ଖୋଲୁଛି ରତ୍ନଭଣ୍ଡାର ରହସ୍ୟ: ଆଶା ଓ ଆଶଙ୍କାରେ ମହାପ୍ରଭୁଙ୍କ ରତ୍ନ !

0
1
ଖୋଲୁଛି ରତ୍ନଭଣ୍ଡାର ରହସ୍ୟ: ଆଶା ଓ ଆଶଙ୍କାରେ ମହାପ୍ରଭୁଙ୍କ ରତ୍ନ !

ଭୁବନେଶ୍ୱର: ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଖୋଲୁଛି । କିଛିଦିନ ପୂର୍ବରୁ ଜଗମୋହନ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ରତ୍ନଭଣ୍ଡାର କୋଠରୀର ସ୍ଥିତି ପରଖିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପରିଚାଳନନା କମିଟି । ଏହି ରତ୍ନଭଣ୍ଡାର ଖୋଲାଯିବା ନେଇ ଦୀର୍ଘଦିନ ଧରି ବିବାଦ ଓ ଚର୍ଚ୍ଚା ଲାଗିରହିଛି । ତେବେ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଏବଂ ଭଣ୍ଡାରଗୃହ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେବାପରେ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଆଜି ଅପରାହ୍ନ ୨ ଟାରେ ପୁରୀ ଶ୍ରୀମନ୍ଦିରର ଭଣ୍ଡାର ଘର ଖୋଲାଗଲେ ମଧ୍ୟ ରତ୍ନ-ଅଳଙ୍କାର ଆକଳନ ହେବନି ବୋଲି ସର୍ତ୍ତ ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ସର୍ତ୍ତାନୁଯାୟୀ ମଧ୍ୟାହ୍ନ ଧୂପ ସରିବା ପରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ସୂଚାନାଯୋଗ୍ୟ ଏହି ଯେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ୧୦ଜଣ ନୁହେଁ ବରଂ ରତ୍ନଭଣ୍ଡାର ଗୃହ ଭିତରକୁ ପ୍ରବେଶ କରିବେ ୧୭ଜଣ । ପୂର୍ବରୁ ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ୧୭ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ଯାଇ କୋଠରୀର କାନ୍ଥ, ଛାତ ତଥା ଅନ୍ୟାନ୍ୟ ସୁବିଧା ଅସୁବିଧା ସମ୍ପର୍କରେ ଜାଞ୍ଚ କରିବେ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ପୁରୀ ଗଜପତି ମହାରାଜା ବା ତାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢଉକରଣ-ଦେଉଳକରଣ, ଏଏସ୍ଆଇର ୨ ଜଣ ଇଞ୍ଜିନିୟର୍, କୋର୍ କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଗୋପାଳ ମିତ୍ର, କୋର୍ କମିଟି ସଦସ୍ୟ ଏନ୍.କେ. ମହାନ୍ତି ଉପସ୍ଥିତ ରହିବେ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଲିଖିତ ନିୟମାବଳୀ ଅନୁଯାୟୀ ଏମାନଙ୍କ ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ନୀତି ପ୍ରଶାସକ, ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଶନ, ଏଏସ୍ଆଇ ତରଫରୁ ୩, କୋର୍ କମିଟିରୁ ୨ଜଣ ଏବଂ ଶ୍ରୀମନ୍ଦିର ରତ୍ନଭଣ୍ଡାର ସବ୍ କମିଟି ପକ୍ଷରୁ ୨ ଜଣ ଭଣ୍ଡାରଗୃହ ଭିତରକୁ ପ୍ରବେଶ କରିବେ ।
ତେବେ ଏନେଇ ପ୍ରଶ୍ନ ଉଠାଇବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିରର କେତେଜଣ ଜଣାଶୁଣା ସେବାୟତ । ଏବେ ରତ୍ନଭଣ୍ଡାର ଖୋଲାଯିବା ନେଇ ସମଗ୍ର ଓଡ଼ିଶା ସମେତ ରାଜ୍ୟ ତଥା ଭାରତ ବାହାରେ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ମନରେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଭଣ୍ଡାରଗୃହ ଖୋଲାଯିବା ନେଇ ଲାଗି ରହିଛି