କଂଗ୍ରେସ ପ୍ରସ୍ତୁତ କଲା ଡ୍ରାଫ୍ଟ : ମୁଖ୍ୟ ବିଚାରପତିଙ୍କ ବିରୋଧରେ ଆସିବ ମହାଭିଯୋଗ !

2

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଚାରି ବରିଷ୍ଠ ଜଜ ଦ୍ଵାରା ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବାର କିଛି ମାସ ପରେ ଏବେ ରାଜନୈତିକ ଦଳ ମଧ୍ୟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବାର ମନସ୍ଥ କରିଛନ୍ତି। ସୂତ୍ର ମୁତାବକ କଂଗ୍ରେସ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଏକ ଡ୍ରାଫ୍ଟ ଅନେକ ଦଳକୁ ବାଣ୍ଟିଛନ୍ତି। ଜାନୁଆରୀରେ ସିପିଏମ ମହାସଚିବ ସୀତାରାମ ୟେଚୁରୀ ମଧ୍ୟ କହିଥିଲେ ଯେ ସେ ବିରୋଧୀ ଦଳଙ୍କ ସହ ମିଶି ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ଚର୍ଚ୍ଚା କରୁଛନ୍ତି।
ଏ ପର୍ୟ୍ୟନ୍ତ କଂଗ୍ରେସ ମୁଖ୍ୟ ବିଚାରପତି ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପଛଘୁଞ୍ଚା ଦେଇ ଆସୁଥିଲା, କାରଣ ପାର୍ଟି ଭିତରେ ସର୍ବସମ୍ମତି ପ୍ରକାଶ ପାଇପାରୁନଥିଲା। ଏହି ପ୍ରସଙ୍ଗରେ ପାର୍ଟି ଭିତରେ କାନୁନ ବିଶେଷଜ୍ଞ ନେତାଙ୍କ ସହିତ ଅନ୍ୟ ନେତାଙ୍କ ଦୁଇଟି ରାୟ ରହିଥିଲା। ଗୋଟିଏ ଗୋଷ୍ଠୀ ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ନ୍ୟାୟପାଳିକାରେ ଦଖଲ ଦେବାର ଆବଶ୍ୟକତା ନାହିଁ ବୋଲି କହୁଥିଲେ। ଏହି ଗୋଷ୍ଠୀଙ୍କ କହିବା କଥା ଜଣେ ବ୍ୟକ୍ତି ବାହାନାରେ ନ୍ୟାୟପାଳିକାକୁ ଟାର୍ଗେଟ୍ କରାଯାଇ ପାରିବ ନାହିଁ। କୁହାଯାଉଥିଲା ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଗୋଷ୍ଠୀରେ ରାୟରେ ସହମତି ହେବେ, ମାତ୍ର ଅନେକ ବୈଠକ ପରେ କଂଗ୍ରେସ ମୁଖ୍ୟ ବିଚାର ପତି ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ମନସ୍ଥ କରି ସାରିଛି।
କେମିତି ଆସିଥାଏ ମହାଭିଯୋଗ ପ୍ରସ୍ତାବ
କୌଣସି ଜଜଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସଂସଦର କୌଣସି ଗୃହରେ ମଧ୍ୟ ଉପସ୍ଥାପନ କରାଯାଇ ପାରିବ। ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଗୃହରେ ଅତି କମରେ ୧୦୦ ସଦସ୍ୟଙ୍କ ପ୍ରସ୍ତାବ ସପକ୍ଷରେ ଦସ୍ତଖତ ରହିବା ଉଚିତ୍। ଅନ୍ୟ ପଟେ ରାଜ୍ୟସଭାରେ ଏହି ପ୍ରସ୍ତାବକୁ ଉପସ୍ଥାପନା କରିବା ପାଇଁ ଗୃହରେ ୫୦ ସଦସ୍ୟଙ୍କ ସମର୍ଥନ ଜରୁରୀ ଅଟେ। ଯଦି କୌଣସି ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ ହୁଏ ତେବେ ପ୍ରସ୍ତାବ ଉପରେ ଗୃହର ସଭାପତି ତଥା ଅଧ୍ୟକ୍ଷ ପ୍ରସ୍ତାବକୁ ସ୍ଵୀକାର କିମ୍ବା ଖାରଜ କରି ପାରିବେ।
ଉଲ୍ଲେଖନୀୟ ସୁପ୍ରିମକୋର୍ଟର ୪ ଜଜ ଜଷ୍ଟିସ ଚେଲମେଶ୍ଵର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ମଦନ ଭୀମରାଓ ଲୋକୁର, ଜଷ୍ଟିସ କୁରିୟନ ଜୋସେଫ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ପ୍ରଶାସନିକ କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଚାରି ଜଣ ଏକ ଚିଠି ମଧ୍ୟ ଜାରି କରିଥିଲେ। ଯେଉଁଥିରେ ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଯାଇଥିଲା।

LEAVE A REPLY

Please enter your comment!
Please enter your name here