କାରଣରୁ ଚାଷ ପ୍ରଭାବିତ ହୋଇଛି ।   ଏଦୃଷ୍ଟିରୁ ମାନସିକ ଭାରସାମ୍ୟ ହରାଇ ଖଗେଶ୍ୱର ଆତ୍ମହତ୍ୟା କରିବାକୁ ଚୟମ ନିଷ୍ପତ୍ତି ନେଇଥିଲେ । ମୃତ ଖଗେଶ୍ୱରଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଖଗେଶ୍ୱର  ଏବଂ ତାଙ୍କ ଭାଇ ରମେଶ ମିଳିତ ଭାବେ ୮ ଏକର ଜମି ଚାଷ କରିଥିଲେ । କିଛି ଜମି ନିଜର ଥିବା ବେଳେ କିଛି ଜମି ଭାଗକୁ ଆଣି ଚାଷ କରିଥିଲେ । ଧାନ, ବିରି, ବାଦାମ, ଟମାଟୋ ଏବଂ ଲଙ୍କା ଚାଷ କରିଥିଲେ । କିନ୍ତୁ ଅନିୟମିତ ବର୍ଷା କାରଣରୁ  ଚାଷ ଉଜୁଡି ଯାଇଥିଲା । ସେଥିପାଇଁ ଚିନ୍ତିତ ଥିବା ଖଗେଶ୍ୱର ବୁଧବାର ରାତିରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ  ସୋହେଲା ଓ ପରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ବରଗଡ ଡାକ୍ତରଖାନା ପହଞ୍ଚିଲା ବେଳକୁ ମାତ୍ରାଧିକ ବିଳମ୍ବ ହୋଇସାରିଥିଲା । ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
  ୨୦୧୬ ରାଜ୍ୟରେ ୨୦୦ରୁ ଉଦ୍ଧ୍ୱର୍ କୃଷକ ଆତ୍ମ ହତ୍ୟା କରିଥିଲେ । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଏକାଧିକ ଯୋଜନା କରୁଛନ୍ତି । କିନ୍ତୁ ସେମାନଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁନି । ଏତଦଭିନ୍ନ ସରକାରଙ୍କ ଉଦାସୀନତା ଯୋଗୁଁ ମୃତୁ୍ୟ ବରଣ କରୁଥିବା ଚାଷୀଙ୍କ ପରିବାରକୁ ମଧ୍ୟ ଉଚିତ କ୍ଷତିପୂରଣ ମିଳିପାରୁ ନାହିଁ । ଫଳରେ ଚାଷୀପୁଅ ଚାଷଛାଡି ଦାଦନ କଟିବାକୁ ପଡୋଶୀ ରାଜ୍ୟକୁ ଚାଲିଯାଉଛି । ସେତେବେଳେ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଚାଷୀ ଆତ୍ମହତ୍ୟାକୁ ଭିନ୍ନ ରୂପେ ଦେଇଥିଲେ । ଋଣ ନେଇ ଚାଷୀ ନିଶା ସେବନ, ପରିବାର ପ୍ରତିପୋଷଣ, ଝିଅ ବାହାଘର ଆଦିରେ ଲଗାଉଛି । ଘରୋଇ କଳହ ଯୋଗୁଁ ସେମାନେ ଆତ୍ମହତ୍ୟା କରୁଛନ୍ତି । ଏହାକୁ ଋଣଭାର ଓ ଫଲସ ହାନୀର ରୂପ ଦିଆଯାଇ ଚାଷୀ ଆତ୍ମହତ୍ୟା ବୋଲି ଦର୍ଶାଯାଉଛି ବୋଲି ମନ୍ତବ୍ୟ ଦେଇଥିଲେ ମହାରଥୀ । ଯଦ୍ୱାରା ବିଭିନ୍ନ ଗସ୍ତ ସମୟରେ ମହାରଥୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।
  ୨୦୦୫ରୁ ୨୦୧୪ ମଧ୍ୟରେ ରାଜ୍ୟରେ ୧୮୯୫ଜଣ ଚାଷୀ ଆତ୍ମହତ୍ୟା କରିଥିବା ନ୍ୟାସନାଲ କ୍ରାଇମ୍ ରେକର୍ଡ ବୁ୍ୟରୋ(ଏନସିଆରବି) ରିପୋର୍ଟରୁ ଜଣାପଡିଛି । ଏମାନଙ୍କ ମଧ୍ୟରେ ୨୪୭ଜଣ ମହିଳା ଚାଷୀ ଥିବା ଜଣାପଡିଛି । ୨୦୦୫ରେ ୨୫୪ଜଣ, ୨୦୦୬ରେ ୨୮୩ଜଣ, ୨୦୦୭ରେ ୨୪୦ଜଣ ଏବଂ ୨୦୦୮ରେ ୨୬୦ଜଣ ଚାଷୀ ଆତ୍ମହତ୍ୟା କରିଥିଲେ । ତେବେ ବରଗଡ ଜିଲ୍ଲାରେ ଚାଷୀ ଆତ୍ମହତ୍ୟାର ପରିମାଣ ସର୍ବାଧିକ । ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୦୪ରୁ ୨୦୧୨ ମଧ୍ୟରେ ୮୨ ଲକ୍ଷ ପରିବାର ବିପିଏଲ ପରିସର ଭୁକ୍ତ ।
  ନ୍ୟାସନାଲ ସାମ୍ପଲ ସର୍ଭେ(ଏନଏସଏସ) ରିପୋର୍ଟ ୨୦୧୨-୧୩ ଅନୁଯାୟୀ ଜାତୀୟ ହାର ୬୪୨୬ ଟଙ୍କା ରହିଥିବା ବେଳେ ଓଡ଼ିଶାର କୃଷକଙ୍କ ମାସିକ ଆୟ  ମାତ୍ର ୪୯୭୬ ଟଙ୍କା । ତେବେ ମାସିକ ଆୟ ତାଲିକାରେ ପଞ୍ଜାବ କୃଷକ ଶୀର୍ଷରେ ରହିଛନ୍ତି । ସେମାନଙ୍କ ମାସିକ ଆୟ ୧୮,୦୫୯ ଟଙ୍କା ରହିଥିବା ବେଳେ ହରିୟାଣା ୧୪,୪୩୪ ଟଙ୍କା ଦ୍ୱିତୀୟ ଏବଂ କେରଳ ୧୧,୮୮୯ ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି । ସେହିଭଳି ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ତାମିଲନାଡୁ ରାଜ୍ୟର କୃଷକଙ୍କ ମାସିକ ଆୟ ଓଡ଼ିଶା କୃଷକଙ୍କଠାରୁ ଯଥେଷ୍ଟ ଅଧିକି । ଯଦ୍ୱାରା ଓଡ଼ିଶାରେ କୃଷକ ମୃତୁ୍ୟ ହାର ପ୍ରତିବର୍ଷ ବୃଦ୍ଧିପାଇବାରେ ଲାଗିଛି ବୋଲି ନ୍ୟାସନାଲ ସାମ୍ପଲ ସର୍ଭେ(ଏନଏସଏସ) ରିପୋର୍ଟରୁ ଜଣାପଡିଛି । 

ମତାମତ ଦିଅନ୍ତୁ

Please enter your comment!
Please enter your name here