କ୍ଷେତରେ ନିଆଁ ଲଗାଇଥିବା ଚାଷୀଙ୍କୁ ମିଳିବନି କ୍ଷତିପୂରଣ

ଭୁବନେଶ୍ୱର : ବରଗଡ଼ ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣାରେ ଜିଲ୍ଲାପାଳଙ୍କ ତିନି ଜଣିଆ ଟିମ୍ ଶନିବାର ରାଜ୍ୟ ସରକାରଙ୍କୁ  ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟକୁ ଅନୁଧ୍ୟାନ କରାଯାଇ ନିଷ୍ପତି ନିଆଯିବ ବୋଲି ଦର୍ଶାଇଛନ୍ତି କୃଷିମନ୍ତ୍ରୀ ଡା ଦାମୋଦର ରାଉତ । ଦାମୋଦର କହିଛନ୍ତି ଯେ ଯେଉଁ ଚାଷୀମାନେ ନିଜ ଜମିରେ ନିଆଁ ଲଗାଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ନାହିଁ । ତେବେ ୩୩ ପ୍ରତିଶତ ଫସଲ ହାନୀ ହୋଇଥିବା ଜମିର କ୍ଷତିପୂରଣ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏଭଳି ମନ୍ତବ୍ୟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ୩୩ ପ୍ରତିଶତ କାହିଁକି? ୩୦ ପ୍ରତିଶତ କ୍ଷତି ହୋଇଥିବା ଜମିର ଫସଲ ପାଇଁ କାହିଁକି କ୍ଷତିପୂରଣ ମିଳିବ ନାହିଁ ବୋଲି ବୁଦ୍ଧିଜୀବିମାନେ ପ୍ରଶ୍ନ ଉଠାଇଛନ୍ତି । ଚାଷୀଙ୍କ ସହିତ ସରକାର ଅଛନ୍ତି ଓ ରହିଥିବେ ବୋଲି ମୁଖ୍ୟମନ୍ତ୍ରୀ କହୁଥିବାବେଳେ ଚକଡ଼ା ପୋକ ମାଡ଼ିଥିବାବେଳେ ସରକାର କଣ ପଦକ୍ଷେପ ନେଇଥିଲେ । ବଜାରରେ ନକଲି ଓ ନିଷିଦ୍ଧ କୀଟନାଶକ ରୋକିବା ପାଇଁ ସରକାରଙ୍କ ଭୂମିକା କଣ ଥିଲା ବୋଲି ଉଠିଲାଣି ପ୍ରଶ୍ନ । ଘରୋଇ ଋଣ ଲଗାଣକୁ ପ୍ରତିହତ କରାଯାଇ ପାରିନଥିବା ବେଳେ ସରକାର ଚାଷୀମାନଙ୍କୁ ଆନୁଷ୍ଠାନିକ ଋଣ ଯୋଗାଣରେ ମଧ୍ୟ ସକ୍ଷମ ହୋଇପାରିନାହାନ୍ତି । ତେବେ ବରଗଡ଼ର ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନ ସାହୁ ନିଜ ଜମିରେ ନିଆଁ ଲଗା ଦେଇଥିବାରୁ ତାଙ୍କୁ କୌଣସି କ୍ଷତିପୂରଣ ମିଳିବ ନାହିଁ ବୋଲି କୃଷିମନ୍ତ୍ରୀ କହିବା ପରେ ଏହା ସରକାରଙ୍କ ସମ୍ବେଦନହୀନତା ବୋଲି ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ କହିଛନ୍ତି  ।