ତାଲିଲେ ନରସିଂହ

https://www.facebook.com/nnsodia/videos/267154983995629/?t=5

ଫେଲ ମାରିଲା ଫାଟ ଯୋଡ଼ିବାର ପ୍ରୟାସ । ଜିଦିରୁ ଓହରିଲେନି ପ୍ରସାଦ । ସିଏଲପି ଓ ପିସିସି ଭିତରେ ଥିବା ବିବାଦ ସମାଧାନର ସୁତ୍ର
ବାହାରିଲାନି । ଆଉ ଶେଷରେ ପଦାକୁ ଗୋଡ଼ କାଢିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ନିଜ ବିଧାୟକଙ୍କ ବଳକୁ ନେଇ ବିରୋଧୀଙ୍କୁ ଘେରିବାକୁ ଅଣ୍ଟା ସଳଖିଛନ୍ତି । ସକଳ୍ପ ସମାବେଶ ଆଳରେ ପ୍ରସାଦଙ୍କୁ ବି ନିଜ ବଳ ଦେଖାଇଛନ୍ତି । ନରସିଂହଙ୍କୁ ସାଥ ଦେବାକୁ ପଦାକୁ ଆସିଛନ୍ତି ନିରଞ୍ଜନ । ଏହାକୁ ନେଇ ଏବେ ଯୋର ଧରିଛି କଂଗ୍ରେସ ରାଜନୀତି…

ଭୁବନେଶ୍ୱର: ଆଉ ସହିପାରିଲେନି ବିରୋଧୀ ଦଳ ନେତା ନରସଂହ ମିଶ୍ର । ଦଳର ଫାଠ ପଦାକୁ ଦେଖାଯାଉ ପଛେ ସରକାରୀ ଦଳକୁ ନିଜ ଦଳର ବଳ ଦେଖାଇବାକୁ ପଦାକୁ ଗୋଡ କାଢିଲେ । ଦେଖାଇଲେ କଂଗ୍ରେସ ନେତା ଏକ, ଏବେ ବି ଦଳର ନେତାଙ୍କ ଠି ବଳ ଅଛି ହେଲେ ଅଭାବ ଅଛି ନେତୃତ୍ୱର । ନରସିଂହଙ୍କୁ ଠିକଣା ସମୟରେ ବଳ ଦେବାକୁ ସାଥ ଦେଲେ ନିରଞ୍ଜନ ପଟ୍ଟନାୟକ । ଆଉ କଂଗ୍ରେସ କୁବେର ମହମ୍ମଦ ମୋକିମ ବି ପଟ୍ଟ ପରିବତ୍ତନ କରି ନରସିଂହ- ନିରଞ୍ଜନ ଯୋଡିଙ୍କ ସହ ସାମିଲ ହୋଇଗଲେ । କଂଗ୍ରେସ ସଙ୍କଳ୍ପ ସମାବେଶରେ ଏମିତି କିଛି ଦଳର ରାଜନୀତି ଓ ଫାଟ ଏବେ ପଦାରେ ପଡିଛି । ପୁଣି ଥରେ ସିଏଲପି ଓ ପିସିସି ଭିତରେ ଯେ,ସବୁ କିଛି ଠିକ ଠାକ ନାହିଁ ବୋଲି ସ୍ଫଷ୍ଟ ହୋଇଛି । ପ୍ରସାଦଙ୍କୁ ଛାଡି ଦଳର ବିଧାୟକ ଓ ନେତାଙ୍କୁ ଏକାଠି କରିହେବ ଓ କଂଗ୍ରେସ ସଂଗଠନକୁ ଆଗକୁ ବଢାଇହେବ ତାହା ପ୍ରମାଣିତ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ପରେ ଉପକୂଳ ଓଡିଶାରେ ଦୁଇ ଦୁଇଟି ସଫଳ କାର୍ଯ୍ୟକ୍ରମ କରି ଏହା ଦେଖାଇ ଦେଇଛନ୍ତି ନରସିଂହ ଆଣ୍ଡ କୋ । କଟକରେ ଆୟୋଜନ ହୋଇଥିଲା କଂଗ୍ରେସର ସଙ୍କଳ୍ପ ସମାବେଶ । ଏହାର ଆୟୋଜନ ଦାୟିତ୍ୱ ନେଇଥିଲେ ମହମ୍ମଦ ମୋକିମ । ଯିଏକି ଦିନେ ଥିଲେ ପ୍ରସାଦ ଶିବିରରେ । ଏହି ସମାବେଶରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଉପମୁଖ୍ୟ ସଚେତକ ଚିରଞ୍ଜୀବି ବିଶ୍ୱାଳ ଜିଲ୍ଲାର ସଭାପତି ବିଧାୟକ ପ୍ରକାଶ ବେହେରା ଯୋଗ ଦେଇଥିଲେ । ହେଲେ ବାହାନା କରି ପ୍ରସାଦ ଏଠାକୁ ଆସିଲେନି ବୋଲି ଚର୍ଚ୍ଚା ହେଉଛି । ସେହିପରି କେନ୍ଦ୍ରାପଡାର ରାଜକନିକାରେ କଂଗ୍ରେସର ଗର୍ଜନ ସମାବେଶ ହେଲା । ସେଥିରେ ସ୍ଥାନୀୟ ବିଧାୟକ ଦେବେନ୍ଦ୍ର ଶର୍ମା, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ପିସିସି ଲିଗାଲ ସେଲ୍ ଅଧ୍ୟକ୍ଷ ଧରଣୀଧର ନାୟକ, ପିସିସି ସାଧାରଣ ସମ୍ପାଦକ ସତ୍ୟାନନ୍ଦ ରାଉତ ପ୍ରମୁଖ ଯୋଗଦେଇ ସରକାରଙ୍କ ବିରୋଧରେ ଗର୍ଜନ କଲେ । ପ୍ରସାଦଙ୍କୁ ଛାଡି କଂଗ୍ରେସ ଯେ, ଆଗକୁ ଯାଇପାରିବ ଓ ସମସ୍ତେ ଏକାଠି ଏହି ବାର୍ତ୍ତା ଦେବା ସହ ସରକାରଙ୍କ ବିରୋଧରେ କଂଗ୍ରେସ ଲଢିବାକୁ ସକ୍ଷମ ବୋଲି ଦେଖାଇଦେଲା ସିଏଲପି ।
ପୂର୍ବରୁ ବିଜେପୁର ବିଧାନସଭା ଉପ ନିର୍ବାଚନ ଲଢିବା ଆଳରେ କଂଗ୍ରେସ କନ୍ଦଳରେ ତାଳି ପଡିଥିବା ବାର୍ତ୍ତର୍ା ଦେଇଥିଲା ଦଳ । ଏକାଠି ହୋଇଥିଲେ ସିଏଲପି ଲିଡର ଓ ପିସିସି ସଭାପତି । ସବୁ କଥା ପଛରେ ରଖି ଦଳୀୟ ପ୍ରାର୍ଥୀ ସ୍ଥିର କରି ବିଜେପୁର ଗଡ ବଞ୍ଚାଇବାକୁ ଚେଷ୍ଟା କରିବେ ବୋଲି ଏକାଠି ବସିଥିଲେ ନେତାଏ । ଅକ୍ଟୋବର ୨୬, ୨୦୧୭ରେ ପିସିସି ଅଫିସରେ ଏକାଠି ହୋଇଥିଲେ ପ୍ରସାଦ ବିରୋଧୀ ଓ ସମର୍ଥକ । ଦଳର ସବୁ ବରିଷ୍ଠ ନେତା ବି କହିଥିଲେ ଯାହା ହେଲା ଛାଡ ଏବେ ଆମେ ସବୁ ଏକ । ଏକାଠି ହୋଇ ବିଜେପୁର ଉପନିର୍ବାଚନ ଲଢିବୁ । ପୁଣି ଥରେ ପିସିସି ସଭାପତି କୁଆଡେ ସମସ୍ତଙ୍କୁ କର ଛଡା ଦେଲେ । ଯେତେବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନିରଜଂନ ପଟ୍ଟନାୟକ ପ୍ରମୁଖ ନବରଙ୍ଗପୁରର ଏକ କାର୍ଯ୍ୟକ୍ରମରେ ଥିଲେ ଠିକ ସେତିକିବେଳେ ପ୍ରସାଦ ଭୁବନେଶ୍ୱରରେ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ସଭା କରିଥିଲେ । ହେଲେ ସେମାନଙ୍କୁ ଡାକି ନଥିଲେ । ଏମିତିକି ଏହି ନେତାମାନଙ୍କୁ ସାଙ୍ଗରେ ନନେଇ ପଦଯାତ୍ରା କରିବା ସହ ଗାଈସିଲଟ ବ୍ଲକରେ ଚାଷୀ ସମାବେଶ ଆୟୋଜନ କଲେ । କେବଳ ସେତିକି ନୁହେଁ ଆତ୍ମହତ୍ୟା କରିଥିବା ବରଗଡ ଜିଲ୍ଲା କଳାପାଣିର ଭାଗଚାଷୀ ବୃନ୍ଦାବନଙ୍କ ପରିବାରକୁ ଭେଟି ବରଗଡରେ ଧାରଣା କାର୍ଯ୍ୟକ୍ରମ ଘୋଷଣା କଲେ । ହେଲେ ଏଥିଲାଗି ପ୍ରସାଦ କୁଆଡେ ବିରୋଧୀ ଦଳ ନେତା କି ବିଜେପୁର ନିର୍ବାଚନ ଲାଗି ଗଠନ ହୋଇଥିବା କମିଟିର କୌଣସି ନେତାଙ୍କ ମତାମତ ନେଇ ନଥିଲେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ପ୍ରସାଦ ବାବୁ କୁଆଡେ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଗୋଷ୍ଠୀଙ୍କୁ ସାଙ୍ଗରେ ନେବାକୁ ଚାହୁଁ ନାହାନ୍ତି । କେବଳ ସେତିକି ନୁହେଁ, ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ କଂଗ୍ରେସ ରାଜଭବନ ଆଗରେ ଧାରଣା ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ତାକୁ ଆଭଏଡ କରି ପ୍ରସାଦ ବାବୁ ଭୁବନେଶ୍ୱର ଛାଡି ବରଗଡ ଗଲେ । ଏହା ପଛରେ କୁଆଡେ ତାଙ୍କର ଏକ ପ୍ଲାନ ଅଛି ବୋଲି ଦଳର ଗୋଟିଏ ଗୋଷ୍ଠୀଠୁ ଶୁଣିବାକୁ ମିଳୁଛି । କାହିଁକିନା ଏହି ଘଟଣାରେ ପ୍ରଦୀପ ମାଝୀ ଓ କୃଷ୍ଣଚନ୍ଦ୍ର ଶଗରିଆ ଆଗକୁ ଆସିଥିଲେ । ସେମାନଙ୍କୁ ଭକ୍ତ ଦାସ ଓ ଜୟଦେବ ଜେନା ବି ସମର୍ଥନ କରି ସେଥିରେ ଯୋଗ ଦେଇଥିଲେ । ଏହି ଆୟୋଜନ ଯଦି ସଫଳ ହୁଏ ତେବେ ସବୁ ଶ୍ରେୟ ଏହି ନେତାଙ୍କ ପାଖକୁ ଯିବ ବୋଲି ପ୍ରସାଦ ସେଠାକୁ ଆସିଲେନି । କେବଳ ନିଜ ଶ୍ୱଶୂରଙ୍କୁ ସେଠାକୁ ପଠାଇ ଦେଇ ବରଗଡରେ ରହିଗଲେ । ପୂର୍ବରୁ କୁନ୍ଦୁଲି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତଥା ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି ଓ ପ୍ରସାଦ ହରିଚନ୍ଦନଙ୍କ ଭିତରେ ବିବାଦ ପଦାକୁ ଆସିସାରିଛି । ପ୍ରସାଦ ପଦଯାତ୍ରାକୁ ତାରାଙ୍କୁ ନ ଡାକିବାକୁ ନେଇ ତାରା ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । ସେହିପରି ଭକ୍ତ ଦାସ ବି ନିଜ ଉଦ୍ୟମରେ କାର୍ଯ୍ୟକ୍ରମ କରୁଛନ୍ତି । ଏସବୁହେଲେ ଦଳ ଆହୁରି ରସାତଳକୁ ଯିବ କର୍ମୀଙ୍କ ମନବଳ ଭାଙ୍ଗିବ । ସେଥିଲାଗି ସମସ୍ତଙ୍କୁ ଏକାଠି କରି ଆଗକୁ ବଢିବା ଲାଗି କୁଆଡେ ନରସିଂହ ମିଶ୍ର ଉଦ୍ୟମ କରୁଥିବା କୁହାଯାଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here