You are here
Home > ଲାଟେଷ୍ଟ > ଖୋଲିଲା ଭିତରକନିକା ଅଭୟାରଣ୍ୟ

ଖୋଲିଲା ଭିତରକନିକା ଅଭୟାରଣ୍ୟ

ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଗୁରୁବାରଠାରୁ ଖୋଲିଛି । ଚଳିତ ମାସ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ଧରି ଭିତରକନିକା ବନ୍ଦ ରହିଥିଲା । ଏହି ସମୟ ଅବଧି ମଧ୍ୟରେ ପକ୍ଷୀ ଓ କୁମ୍ଭୀର ଗଣନା କାର୍ଯ୍ୟ ହୋଇଥିଲା । ଏପରି ଗଣନା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଗଣନା ସମୟରେ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କାରେ ଅଭୟାରଣ୍ୟ ଭିତରକୁ ପ୍ରବେଶାନୁମତି ପ୍ରଦାନ କରାଯାଇ ନଥାଏ । ତେବେ ଆଜିଠାରୁ ଏ ବାଧା ଦୂର ହୋଇଛି । ପର୍ଯ୍ୟଟକମାନେ ଗୁପ୍ତି, ରାଜନଗର, ଡାଙ୍ଗମାଳ କିମ୍ବା କେନ୍ଦ୍ରାପଡା ବନବିଭାଗ ଠାରୁ ଅନୁମତି ନେଇ ଚର୍ଚ୍ଚିତ ହେନ୍ତାଳବନ ଆଚ୍ଛାଦିତ ଅଭୟାରଣ୍ୟ ପରିସଂସ୍ଥାରେ ବୁଲିପାରିବେ । ଚଳିତ ବର୍ଷ ଭିତରକନିକାରେ କୁମ୍ଭୀର ଓ ପକ୍ଷୀ ସଂଖ୍ୟା ବଢ଼ିଛି । ୨୦୧୭ରେ କୁମ୍ଭୀର ସଂଖ୍ୟା ୧୬୮୨ ଥିବା ବେଳେ ଚଳିତ ବର୍ଷ ଏହା ୧୬୮୯କୁ ବୃଦ୍ଧି ପାଇଛି । ୧୭୨ଟି କୁମ୍ଭୀର ୬ରୁ ୮ ଫୁଟ ଲମ୍ବର ହୋଇଥିବା ବେଳେ ୬୧୦ ଟି ୨ ଫୁଟିଆ କୁମ୍ଭୀର ଶାବକ ଥିବା ଗଣନାରୁ ଜଣାପଡିଛି । କୁମ୍ଭୀର ପରି ଚଳିତ ବର୍ଷ ଭିତରକନିକାରେ ପକ୍ଷୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୨୦୧୭ରେ ଭିତରକନିକାରେ ୭୬,୨୬୮ଟି ପକ୍ଷୀଙ୍କୁ ଠାବ କରାଯାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧ ଲକ୍ଷ ୧୨ ହଜାର ୯୩୭ରେ ପହଞ୍ଚିଛି । ବିରଳ ହେନ୍ତାଳ ଜଙ୍ଗଲ, ସନ୍ତସନ୍ତିଆ ଆଦ୍ରଭୂମି, ବିଭିନ୍ନ ନାଳ ଓ ଝରଣା କୂଳରେ ଶୋଇ ରହିଥିବା କୁମ୍ଭୀର, ବଗ ଗହନରେ ହଜାର ହଜାର ପକ୍ଷୀ ଓ ଡାଙ୍ଗମାଳରେ ପଲ ପଲ ହରିଣଙ୍କ ଉପସ୍ଥିତି ପର୍ଯ୍ୟଟକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇ ଥାଏ ।

Loading...
ONA

Leave a Reply

Top