କଂଗ୍ରେସ୍ ମୁକ୍ତ ପୁରୀ

1

ଭୁବନେଶ୍ୱର: କୁହନ୍ତି ଭାରତର ରାସ୍ତା କେବେ ଖାଲ-ଢିପ ମୁକ୍ତ ହୋଇପାରିବ ନାହିଁ । ଆଉ ଭାରତରୁ ସର୍ବ ପୁରାତନ ଦଳ କଂଗ୍ରେସ କେବେବି ମୁକ୍ତ ହୋଇପାରିବ ନାହିଁ । ଦେଶର ପ୍ରତି ଗାଁରେ ନିଶ୍ଚିତ ଜଣେ ଲୋକ ମିଳିବ ଯେ କଂଗ୍ରେସ ଦଳର ଅନ୍ଧ ସମର୍ଥକ ହୋଇଥିବେ । କିନ୍ତୁ ନବୀନ ପଟ୍ଟନାୟକ ଏମିତି ଯାଦୁ କଲେ ଯେ ୨୦୧୪ ବିଧାନସଭା ନିର୍ବାଚନରେ ପୁରୀ ଜିଲ୍ଲାରୁ ଜଣେ ହେଲେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇ ପାରିଲେ ନାହିଁ । ଜିଲ୍ଲାରେ ଥିବା ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବ୍ରହ୍ମଗିରିକୁ ବାଦ ଦେଲେ ପୁରୀ, ସତ୍ୟବାଦୀ, ପିପିଲି, ନିମାପଡା ଏବଂ କାକଟପୁରରେ ଅବସ୍ଥା ଶୋଚନୀୟ ହୋଇଗଲା । ବାକି ଯାହାଥିଲା ପଞ୍ଚାୟତ ନିର୍ବାଚନରେ ବିଜେପି ସବୁ ଧୋଇ ନେଲା । ଗତ ପଞ୍ଚାୟତ ନିର୍ବାଚନରେ ପୁରୀ ଜିଲ୍ଲାରେ ବିଜେଡି ସର୍ବାଧିକ ୪ ଲକ୍ଷ ୨୭ହଜାର ୯୬ଖଣ୍ଡ ଭୋଟ ପାଇଥିଲା । ସେହିପରି ବିଜେପି ୨ଲକ୍ଷ ୪୨ହଜାର ୫୩୧ଭୋଟ ପାଇ କଂଗ୍ରେସ ଦଳକୁ ତୃତୀୟ ସ୍ଥାନକୁ ଠେଲି ଦେଲା । ତେବେ କଂଗ୍ରେସର କିଛିଟା ମାନମହତ ବଜାୟ ରଖିଥିଲେ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମର୍ଥକ । ବ୍ରହ୍ମଗିରିରେ କଂଗ୍ରେସକୁ ୬୭ହଜାର ୪୩୮ଭୋଟ ମିଳିବାରୁ ପୁରୀ ଜିଲ୍ଲାରେ କଂଗ୍ରେସ ୧ ଲକ୍ଷ ୮୩ ହଜାର ୯୯୮ ଭୋଟ ପାଇବାକୁ ସମର୍ଥ ହେଲା । କିନ୍ତୁ ଏବେ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିଜ ଜିଲ୍ଲାରେ କଂଗ୍ରେସର ମେରୁଦଣ୍ଡ ଭାଙ୍ଗିଗଲାଣି । ଗୋଟିଏ ପଟେ ଲୁଲୁ ମହାପାତ୍ରଙ୍କ ଅକାଳ ବିୟୋଗ, ଅନ୍ୟପଟେ ପ୍ରସାଦ ଓ ରାହୁଲ ଗାନ୍ଧିଙ୍କ ଉପରୁ ଆସ୍ଥା ହରାଇ ଜଣଙ୍କ ପରେ ଜଣେ କଂଗ୍ରେସର ଟାଣୁଆ ନେତା ଦଳ ଛାଡୁଛନ୍ତି ।  
ଏଭିତରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲୁଲୁ ମହାପାତ୍ରଙ୍କ ଫ୍ୟାମିଲିକୁ ନିଜ ପଟକୁ ନେଲାଣି ବିଜେପି । ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଲୁଲୁଙ୍କ ଝିଅ ଉପାସନା କଂଗ୍ରେସକୁ ଅଲବିଦା କହିଲେଣି । ଯାହା ପ୍ରଦେଶ କଂଗ୍ରେସକୁ ଏକ ବଡ ଝଟକା । କେବଳ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ନୁହେଁ ଜିଲ୍ଲାର ବାକି ୫ଟି ବିଧାନସଭା କ୍ଷେତ୍ର ଉପରେ ଲୁଲୁ ପରିବାରର ଯଥେଷ୍ଟ ପ୍ରଭାବ ରହିଛି, ସେଥିପାଇଁ ଆଗାମୀ ନିର୍ବାଚନରେ ପୁରୀ ଜିଲ୍ଲାରେ କଂଗ୍ରେସ ତା’ର ସତ୍ତା ହରାଇବା ଏକପ୍ରକାର ନିଶ୍ଚିତ ବୋଲି ଆଲୋଚନା ହେଉଛି । ପ୍ରଥମେ ଯଦି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଥା ଦେଖିବା ତାହା ହେଉଛି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିର୍ବାଚନ କ୍ଷେତ୍ର । ଏଠି କିନ୍ତୁ କଂଗ୍ରେସ ତିନି ନମ୍ବର ସ୍ଥାନରେ ରହିଛି । ଉମାକାନ୍ତ ସାମନ୍ତରାୟ ଏଠି ସ୍ୱାଧୀନ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଏବେ ଉମା ବିଜେଡିରେ ମିଶି ଆହୁରି ବଳୀୟାନ । କେବଳ ଉମା ନୁହଁନ୍ତି  ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ବିଜେଡିରୁ ଆଡଋଷା ଦେଇ ବିଜେପି ମୁହାଁ ହେଲେଣି । ଏହି ଦୁଇ ନେତାଙ୍କ ଭିତରେ ସତ୍ୟବାଦୀରେ ଟକ୍କର ଚାଲିଛି । ପ୍ରସାଦ ହରିଚନ୍ଦନ ସେଠି ତୃତୀୟ ସ୍ଥାନରେ । ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ କଂଗ୍ରେସ ପାଇଥିଲା ମାତ୍ର ୩୪ ହଜାର ୫୧ ଭୋଟ । ଯାହାକି ବିଜେପି ଓ ବିଜେଡି ଠାରୁ ଯଥେଷ୍ଟ  କମ । ଯଦିଓ ସତ୍ୟବାଦୀର କଂଗ୍ରେସ କର୍ମୀମାନେ ନିଜ ଦଳ ଉପରେ ବୀତସ୍ପୃହ; କିନ୍ତୁ ସେମାନଙ୍କର ନେତା ପ୍ରସାଦ ହରିଚନ୍ଦନ କଂଗ୍ରେସ ଛାଡି ପାରିବେ ନାହିଁ ।
ପୁରୀ ଜିଲ୍ଲାର ଏକମାତ୍ର ସଂରକ୍ଷିତ ବିଧାନସଭା ଆସନ କାକଟପୁରରେ ବି ଏକା ସ୍ଥିତି ରହିଛି । ଏଠି ପଛରେ ପଡିଥିବା ବିଜେପି ଏବେ ଦ୍ୱିତୀୟ ସ୍ଥାନରେ । କଂଗ୍ରେସର ପୋଜିସନ ନମ୍ବର ଥ୍ରୀ । ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ମିଳିଛି  ୩୦ହଜାର ୪୯୩ ଭୋଟ । ଦୁଇ-ଦୁଇ ଥରର ବିଧାୟକ ବାଇଧର ମଲ୍ଲିକ ଏବେ କାକଟପୁର କଂଗ୍ରେସ କର୍ମୀଙ୍କୁ ବିଜେପିରେ ମିଶାଇବାରେ ଲାଗି ପଡିଛନ୍ତି । ଆଉ ନିମାପଡାରେ କଂଗ୍ରେସ କଥା ନହିବା ଭଲ । ନିମାପଡା କଂଗ୍ରେସ ଫେସ୍ ହୋଇଥିବା ଡ. ବିଶ୍ୱରଞ୍ଜନ ମହାନ୍ତି ଖାଲି ନୁ୍ୟଜ ଚ୍ୟାନେଲ ବିତର୍କରେ ଭାଗ ନେବାରେ ବ୍ୟସ୍ତ । ସେପଟେ ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡା ଭାରି ଆଗ୍ରେସିଭ୍ । ଗଲା ପଞ୍ଚାୟତ ନିର୍ବାଚନରେ ବିଜେଡି ବିଧାୟକ ସମୀର ଦାଶଙ୍କୁ ପାଣି ପିଆଇ ଦେଇ ୭୧ହଜାର ୬୧୮ଖଣ୍ଡ ଭୋଟ ଦଳ ପାଇଁ ଗୋଟାଇ ବିଜେପିକୁ ନମ୍ବର-ଟୁ କୁ ଆଣିଦେଲେ । ଆଉ କଂଗ୍ରେସ ଦଳ ୧୮ ହଜାର ୪୦ ଭୋଟ ପାଇ ତିନି ନମ୍ବର ରହିଲା । ସେଥିପାଇଁ ନିମାପଡା କଂଗ୍ରେସ ନେତାଏ କହୁଛନ୍ତି ଟିଭିପ୍ରିୟ ନେତା ବିଶ୍ୱରଞ୍ଜନଙ୍କୁ ଭରସା ନକରି ସୁଯୋଗ ଦେଖି ବିଜେଡି-ବିଜେପିକୁ ଡେଇଁ ପଡିବା ଭଲ ବୋଲି ବିଚାର କରୁଛନ୍ତି । ପିପିଲିରେ କଂଗ୍ରେସ ଅବସ୍ଥା ନକହିଲେ ଭଲ । ପିପିଲି ବ୍ଲକ ପୂର୍ବତନ ଚେୟାରମ୍ୟାନ ତଥା ଜିଲ୍ଲାପରିଷଦ ସଦସ୍ୟ ଆଶ୍ରିତ ପଟ୍ଟନାୟକ କଂଗ୍ରେସ ଛାଡି ପଦ୍ମ ଧରିଛନ୍ତି । ଆଉ ଏହି ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ଓ ତାଙ୍କ ପୁଅ ପ୍ରିୟବ୍ରତ(ରାଜା)ଙ୍କ କଥା ନକହିଲେ ଭଲ । ସଂଗଠନ ଏବେ ଯେମିତି ତାଙ୍କ ନିୟନ୍ତ୍ରଣରେ ଥିଲା ପରି ଲାଗୁନି । ଯଦିଓ ପଞ୍ଚାୟତ ନିର୍ବାଚନ ସମୟରେ ଯୁଧିଷ୍ଠିର ହତ୍ୟା ମାମଲାରେ ଜେଲରେ ଥିଲେ; ତେବେ ସେତେବେଳେ କଂଗ୍ରେସକୁ ମିଳିଲା ମାତ୍ର ୨୯ହଜାର ୭୧୯ ଭୋଟ । ଲଗାତର ୪ଥର ବିଧାନସଭା ନିର୍ବାଚନରେ ଯୁଧିଷ୍ଠିର ପରାଜିତ ହେବା ଓ ଜେଲରୁ ବାହାରିବା ପରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ସହ ସନ୍ଧି କରିଛନ୍ତି ବୋଲି ପିପିଲିରେ ଚର୍ଚ୍ଚା । ଆଉ ଶ୍ରୀକ୍ଷେତ୍ର ପୁରୀ ବିଧାନସଭା ଆସନରେ ଉମା ବଲ୍ଲଭ ରଥ କଂଗ୍ରେସରେ ଥିବା ପରି ଲାଗୁନି । ଶୁଣାଯାଉଛି ସେ ଏବେ କୁଆଡେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଲାଞ୍ଜ ଧରି ଦଳ ଛାଡିବା ଚକ୍କରରେ ଅଛନ୍ତି । ସେମିତିବି ପୁରୀ ସଦର ବ୍ଲକରେ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ମାତ୍ର ୪ହଜାର୨୫୭ ଭୋଟ ପାଇ ସବୁଠୁ ପଛରେ ରହିଥିଲା । ଏସବକୁ ଦେଖିଲେ ଲାଗୁଛି ବିଜେପିର କଂଗ୍ରେସ ମୁକ୍ତ ନାରା ପୁରୀ ଜିଲ୍ଲାରୁ ହିଁ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here