କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣା: ୬ଜଣିଆ ତଦନ୍ତ ଟିମ୍ ଗଠନ

0
1

କଟକ: କଟକ ଏସସିବି ମେଡିକାଲ ପରିସରରେ କ୍ଲୋରିନ୍ ଗ୍ୟାସ ଲିକ୍ ଘଟଣାରେ ଜିଲ୍ଲାପାଳ ୬ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି । ଏଡିଏମ(ରାଜସ୍ୱ) ରଘୁରାମ ଆୟାରଙ୍କ ନେତୃତ୍ୱରେ ଏହି କମିଟି ଗଠନ ହୋଇଛି । ଜିଲ୍ଲା ଫାୟାର ଅଧିକାରୀ, ଫ୍ୟାକ୍ଟ୍ରି ଓ ବୟଲର ଅତିରିକ୍ତ ନିର୍ଦେଶକ ଏସସିବି ଅଧୀକ୍ଷକ ଓ ପିଏଚଡି ଅଧକାରୀ କମିଟିରେ ସଦସ୍ୟ ଅଛନ୍ତି । ୫ବର୍ଷର ପୁରୁଣା ଗ୍ୟାସ ଟାଙ୍କିକୁ କାହିଁକି ବ୍ୟବହାର କରାଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଗତକାଲି ମେଡିକାଲ କଲେଜ ହଷ୍ଟେଲ ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସରୁ କ୍ଲୋରିନ୍ ଗ୍ୟାସ ଲିକ୍ ହୋଇ ୪୬ ଜଣ ଅସୁସ୍ଥ ହୋଇ ପଡିଥିଲେ । ଅସୁସ୍ଥଙ୍କ ମଧ୍ୟରେ ୩ଜଣ ଅଗ୍ନିଶମ କର୍ମଚାରୀ, କିଛି ଛାତ୍ର ଓ ରୋଗୀଙ୍କ ସମ୍ପର୍କୀୟ ଥିଲେ । ଅସୁସ୍ଥଙ୍କ ମଧ୍ୟରୁ ୨୫ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସ ନିକଟରେ ଜଳ ବିଶୋଧନ ପାଇଁ ତିନିଟି କ୍ଲୋରିନ୍ ଗ୍ୟାସ ଟାଙ୍କି ରହିଥିଲା । ହେଲେ ସେଥିରୁ କଳଙ୍କି ଲାଗି ଗୋଟିଏ ଟାଙ୍କିରୁ ଗ୍ୟାସ ଲିକ୍ ହୋଇଥିଲା । ପ୍ରଭାବରେ ଆଖପାଖରେ ଥିବା ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ । ପରେ ଗ୍ୟାସ ନିର୍ଗତ ହେଉଥିବା ଟାଙ୍କିକୁ ନିକଟସ୍ଥ ମହାନଦୀ ପଠାକୁ ନିଆଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here