ଟୁଜି ଦୁର୍ନୀତି: ଏ ରାଜା, କାନିମୋଝି ନିର୍ଦ୍ଦୋଶରେ ଖଲାସ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଦୁର୍ନୀତି କୁହାଯାଉଥିବା ଟୁଜି ସ୍ପେକ୍ଟ୍ରମ୍ ଦୁର୍ନୀତିର ସମସ୍ତ ୧୭ଜଣ ଆରୋପୀଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି କୋର୍ଟ । ସରକାରୀ ଓକିଲଙ୍କ ପକ୍ଷରୁ ବଳିଷ୍ଠ ପ୍ରମାଣ ଦାଖଲ କରାଯାଇ ପାରିନଥିବାରୁ କୋର୍ଟ ଏହି ମାମଲାରେ ଶୁଣାଣି କରି ରାୟ ଦେଇଛନ୍ତି । ବିଚାରପତି ଓପୀ ସାଇନୀଙ୍କ କହିବା ଅନୁଯାୟୀ ଦୁଇ ପାର୍ଟିଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ଅଭିଯୋଗକାରୀ ପକ୍ଷ ଦୋଷ ସାବ୍ୟସ୍ତ କରିପାରିଲେ ନାହିଁ ।
କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ କୋର୍ଟ ପରିସର ମଧ୍ୟରେ ଖୁବ ଭିଡ ଲାଗିରହିଥିଲା । ଭିଡରେ ଆରୋପୀ କୋର୍ଟ ପହଞ୍ଚି ପାରିବେ ନାହିଁ ଭାବି ବିଚାରପତି ସାଇନୀ କୋର୍ଟ କାର୍ଯ୍ୟକୁ ସ୍ଥଗିତ କରିଥିଲେ । ପରେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ସେ ଗୋଟିଏ ବାକ୍ୟରେ ନିଜର ନିଷ୍ପତ୍ତି ଶୁଣାଇ ଦେଇଥିଲେ । ସେ କହିଥିଲେ, ସରକାରୀ ଓକିଲ ଦୋଷ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି । ସେହି ସମୟରେ ଉପସ୍ଥିତ ଥିବା କାନିମୋଝି ଓ ଏ ରାଜାଙ୍କ ସମର୍ଥକମାନେ କୋର୍ଟଙ୍କ ରାୟ ଶୁଣି ଅତି ଉତ୍ସାହିତ ହୋଇ ତାଳି ମାରିଥିଲେ । କୋର୍ଟର ନିଷ୍ପତ୍ତି ପରେ କଂଗ୍ରେସ ଓ ଡିଏମକେ ନେତାମାନେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେହିପରି କପିଲ ସିବଲ କହିଛନ୍ତି, ଏହା ଏକ ବୈଧ ସଫଳତା । ମୁଁ ପ୍ରଥମରୁ କହି ଆସିଛି ଯେ, ଏଥିରେ କିଛି କ୍ଷତି ହୋଇନାହିଁ, ଯାହା ଆଜି ସାବ୍ୟସ୍ତ ହୋଇଛି । ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଦୋଷାରୋପ କରିବା ଉଚିତ ନୁହେଁ ।
ପୂର୍ବ ସିଏଜି ମୁଖ୍ୟଙ୍କୁ ଟାର୍ଗେଟ କରି ସିବଲ କହିଛନ୍ତି ଯେ, ବିନୋଦ ରାୟଙ୍କୁ ସମ୍ପୂର୍ଣ୍ଣ ଦେଶ ଆଗରେ କ୍ଷମା ପ୍ରାର୍ଥନା କରିବା ଉଚିତ । ଦେଶକୁ ଭ୍ରମିତ କରିବା ସହ ୟୁପିଏ ସରକାରଙ୍କୁ ଭୁଲ ଦର୍ଶାଇବା ଭଳି ଅପରାଧ କରିଛନ୍ତି ବିନୋଦ ରାୟ । ବିନୋଦ ରାୟ ଓ ବିଜେପି କାରଣରୁ ଦେଶର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଛି । ସେହିପରି କଂଗ୍ରେସ ନେତା ମନୀଷ ତିୱାରୀ ମଧ୍ୟ ପୂର୍ବ ସିଏଜି ଅଧ୍ୟକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି । ଉଲ୍ଲେଖନୀୟ ଯେ ଟୁଜି ସ୍ପେକ୍ଟ୍ରମ ଦୁର୍ନୀତିର ଶୁଣାଣି ୬ ବର୍ଷ ପୂର୍ବେ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା । ସେତେବେଳେ ଅଦାଲତ ୧୭ ଜଣଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ ଏବଂ ପରେ ଏମାନଙ୍କୁ ଗିରଫ କରାଯାଇଥିଲା । ଏଥିରେ ୬ ମାସରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡ ବିଧାନର ବ୍ୟବସ୍ଥା ଥିଲା ।

ମତାମତ ଦିଅନ୍ତୁ

Please enter your comment!
Please enter your name here