ଏପ୍ରିଲ ୧୫ରୁ ଓଡ଼ିଶାରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ

1

ଭୁବନେଶ୍ୱର: ନିକଟରେ ୟୁପି ଓ ଉତ୍ତରାଖଣ୍ଡରେ ବହୁମତ ସହ ୫ଟି ରାଜ୍ୟରୁ ୪ଟିରେ କ୍ଷମତାସୀନ ହେବା ପରେ ଏବେ ଓଡ଼ିଶା ଉପରେ ନଜର ପକାଇଛି ବିଜେପି । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ରାଜ୍ୟରେ ଅଦ୍ଭୁତପୂର୍ବ ସଫଳତା ମିଳିଥିଲା । ଏନେଇ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନକୁ ନେଇ ଦଳ ଏବେଠୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୫ ଏବଂ ୧୬ରେ ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଶନିବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶାରେ ଆୟୋଜିତ ହେବାକୁଥିବା ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ରାଜନାଥ ସିଂହ, ଅରୁଣ ଜେଟଲୀ ପ୍ରମୁଖ ନେତାଙ୍କ ସହ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି  । ରାଜ୍ୟରେ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଏହାର ପ୍ରସ୍ତୁତି ପାଇଁ ଆସନ୍ତାକାଲି ୨ ବରିଷ୍ଠ କାର୍ଯ୍ୟକର୍ତ୍ତା  ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ଓ ସଂଗଠନ ସହ ସମ୍ପାଦକ ସୌଦାନ ସିଂ ଓଡ଼ିଶା ଆସିବେ । ଶେଷ ଥର ପାଇଁ ଓଡ଼ିଶାରେ ୧୯୯୮ରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା । ପ୍ରତି ୩ ମାସରେ ଏହି ବୈଠକ ହୋଇଥାଏ  । ଶେଷ ଥର ପାଇଁ କେରଳରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା ।

LEAVE A REPLY

Please enter your comment!
Please enter your name here