ଜିଲ୍ଲା ପରିଷଦ ନିର୍ବାଚନ ରୁଲରେ ସଂଶୋଧନକୁ ବିଜେପିର ବିରୋଧ

ଭୁବନେଶ୍ୱର: ରାଜ୍ୟ ସରକାର ଜିଲ୍ଲା ପରିଷଦ ନିର୍ବାଚନ ରୁଲ, ୧୯୯୪ର ଧାରା ୫୧ର ସଂଶୋଧନ କରିଛନ୍ତି । ଏହି ସଂଶୋଧନକୁ କଡା ବିରୋଧ କରିଛି ବିଜେପି ।  ଏପରି ସଂଶୋଧନ ସମ୍ପୂର୍ଣ୍ଣ ବେଆଇନ୍, ଅସାମ୍ବିଧାନିକ ବୋଲି ଦର୍ଶାଇବା ସହ ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସୁନ୍ଦରଗଡ ଜିଲ୍ଲା ପରିଷଦ ସଭ୍ୟ ସୁଖରାମ ମୁଣ୍ଡା ହାଇକୋର୍ଟରେ ଫେରାଦ ହୋଇଛନ୍ତି । ଏ ସମ୍ପର୍କରେ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି । ପ୍ରସଙ୍ଗକୁ ନେଇ ଦଳ କୋର୍ଟକୁ  ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଚେତାବନୀ ଦେଇଥିଲେ । ହରିଚନ୍ଦନ କହିଥିଲେ, ସଂଶୋଧନକୁ ସରକାର ଯଦି ପ୍ରତ୍ୟାହାର ନକରନ୍ତି , ତାହେଲେ ଆମେ କୋର୍ଟ ଯିବୁ । ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଆଇନରେ ସଂଶୋଧନ କରାଯିବା ଅସମ୍ଭବ । କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ବିଧାନସଭା ଚାଲିଥିବାରୁ ବିଲ ସଂଶୋଧନ ପାଇଁ ଗୃହକୁ ବିଶ୍ୱାସକୁ ନିଆଯିବାର ଥିଲା । ବିଜେପିର ଚେତାବନୀ ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ଏପରି ସଂଶୋଧନ କରାଯାଇଛି । ଦଳ ବଦଳ ଓ ଘୋଡା ବେପାର ରୋକିବାକୁ ଏହା ସହାୟକ ହେବ । ନିର୍ବାଚନ ପାଇଁ ଯେଉଁ ଟଙ୍କା ଲଗାଇଥିଲେ ବିଲ ସଂଶୋଧନ ପରେ ସେମାନେ ବିଚଳିତ ହୋଇପଡିଛନ୍ତି । ସୂଚନାଥାଉକି ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲ ୧୯୯୪ର ଧାରା ୫୧ର ସଂଶୋଧନ ଅନୁସାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ଏଣିକି ପ୍ରତ୍ୟେକ ରାଜନୈତିକ ଦଳରୁ ଏଜେଣ୍ଟ ରହିବେ । ରାଜନୈତିକ ଦଳ ଗୁଡିକ ଏହି ଏଜେଣ୍ଟଙ୍କୁ ନିଯୁକ୍ତି ଦେବେ । ଜିଲ୍ଲା ପରିଷଦ ସଭ୍ୟମାନେ କାହାକୁ ଭୋଟ ଦେଲେ ତାହା ଏଜେଣ୍ଟଙ୍କୁ ଦେଖାଇବେ ।
  ସରକାର ଆଇନର ଓ ସମ୍ବିଧାନର ନଗ୍ନ ଉଲ୍ଲଙ୍ଘନ କରି ଜିଲ୍ଲା ପରିଷଦ ସଦସ୍ୟମାନଙ୍କର ସାମ୍ବିଧାନିକ ଅଧିକାରକୁ ତାଙ୍କର ଦଳୀୟ ସ୍ୱାର୍ଥ ପାଇଁ ହତ୍ୟା କରିଥିବାରୁ  ବିଜେପି ତାର ଘୋର ନିନ୍ଦା କରୁଛି । ଓ ଏ ସ୍ୱେଚ୍ଛାଚାରୀ ନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସରକାରଙ୍କ ପାଖରେ ଦାବି କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here