ଜିଏସଟି: ମଧ୍ୟ ରାତ୍ରରେ ବସିବ ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ସଂସଦର ସେଣ୍ଟ୍ରାଲ ହଲରେ ଶୁକ୍ରବାର ମଧ୍ୟ ରାତ୍ରରେ ଜିଏସଠିକୁ ନେଇ ବସିବ ସ୍ୱତନ୍ତ୍ର ଅଧିବେଶନ । ଜିଏସଟିର ଶୁଭାରମ୍ଭ ଅବସରରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ, ଗାୟୀକା ଲତା ମଙ୍ଗେସକର, ଶିଳ୍ପପତି ରତନ ଟାଟାଙ୍କ ସହିତ ଅନେକ ଜଣାଶୁଣା ବ୍ୟକ୍ତି ଉପସ୍ଥିତ ରହିବେ । ଭାରତ ସ୍ୱାଧୀନତା ଲାଭ ପରେ ସବୁଠାରୁ ବଡ କର ସଂଶୋଧନ ଦ୍ରବ୍ୟ ଓ ସେବା କର (ଜିଏସଟି)ର ଶୁଭାରମ୍ଭ ହେବ  । ଏହା ପୂର୍ବରୁ ୨୦ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୭ରେ ସ୍ୱାନୀତାର  ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା ।  ସେଦିନ ବି ମଧ୍ୟ ରାତ୍ରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କିନ୍ତୁ ଏଥର ସଂସଦର ସେଣ୍ଟ୍ରାଲ ହଲରେ ସଭା କାର୍ଯ୍ୟ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଯେଉଁଥିରେ କି ଗୁରୁତ୍ୱପୂର୍ଣ୍ଣ କର ସଂଶୋଧନ ବିଷୟରେ ଆଲୋଚନା ହେବ ।
  କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ସଂସଦର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୧୯୪୭ ଅଗଷ୍ଟ ୧୫ ମଧ୍ୟ ରାତ୍ରକୁ ମନେ ପକାଇବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । କାରଣ ଭାରତ ସେହି ରାତିରେ ଏକ ନୂଆ ଆଶ ଓ ଲକ୍ଷ୍ୟ ନେଇ ଗତି କରିଥିଲା । ସୂଚନା ଅନୁସାରେ ଅଧିବେଶନରେ ଉପ-ରାଷ୍ଟ୍ରପତି ହମିଦ ଅନସାରୀ ଓ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ ମଧ୍ୟ ମଞ୍ଚ ଉପରେ ବସିବେ  । ସେହିପରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ପୂର୍ବତନ ଅର୍ଥମନ୍ତ୍ରରୀ ଯଶୱନ୍ତ ସିହ୍ନା ପ୍ରମୁଖ ଜିଏସଟି ବୈଠକରେ ଯୋଗଦେବେ  ।
ମନମୋହନ, ଦେବଗୌଡାଙ୍କୁ ନିମନ୍ତ୍ରଣ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚଡି ଦେବଗୌଡା ମଧ୍ୟ କର ପ୍ରଣାଳୀର ଶୁଭାରମ୍ଭ ଅବସରରେ ଉପସ୍ଥିତ ରହିବେ । କୁହାଯାଉଛି ଯେ ଜିଏସଟି ଲାଗୁ ହେବା ପରେ ୨୦୦୦ ମିଲିୟନ ଡଲାର ଅର୍ଥବ୍ୟବସ୍ଥାକୁ ନୂଆ ରୂପ ମିଳିବ  । ଅନ୍ୟପକ୍ଷରେ ଜିଏସଟି ଉପରେ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନକୁ କଂଗ୍ରେସ ବହିସ୍କାର କରିବା ପାଇଁ ନିଷ୍ପତ୍ତି ନେଇଛି । ଫଳରେ କଂଗ୍ରେସର କୌଣସି ସାଂସଦ,ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପ୍ରମୁଖ ଯୋଗ ଦେବେ ନାହିଁ  । ଜିଏସଟି  ପ୍ରଚଳନ ଦ୍ୱାରା ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ବ୍ୟବସାୟୀ ପ୍ରଭାବିତ ହେବେ ବୋଲି  କୁହାଯାଉଛି  । ଯେଉଁଥି ପାଇଁ କଂଗ୍ରେସ ସ୍ୱତନ୍ତ୍ର ଅଧିବେଶନକୁ ବହିସ୍କାର କରିବାକୁ ଘୋଷଣା କରିଛି ।
ରାତି ୧୧ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ବାମପନ୍ଥୀ ଦଳ ଓ ତୃଣମୂଳ କଂଗ୍ରେସ ମଧ୍ୟ କାର୍ଯ୍ୟକ୍ରମକୁ ବହିସ୍କାର କରିବ ବୋଲି ଘୋଷଣା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here