You are here
Home > ବଡ଼ଖବର > ଛିଡୁନି ବିବାଦ, ବଢୁଛି ଟେନସନ

ଛିଡୁନି ବିବାଦ, ବଢୁଛି ଟେନସନ

ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଲାଣି । ହେଲେ ବିବାଦ ତୁଟୁନି । ଦଳୀୟ ନେତାଙ୍କ ଭିତରେ ସମନ୍ୱୟ ଅଭାବ ଓ ବିଦ୍ରୋହୀ ପ୍ରାର୍ଥୀ ଚିନ୍ତା ବଢାଉଛନ୍ତି । ସମସ୍ୟା ସମାଧାନ ଲାଗି ବିଜେଡି ପକ୍ଷରୁ ଛାମୁଆ ମନ୍ତ୍ରୀ ଓ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ପେଶାଲ ଟିମ ବି ହୋଇଛି । ହେଲେ ଏବେ ଜଗତସିଂହପୁର ଜିଲ୍ଲା ବିଜେଡି ନେତାଙ୍କ ଭିତରେ ଖୋଲାଖୋଲି ଗଇ ଖୋଳାଖୋଳି ବିଜେଡି ଫାଟକୁ ପଦାରେ ପକାଇଛି । ଯାହାକି ଶଙ୍ଖପତିଙ୍କ ଟେନସନକୁ ଆହୁରି ବଢାଇ ଦେଇଛି ।
ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ବିଜେଡି ରାଜନୀତି ଘଡିକେ ଘୋଡା ଛୁଟୁଛି । ଜିଲ୍ଲାର ମନ୍ତ୍ରୀ, ବିଧାୟକ, ସାଂସଦ ଓ ଅଧ୍ୟକ୍ଷ ଏହି ବିବାଦର ଗୋଟିଏ ଗୋଟିଏ ଖିଅ ଧରିଛନ୍ତି । ବର୍ଷବର୍ଷ ଧରି ଦଳରେ ଲାଗିଥିବା ବିବାଦ ଏବେ ପଞ୍ଚାୟତ ନିର୍ବାଚନ ବେଳେ ପୁଣି ଥରେ କୁହୁଳିଛି । ଜଗତସିଂହପୁର ଠାରୁ ଭୁବନେଶ୍ୱର ଯାଏ କମ୍ପୁଛି । ଏବେ ନବୀନଙ୍କ ପାଖରେ ପୁଣି ଥରେ ଫେରାଦ ହୋଇଛନ୍ତି  ଜିଲ୍ଲାର ଅନେକ ବିଜେଡି ନେତା ।
 ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳୀୟ ନେତାଙ୍କ ଭିତରେ ଅସନ୍ତୋଷ ଥିବା ନେଇ ଢେର ଦିନ ହେଲା ଚର୍ଚ୍ଚା ଚାଲିଥିଲା । କିନ୍ତୁ ଦଳୀୟ ମୁଖପାତ୍ରମାନେ ଏହାକୁ ସହଜରେ ଗ୍ରହଣ କରୁ ନଥିଲେ । ବିଜେଡିରେ କିଛି ଅସନ୍ତୋଷ ନାହିଁ ଓ ବିଦ୍ରୋହୀମାନେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି ଓ ସବୁ ଘଟଣା ସମାଧାନ ହୋଇଛି ବୋଲି ଗଣମାଧ୍ୟମରେ ଗଳା ପଠାଇ କହୁଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ଜଗତସିଂହପୁର ବିଜେଡି ରାଜନୀତି ଏକଥା ଧରା ପକାଇ ଦେଇଛି । ଜିଲ୍ଲାରେ ବିଜେଡି – ବିଜେଢି ଭିତରେ ଫାଇଟ ଚାଲିଥିବା କଥା ଏକପ୍ରକାର ସ୍ପଷ୍ଟ ହୋଇଛି । ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ନେଇ ଥିବା ଅସନ୍ତୋଷ ପୁଣି ସାମନାକୁ ଆସିଛି । ପଞ୍ଚାୟତ ନିର୍ବାଚନରେ ରାଜଶ୍ରୀ କୁଆଡେ ନିଜ ଦଳୀୟ ନେତାଙ୍କ ଅଣଦେଖା କରୁଛନ୍ତି । ଏମିତିକି କିଛି କଂଗ୍ରେସ ଓ ଦଳ ବିରୋଧୀ ନେତାଙ୍କୁ ଟିକେଟ ଦେଇ ସେମାନଙ୍କୁ ସମର୍ଥନ କରୁଛନ୍ତିି ବୋଲି ଅଭିଯୋଗ ହେଲାଣି । ଏମିତି ଅଭିଯୋଗ କରି ଶୁକ୍ରବାର ଜିଲ୍ଲାର ୮ ଜଣ ଜିଲ୍ଲା ପରିଷଦ ସଦସ୍ୟ ଓ ୨ ଜଣ ବ୍ଲକ ଚେୟାରମ୍ୟାନ ନବୀନଙ୍କ ଆଗରେ ଫେରାଦ ହୋଇଛନ୍ତି । ରଘୁନାଥପୁର ବ୍ଲକ ଚେୟାରମ୍ୟାନ ରଜତ ପାତ୍ରଙ୍କ ନେତୃତ୍ୱରେ ଆସିଥିବା ଏହି ୧୦ ଜଣଙ୍କ ସହ ଅନେକ ନେତା ଥିଲେ । ନବୀନ ନିବାସରେ ଏମାନେ ଦଳ ସୁପ୍ରିମୋଙ୍କୁ ଭେଟି ବିଧାୟିକା ରାଜଶ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ସେମାନଙ୍କ କଥା ବୁଝା ନ ଯାଏ ତେବେ ଦଳ ଜିଲ୍ଲାରେ ଅଡୁଆରେ ପଡିବ ବୋଲି ମଧ୍ୟ କହିଛନ୍ତି ।
ସେପଟେ ଏହା କଳି କେବଳ ବିଧାୟିକା ଓ ଜିଲ୍ଲାପରିଷଦ ସଦସ୍ୟ ଏବଂ ଚେୟାରମ୍ୟାନଙ୍କ ଭିତରେ ସୀମିତ ନୁହେଁ । ଏହି ବିବାଦ ଭିତରେ ଜିଲ୍ଲାର ମନ୍ତ୍ରୀ ଦାମୋଦର ରାଉତ ଓ ସାଂସଦ ବିଷ୍ଣୁ ଦାସଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ବି ଚର୍ଚ୍ଚା ହେଉଛି । ରାଜଶ୍ରୀଙ୍କୁ ବଳ ଓ ବୁଦ୍ଧି କୁଆଡେ ଦାମ ବାବୁ ଦେଉଛନ୍ତି ଓ ରାଜଶ୍ରୀ ବିରୋଧୀଙ୍କ ନେତୃତ୍ୱ ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ ନେଉଛନ୍ତି ବୋଲି କଥା ମଧ୍ୟ ପଦାକୁ ଆସିଛି । କେବଳ ଏହି ଗୋଟିଏ ଜିଲ୍ଲା କି ଗୋଟିଏ ଘଟଣା ନୁହେଁ, ସାରା ରାଜ୍ୟରେ ବିଜେଡିରେ ଏପରି ସ୍ଥିତି ରହିଛି । ବିରୋଧୀ ଯେତିକି ଅଡୁଆରେ ପକାଉ ନାହାନ୍ତି ଦଳର ନେତା ଓ ବିଦ୍ରୋହୀ ବିଜେଡିକୁ ତାହା ଠୁ ଅଧିକ ଅଡୁଆରେ ପକାଉଛନ୍ତି । ଏନେଇ ଗୁଇନ୍ଦା ରିପୋର୍ଟ ଶଙ୍ଖପତିଙ୍କ ଟେନସନକୁ ବଢାଇ ଦେଇଥିବା ଚର୍ଚ୍ଚା ହେଉଛି । ଏକଥା ବି ସୂଚନା ମିଳିଛି ଯଦି ବିବାଦ ସମାଧାନ ନହୁଏ ତେବେ ଉପକୂଳ ଜିଲ୍ଲା ସହ ୧୧ଟି ଜିଲ୍ଲାରେ ଦଳ ଅଡୁଆରେ ପଡିବ । ଏହି ସୂଚନା ପରେ ତୁରନ୍ତ ଡ୍ୟାମେଜ କଣ୍ଟ୍ରୋଲ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ତାଗିଦ କରି ସାରିଛନ୍ତି । ପ୍ରତି ଜିଲ୍ଲାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ମନ୍ତ୍ରୀଙ୍କୁ ମିଶାଇ ୫ ଜଣିଆ ଟିମ ଗଠନ କରାଯାଇଛି । ତେବେ ଏସବୁ ଯଦି ଠିକ ଭାବେ ସଜଡା ଯାଇ ପାରିଲା ତେବେ  ଦଳକୁ ଫାଇଦା ହେବ, ନଚେତ ଅଡୁଆରେ ପଡିବ ବିଜେଡି ବୋଲି ଚର୍ଚ୍ଚା ।

Loading...
ONA

Leave a Reply

Top