You are here
Home > ଏକ୍ସକ୍ଲୁସିଭ୍ > କ୍ଷମତା କେନ୍ଦ୍ରରେ ବାହୁବଳୀ ଲଢ଼େଇ

କ୍ଷମତା କେନ୍ଦ୍ରରେ ବାହୁବଳୀ ଲଢ଼େଇ

ଭୁବନେଶ୍ୱର: କ୍ଷମତାକେନ୍ଦ୍ରରେ ଦୁଇ ବର୍ତ୍ତମାନ ଦୁଇ ବାହୁବଳୀଙ୍କ ଭିତରେ ଲଢେଇ ଆରମ୍ଭ ହୋଇଥିବା ନେଇ ପ୍ରଶାସନିକ ମହଲରେ ଜୋରଦାର ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକେନ୍ଦ୍ରରେ ସର୍ବୋଚ୍ଚସ୍ତରରେ ଥିବା ଦୁଇ ଅଧିକାରୀଙ୍କ ଭିତରେ ଶୀତଳ ଯୁଦ୍ଧକୁ ନେଇ ଏବେ ପୁରା ଆଇଏସ୍ ଓ ଆଇପିଏସ୍ ମହଲ କୁଆଡେ ଉଠୁଛି ପଡୁଛି । ଆଇଏସ୍ ଅଧିକାରୀ ଏବେ ଆଇପିଏସ୍ ଅଧିକାରୀଙ୍କୁ କ୍ଷମତାକେନ୍ଦ୍ରରୁ ହଟାଇବା ଲାଗି ଚାହୁଁଥିବା କୁହାଯାଉଛି । ସେଥିଲାଗି ଆଇପିଏସ୍ ବଦଳି ଲାଗି ସବୁ କିଛି ଚୁଡାନ୍ତ ହୋଇ ଶେଷ ମୁହୁର୍ତ୍ତରେ ଅଟକି ରହିଛି । ଅଫିସରଙ୍କ ବଦଳି-ପୋଷ୍ଟିଂରେ କ୍ଷମତାକେନ୍ଦ୍ରଙ୍କ ନିଷ୍ପତ୍ତିରେ ହିଁ ସବୁ କିଛି ଚାଲେ ଏକଥା କାହାକୁ ଅଛପା ନାହିଁ । ବିଜେଡି ସରକାରର ସବୁ ବଡ ପଦକ୍ଷେପ ପଛରେ ଯେ ଗୁଇନ୍ଦା ବିଭାଗର ରିପୋର୍ଟ କାମ କରେ, ଏକଥା ଅନେକ ଜାଣନ୍ତି ନାହିଁ । ଆଉ ସେହି ପଲିଟିକାଲ୍ ଗୁଇନ୍ଦା ରିପୋର୍ଟ ସଂଗ୍ରହର ଦାୟିତ୍ୱ ରହିଛି ଆଇପିଏସ୍ ଅଧିକାରୀଙ୍କ କାନ୍ଧରେ । ଓଡିଶା କ୍ୟାଡର ଆଇପିଏସ୍ ଅଫିସର ଉପରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ରହିଛି ଖୁବ ବିଶ୍ୱାସ ଓ ଭରସା । ହେଲେ କ୍ଷମତାକେନ୍ଦ୍ରର ଦୁଇ ମେରୁ ପାଲଟିଥିବା ଏହି ୨ ଅଧିକାରୀ ଆଇଏଏସ୍- ଆଇପିଏସ୍ଙ୍କ ଭିତରେ ଛକାପଞ୍ଝା ଚାଲିଛି ବୋଲି ଶୁଣିବାକୁ ମିଳୁଛି । କୁଆଡେ ପୂର୍ବରୁ ଭୁବନେଶ୍ୱର କାମ କରିଥିବା ଏହି ଆଇପିଏସ ଅଧିକାରୀଙ୍କୁ କମିଶନରେଟ୍ ପୋଲିସର ମୁଖିଆ କରିବାକୁ ଚାହୁଁଛି କ୍ଷମତାକେନ୍ଦ୍ର । ଆଉ ଏବେ କମିଶନର ଭାବେ କାମ କରୁଥିବା ଅଧିକାରୀଙ୍କୁ ତାଙ୍କ ଜାଗାରେ ଅବସ୍ଥାପିତ କରିବାକୁ ଚାହୁଁଛନ୍ତି । ହେଲେ ସ୍ୱାସ୍ଥ୍ୟଗତ କାରଣରୁ ପୂର୍ବରୁ ପୋଲିସ କମିଶନର ଭାବେ ଦାୟିତ୍ୱ ନେବାକୁ ଅମଙ୍ଗ ଥିଲେ ସେଇ ଆଇପିଏସ ଅଧିକାରୀ । ପୁରୁଣା ପଦ ଛାଡି ପୋଲିସ କମିଶନର ହେବାକୁ ସେ ସଫା ମନାକରିଦେଇଛନ୍ତି । ତେବେ ସରକାରଙ୍କ ଅତି ବିଶ୍ୱସ୍ତ ଥିବା ଅଧିକାରୀଙ୍କୁ ତାକ ପଦରୁ ହଟାଇବାକୁ ଆଇଏଏସ ଅଫିସର ଗୋଷ୍ଠୀ ଲାଗି ପଡିଛନ୍ତି ବୋଲି କୁହାଯାଉଛି । ଆଗାମୀ ୨୦୧୯ ନିର୍ବାଚନରେ ବିଜେଡି ଟିକେଟ୍ ବଣ୍ଟନ ଠାରୁ ନେଇ ବଦଳି-ପୋଷ୍ଟିଂର ସବୁ ନିଷ୍ପତ୍ତି ନିଜେ କ୍ଷମତାକେନ୍ଦ୍ରରେ ନେଇପାରିବେ ଆଇଏଏସ ଅଫିସର ଗୋଷ୍ଠୀ । ହେଲେ ସରକାରଙ୍କ ନିଷ୍ପତ୍ତିରେ ଗୁରୁତ୍ୱ ରଖୁଥିବା ଆଉ ଜଣେ ଆଇପିଏସ ଅଧିକାରୀ କ୍ଷମତାକେନ୍ଦ୍ରର