ଚର୍ଚ୍ଚା । ସୋସିଆଲ୍ ମିଡ଼ିଆ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଚର୍ଚ୍ଚା ବେଶ୍ ଜୋର୍ ଧରିଛି । ଅଗଣିତ ଭକ୍ତମାନଙ୍କ ମନରେ ଉଠୁଛି ଗୋଟିଏ ପ୍ରଶ୍ନ । ଯଦି ଦୀର୍ଘ ୩୩ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଉଛି ତେବେ ଭଣ୍ଡାରଗୃହରେ ଗଚ୍ଛିତ ରହିଥିବା ମହଣ ମହଣ ସୁନା, ରୂପା, ମୋତି, ମାଣିକ୍ୟ ତଥା ହୀରା ପରି ମୂଲ୍ୟବାନ ରତ୍ନାଳଙ୍କାର କାହିଁକି ଗଣତି ବା ଆକଳନ କରାଯିବ ନାହିଁ? ଅବଶ୍ୟ ୧୯୮୫ ମସିହାରେ ମରାମତି କାର୍ଯ୍ୟ ଲାଗି ଭିତର ଭଣ୍ଡାରଗୃହ ଖୋଲାଯାଇଥିଲା । ତେବେ ୧୯୭୮ ମସିହାରେ ପ୍ରଶାସନ ପକ୍ଷରୁ ଭିତର ଓ ବାହାର ଭଣ୍ଡାରଗୃହ ଖୋଲାଯାଇଥିଲା । ସେହିସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ରତ୍ନାଳଙ୍କାର ଆକଳନ କରାଯାଇ ଏକ ତାଲିକା ମଧ୍ୟ ପ୍ରସ୍ତୁତି କରାଯାଇଥିଲା । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମଧ୍ୟରେ ପ୍ରକୃତରେ କେତୋଟି କୋଠରୀ ରହିଛି ତାହା ଏବେ ମଧ୍ୟ ରହସ୍ୟାବୃତ୍ତ ରହିଛି । କୁହାଯାଏ, ରତ୍ନଭଣ୍ଡାରକୁ ଅନେକ ବିଷଧର ସର୍ପ ଜଗିରହିଛନ୍ତି ବା ଦୀର୍ଘଦିନ ଧରି ଖୋଲା ନ ଯିବା କାରଣରୁ ବିଭିନ୍ନ ପ୍ରକାର ସାପ ଏବଂ ସରିସୃପ ଜାତୀୟ ଜନ୍ତୁ ରହିବାରେ ଲାଗିଛନ୍ତି । ଏବେ ଏହି ଯାଞ୍ଚ ଟିମ୍ ସହିତ ୨ଜଣ ସ୍ନେକ୍ ହେଲ୍ପ୍ ସଦସ୍ୟ ମଧ୍ୟ ରହିଛନ୍ତି ।
ବିଭିନ୍ନ ସୋସିଆଲ୍ ମିଡ଼ିଆ ତଥା ଗଣମାଧ୍ୟମ ଦ୍ୱାରା ବିଭିନ୍ନ ପ୍ରକାର ଆଶଙ୍କାର ଚର୍ଚ୍ଚା ମଧ୍ୟ ଲାଗିରହିଛି । ଭଣ୍ଡାରଗୃହ ପୂର୍ବରୁ ଏକ ବିରାଟ ଗର୍ତ୍ତ ରହିଥିବା କଥା ଏବେ ଉଠିଛି । ଜଣେ ମଣିଷ ଏହି ଗର୍ତ୍ତ ମଧ୍ୟ ଦେଇ ବାହାରକୁ ମଧ୍ୟ ଯାତାୟାତ କରିବାର ସୁବିଧା ରହିଥିବା କଥା ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି । ସବୁ ଚର୍ଚ୍ଚାର ଟାର୍ଗେଟ୍ରେ ରହିଛନ୍ତି ମନ୍ଦିର ସେବାୟତ, ବାଡ଼ଗ୍ରାହୀ ତଥା ପଣ୍ଡା ସେବକମାନେ । ଏପରିକି ଚର୍ଚ୍ଚା ହେଉଛି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ରତ୍ନ ଲୁଟ୍ ହେବାରେ ଲାଗିଛି । ଭକ୍ତମାନଙ୍କୁ ସର୍ପ ଭୟର ରହସ୍ୟ ଏବଂ ଅନ୍ଧାରରେ ରଖି ରତ୍ନଭଣ୍ଡାରରୁ ମୂଲ୍ୟବାନ ରତ୍ନ ଲୁଟି କରିଚାଲିଥିବାର ଅଭିଯୋଗ କରିଛନ୍ତି କିଛି ଭକ୍ତ ସୋସିଆଲ୍ ମିଡ଼ିଆରେ ! ରଥଯାତ୍ରା ସମୟରେ ରଥ ଚଢିବାକୁ ପୁରୀ ଗୋବର୍ଦ୍ଧନପୀଠର ମଠାଧୀଶ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉଥିବା ବେଳେ ଏବେଳକୁ କାହିଁକି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉନାହିଁ? ଯଦି ବନ୍ଦ କୋଠରୀ ଯାଞ୍ଚ ଲାଗି ଖୋଲାଯାଉଛି ତେବେ ରତ୍ନାଳଙ୍କାର ଆକଳନ କରିବାରେ ଏ ପଛଘୁଞ୍ଚା କାହିଁକି? ଏହି ଅଭିଯୋଗ କରିବା ସହିତ ରତ୍ନଭଣ୍ଡାର ଖୋଲାଯିବାକୁ ବିରୋଧ କରି ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପୁରୀର ଜଗନ୍ନାଥ ସେନାର କର୍ମୀମାନେ । ତେବେ ଯାହାବି ହେଉ, ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯିବା ନେଇ କୋଟି କୋଟି ଭକ୍ତମାନେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here