କଂଗ୍ରେସରେ ନୂଆ କଳି

ଦିନେ ରାଜ୍ୟ କଂଗ୍ରେସ
ରାଜନୀତିରେ ପ୍ରସାଦ-ମୋକିମଙ୍କୁ ନେଇ
ଭୁବନେଶ୍ୱରୁ ଦିଲ୍ଲୀ ଦରବାର ଯାଏଁ ଚର୍ଚ୍ଚା ଥିଲା । କେହି କାହାକୁ ଦଣ୍ଡେ ନ ଦେଖିଲେ ରହିପାରୁନଥିଲେ । ପ୍ରସାଦଙ୍କ ସବୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅଣ୍ଟା ଭିଡୁଥିଲେ ମୋକିମ । ଆଉ ମୋକିମଙ୍କ ଲୟାଲିଟିକୁ ପରଖି ପିସିସି ସଭାପତି ପ୍ରସାଦ ମୋକିମଙ୍କୁ ଧରାଇ ଦେଇଥିଲେ ରାଜ୍ୟ କଂଗ୍ରେସର ଭଣ୍ଡାର ଘରର ଚାବି । ହେଲେ ଏବେ ଆଉ ଉଭୟଙ୍କ ଭିତରେ ସେ ଭାବ ନାହିଁ । ପ୍ରସାଦଙ୍କ କ୍ୟାମ୍ପ ଛାଡି ମୋକିମ ଏବେ ନିରଞ୍ଜନଙ୍କ ଶରଣରେ । ତେବେ ଏହା ପଛରେ ଟଙ୍କା ଓ କ୍ଷମତା ମୋହକୁ ନେଇ କଳି ଥିବା ଚାଲିଛି ଚର୍ଚ୍ଚା । ଯାହା କଂଗ୍ରେସ ରାଜନୀତିକୁ ରୋଚକ କରିଛି ।…

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ କନ୍ଦଳ କିଛି ନୂଆ କଥା ନୁହେଁ । ଏଠି କିଏ ପିସିସି ଚୌକି ହାତେଇବ ତାକୁ ନେଇ ଚାଲିଥାଏ କଳି । ବିଭିନ୍ନ ଗୋଷ୍ଠୀର ନେତାଙ୍କ ଭିତରେ ଛକାପଞ୍ଝା ବି ଚାଲେ । ହେଲେ ଏବେ ରାଜ୍ୟ କଂଗ୍ରେସରେ ଆଉ ଏକ ନୂଆ କଳି ପଦାକୁ ଆସିଛି । ଏହି କଳିକୁ ନେଇ ଏବେ ଦଳର ନେତାଙ୍କ ଭିତରେ ଉପକୂଳରୁ ପଶ୍ଚିମ ଓଡିଶା ଯାଏ ଚାଲିଛି ଟୁପୁରୁଟାପୁରୁ ।
ରାଜ୍ୟ କଂଗ୍ରେସ ରାଜନୀତିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ଯୋଡିକୁ ନେଇ ଢେର ଚର୍ଚ୍ଚା ଥିଲା । ଉଭୟ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଥିଲେ । ଯେଉଁଥିପାଇଁ ମହମ୍ମଦ ମୋକିମ୍ଙ୍କୁ କଂଗ୍ରେସ ଭଣ୍ଡାର ଚାବି ଧରାଇ ଦେଇଥିଲେ ପ୍ରସାଦ । ମହମ୍ମଦ ମୋକିମ୍ଙ୍କୁ କରିଥିଲେ ରାଜ୍ୟ କଂଗ୍ରେସର କୋଷାଧ୍ୟକ୍ଷ । ଆଉ ମୋକିମ ବି ପ୍ରସାଦଙ୍କ ସବୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅଣ୍ଟା ଭିଡି ଆଗକୁ ବାହାରୁଥିଲେ । ଏମିତିକି ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଯେତେବେଳେ ପ୍ରସାଦଙ୍କୁ ପିସିସି ଚୌକିରୁ ହଟାଇବାକୁ ଗୋଟିଏ ଗୋଷ୍ଠୀ ଲାଗିଥିଲେ ସେତେବେଳେ ଦଳର ଅନ୍ୟ ଗୋଷ୍ଠୀ ଓ କଂଗ୍ରେସ ବିଧାୟକ ଦଳ ବିରୋଧରେ ଯାଇ ମୋକିମ ପ୍ରସାଦଙ୍କ ସପକ୍ଷରେ ଲବିକୁ ଜୋରଦାର କରିଥିଲେ । ଜିଲ୍ଲା ସଭାପତିଙ୍କୁ ଏକାଠି କରି ଦିଲ୍ଲୀ ନେଇଥିଲେ । ହେଲେ ଏବେ ସମୟ ବଦଳିଛି; ପ୍ରସାଦ ଆଉ ମୋକିମଙ୍କ ଭିତରେ ଦୂରତା ବି ବଢିଛି ବୋଲି ଚର୍ଚ୍ଚା ଚାଲିଛି । ମୋକିମ ଏବେ ପ୍ରସାଦଙ୍କ କ୍ୟାମ୍ପ ଛାଡି ବିରୋଧୀ ଦଳ ନେତା ଏବଂ ନିରଞ୍ଜନ ପଟ୍ଟନାୟକ ଶରଣ ପଶିଛନ୍ତିି । ଏହା ପଛରେ କେତେକ କାରଣ ଥିବା ଚର୍ଚ୍ଚା ହେଉଛି ।
ପ୍ରସାଦ ଓ ମୋକିମଙ୍କ ଭିତରେ ଟଙ୍କାକୁ ନେଇ କୁଆଡେ କଳି ଚରମ ସୀମାରେ ପହଁଚିଛି । ସେଥିଲାଗି କାଳେ ମୋକିମ ପ୍ରସାଦଙ୍କ କ୍ୟାମ୍ପ ଛାଡିଛନ୍ତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ କ୍ୟାମ୍ପରୁ କୋଷାଧ୍ୟକ୍ଷ ମହମ୍ମଦ ମୋକିମଙ୍କ ପଳାୟନ ପଛରେ ଟଙ୍କା ନେଣଦେଣ ଥିବା କୁହାଯାଉଛି । ଶୁଣିବାକୁ ମିଳୁଛି ଗଲା ପଞ୍ଚାୟତ ନିର୍ବାଚନ ବେଳେ କୁଆଡ଼େ ମୋକିମ୍ଙ୍କଠାରୁ ପ୍ରସାଦ ୮୫ ଲକ୍ଷ ଟଙ୍କା ଆଣିଥିଲେ । ଆଉ କିଏ କହୁଛି କୋଟିଏ ଟଙ୍କା ଆଣିଥିଲେ । ପ୍ରସାଦ ସେଇ ଅର୍ଥକୁ ମୋକିମଙ୍କୁ ଫେରସ୍ତ କରିବେ ବୋଲି କାଳେ କଥା ବି ଦେଇଥିଲେ । ଉକ୍ତ ଟଙ୍କା ଦଳୀୟ ପାଣ୍ଠି ନଥିଲା ବରଂ ମୋକିମ୍ଙ୍କ ନିଜସ୍ୱ ଅର୍ଥ ଥିଲା । ତେଣୁ ପଞ୍ଚାୟତ ନିର୍ବାଚନ ପରେ ମୋକିମ୍ ଏହି ଟଙ୍କା ଫେରି ପାଇବାକୁ ଚାହିଁବାରୁ କାଳେ ପ୍ରସାଦ କେବଳ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି ଓ ଫେରସ୍ତ ନାଁ ଧରୁନାହାନ୍ତି । ଯେଉଁଥିପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବଢ଼ିଛି । ଆଉ କିଛି କର୍ମୀଙ୍କ କହିବା କଥା ମୋକିମ ପ୍ରସାଦଙ୍କ କ୍ୟାମ୍ପ ଛାଡିବା ପଛରେ କୁଆଡେ ପଦବୀ ମୋହ ରହିଛି । ପ୍ରସାଦ କାଳେ ମୋକିମଙ୍କୁ କଥା ଦେଇଥିଲେ ତାଙ୍କୁ ପିସିସି ସଭାପତି ଦାୟିତ୍ୱରୁ ଅବ୍ୟାହତି ଦେବାକୁ ଦାବି ବଢୁଥିବାରୁ ସଂଖ୍ୟା ଲଘୁ ନେତା କଥା ଉଠାଇ ମୋକିମଙ୍କୁ ସେଇ ପଦରେ ବସାଇବାକୁ କେନ୍ଦ୍ରୀୟ ନେତାଙ୍କ ପାଖରେ ଲବି କରିବେ । ହେଲେ ପ୍ରସାଦ ତାହା କଲେନି ବୋଲି ସୁବିଧାବାଦୀ ମୋକିମ କୁଆଡେ ପ୍ରସାଦଙ୍କ ପାଖ ଛାଡିଛନ୍ତି । ଆଉ ନିରଞ୍ଜନଙ୍କୁ ପିସିସି ମୁଖିଆ ପଦବୀ ମିଳିବ ବୋଲି ଆଭାସ ପାଇ ତାଙ୍କ ପାଖକୁ ଆଉଜିଛନ୍ତି । ତେବେ କାରଣ ଯାହା ହେଉନା କହିଁକି ପ୍ରସାଦ ଓ ମୋକିମଙ୍କ ଭିତରେ ଦୂରତା ବଢିଥିବା ୁ ଜଳ ଜଳ ଦେଖା ଯାଉଛି । ଯାହାକି ଦଳୀୟ ରାଜନୀତିରେ ପ୍ରତିଫଳିତ ହେଉଛି ବୋଲି ଉଭୟ କ୍ୟାମ୍ପର କର୍ମୀମାନେ ଖୋଲାଖୋଲି କହି ବୁଲୁଛନ୍ତି । ନିକଟରେ କଟକରେ ଆୟୋଜିତ କଂଗ୍ରେସ ସଂକଳ୍ପ ସମାବେଶରେ ଏହାର ଝଲକ ଦେଖିବାକୁ ମିଳିଥିଲା । ପ୍ରସାଦଙ୍କୁ ନ ଡାକି ମୋକିମ ସମାବେଶକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପିସିସି ରେସରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ଡାକିଥିଲେ । କେବଳ ସେତିକି ନୁହେଁ, କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଏସ୍ସିବି କର୍ତ୍ତୃପକ୍ଷଙ୍କ ନାଁରେ କଟକରେ ଥାନାରେ ମାମଲା ରୁଜୁ କରିବା ସମୟରେ ବି ସେଇ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଥାନାରେ ଏଫ୍ଆଇଆର ଦେବା ପାଇଁ ଆୟୋଜିତ କାର୍ଯ୍ୟକ୍ରମର ନେତୃତ୍ୱ ପ୍ରସାଦ ନେବାର ଥିଲା । ହେଲେ ମୋକିମ ସେଠାରେ ଆଗୁଆ ପହଁଚି ଯାଇଥିଲେ । ସେପଟେ ମୋକିମ୍ ସେଥିରେ ସାମିଲ ହେଉଥିବା ଜାଣି ପ୍ରସାଦ କୁଆଡ଼େ କଟକ ସର୍କିଟ ହାଉସ୍ରେ ବସି ରହି ଭୁବନେଶ୍ୱର ଫେରିଥିଲେ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ବରଗଡ଼ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ପ୍ରସାଦ ବରଗଡ଼ରେ ପହଁଚିବା ପୂର୍ବରୁ ମୋକିମଙ୍କ କଥାରେ କୁଆଡେ ଜିଲ୍ଲା କଂଗ୍ରେସ ସଭାପତି ସମ୍ପୃକ୍ତ କାର୍ଯ୍ୟ ସାରିଦେଇଥିଲେ । ପ୍ରସାଦ ବରଗଡ଼ରେ ପହଞ୍ଚି ଜିଲ୍ଲାପାଳଙ୍କୁ ଏନେଇ ସମୟ ମାଗିବାରୁ ସିଏ କୁଆଡ଼େ ଭେଟିବା ପାଇଁ ମନା କରିଦେଇଥିଲେ । ବାବୁ ନିଜର ସ୍ଥିତି ବୁଝି କୁଆଡ଼େ ଜିଲ୍ଲାପାଳଙ୍କୁ କାକୁତିମିନତି ହୋଇ ତାଙ୍କ ସହ ଯାଇଥିବା ୭-୮ଜଣଙ୍କୁ କେବଳ ପ୍ରତୀକାତ୍ମକ ଗିରଫ ନିମନ୍ତେ ଅନୁରୋଧ କରିଥିଲେ । ଜିଲ୍ଲାପାଳ ମଧ୍ୟ ସଦୟ ହୋଇ ସେଥିରେ ସମ୍ମତି ଜଣାଇଥିଲେ । ଚର୍ଚ୍ଚା ହେଉଛି ମୋକିମ୍ ଏବେ ପ୍ରସାଦ କ୍ୟାମ୍ପ୍ ଛାଡ଼ି ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ କ୍ୟାମ୍ପ୍ରେ ସାମିଲ ହୋଇ କଂଗ୍ରେସରେ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖୁଥିବାବେଳେ ପ୍ରସାଦ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here