ଅନ୍ୟତମ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ତାକ ପଦରୁ ହଟାଇବା ସପକ୍ଷରେ ନାହାନ୍ତି । କାରଣ ତାଙ୍କୁ କ୍ଷମତାକେନ୍ଦ୍ରରେ ଅବସ୍ଥାପିତ କରିବା ପଛରେ ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କର ହାତ ଅଛି । ଏଣୁ ବର୍ତ୍ତମାନ ଯଦି ଏହି ବରିଷ୍ଠ ଅଧିକାରୀ ବଦଳିଯାନ୍ତି ତେବେ ତାଙ୍କ ପାଇଁ ବି କ୍ଷମତାକେନ୍ଦ୍ରରେ ରହି କାମ କରିବା କଷ୍ଟକର ହେବ ।
ସରକାରଙ୍କ ବିଶ୍ୱସ୍ତ ଆଇଏଏସ-ଆଇପିଏସ ଗୋଷ୍ଠୀ ମଧ୍ୟରେ ଲଢେଇ ଚାଲିଥିବା ଯୋଗୁ ରାଜ୍ୟ ପୋଲିସ ପ୍ରଶାସନରେ ସ୍ଥାଣୁତା ଆସିଗଲାଣି । ଯାହର ଝଲକ ଆଇପିଏସ୍ ସ୍ତରରେ ବଡ଼ଧରଣର ବଦଳି ଚୂଡ଼ାନ୍ତ ନ ହୋଇପାରିବାରୁ ସ୍ପଷ୍ଟ ହେଉଛି । ପାୱାର କରିଡରରେ ହେଉଥିବା ଆଲୋଚନା ଅନୁସାରେ ଆଇପିଏସ୍ ବଦଳି ପ୍ରକ୍ରିୟାରେ କୁଆଡ଼େ ‘ଆଇଏଏସ ଅଫିସର ଲବିର’ ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ଏହା ଚୂଡ଼ାନ୍ତ ହୋଇପାରୁନି । କ୍ଷମତାକେନ୍ଦ୍ରଙ୍କ ଇସାରାରେ କାର୍ଯ୍ୟ କରିବାକୁ ବରିଷ୍ଠ ଆଇପିଏସ ଅଫିସର ଅରାଜି ହେବା ପରଠାରୁ ଉଭୟଙ୍କ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇଛି ବୋଲି ଚର୍ଚ୍ଚା । ବିଶେଷକରି ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଦୁର୍ବଳ ପ୍ରଦର୍ଶନ ପଛରେ କୁଆଡ଼େ କ୍ଷମତାକେନ୍ଦ୍ର ଓ ଆଇପିଏସ୍ ଅଫିସରଙ୍କ ଛକାପଞ୍ଝା ଦାୟୀ । ଚର୍ଚ୍ଚା ହେଉଛି ଅନେକ ପ୍ରସଙ୍ଗରେ ସରକାରଙ୍କୁ ସେଇ ଆଇପିଏସ ଅଧିକାରୀ ଦେଉଥିବା ଇନପୁଟକୁ କୁଆଡ଼େ କ୍ଷମତାକେନ୍ଦ୍ର ଅଣଦେଖା କରୁଛନ୍ତି । ଏପରିକି ସରକାରଙ୍କ ନିକଟରେ କିପରି ଏହି ଇନ୍ପୁଟ୍ ପହଞ୍ଚି ନପାରିବ ତାହା ଉପରେ କାଳେ କ୍ଷମତାକେନ୍ଦ୍ର କିଛି ଅଧିକାରୀ ନଜର ରଖୁଛନ୍ତି । କୁହାଯାଉଛି, ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ କେଉଁଠି ଥଇଥାନ କରାଯିବ ତାହା ଠିକ୍ ହେଉନଥିବାରୁ ଆଇପିଏସ୍ ଅଫିସର ବଦଳି ଚୂଡ଼ାନ୍ତ ହୋଇପାରୁନି । ଶୁଣିବାକୁ ମିଳୁଛି, ଆଇପିଏସ୍ ଅପିସରଙ୍କ ବଦଳିରେ କୁଆଡ଼େ ଡିଜିପିଙ୍କ କୌଣସି ମତାମତକୁ ମଧ୍ୟ ଗୁରୁତ୍ୱ ମିଳିନି । ନିଜର କୋର୍ ଟିମ୍ ମାଧ୍ୟମରେ ‘କ୍ଷମତା କେନ୍ଦ୍ର’ କୁଆଡ଼େ ତାଲିକା ପ୍ରସ୍ତୁତ କରିଛନ୍ତି, ଯାହାର ଆଭାସ ପାଇବା ପରେ ଆଇପିଏସ୍ ଅଧିକାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରି ସ୍ଥିତିରେ ଏହି ପାୱାରଫୁଲ୍ ବରିଷ୍ଠ ଆଇପିଏସ୍ ଅଧିକାରୀ ଜଣଙ୍କ କୁଆଡ଼େ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Loading...
ONA

Leave a Reply

Top