ଏକାମ୍ରରୁ ଅରୁଣ, ମୋରଡା ମୁହାଁ ଧର୍ମେନ୍ଦ୍ର

1

ନବୀନଙ୍କ ପରେ ବିଜେଡିର ମଙ୍ଗ ଧରିବେ କିଏ? ବିଜୁ ଲିଗାସୀ ରହିବ କାହା ପାଖରେ? ବିଜୁ ପଟ୍ଟନାୟକଙ୍କ ନାଁକୁ ବିକି ଭୋଟ ସାଉଁଟୁଥିବା ନବୀନ ନିଜ ବଡଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣଙ୍କୁ ଲିଗାସୀର ଦାୟିତ୍ୱ ଦେବାକୁ ସ୍ଥିର କରିଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନରେ ସଫଳତା ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜର ମୋରଡା ଦେଇ ମୁଖ୍ୟମନ୍ତ୍ରୀ ଅଫିସରେ ଏଣ୍ଟ୍ରି ମାରିବା ଯୋଜନାରେ ।
ଭୁବନେଶ୍ୱର, (ଅମ୍ବୁଜ ବିଶୋଇ) :ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ଚର୍ଚ୍ଚାରେ ରୋକ ଲାଗଛି ସତ କିନ୍ତୁ ନବୀନ ପଟ୍ଟନାୟକ ଯେ ପୂର୍ବପରି ଆଉ ଫିଟ୍ ନାହାନ୍ତି ଏହା ବିଜେଡି ନେତାଙ୍କୁ ବେଶ ଭଲ ଭାବେ ଜଣା । ସେଥିପାଇଁ ନବୀନ କୁଆଡେ ପଟ୍ଟନାୟକ ପରିବାରର ଉତ୍ତରାଧିକାରୀଙ୍କୁ ୨୦୧୯ ନିର୍ବାଚନରେ ରାଜ୍ୟରେ ବୁଲାଇବେ । ଅବଶ୍ୟ ୧୩ ଜାନୁଆରୀ ୨୦୧୫ରେ କଟକର ଆନନ୍ଦ ଭବନକୁ ଜାତି ଉଦେ୍ଦଶ୍ୟରେ ସମର୍ପଣ କରିବା ଅବସରରେ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଇଣ୍ଟ୍ରୋଡ୍ୟୂସ କରାଇସାରିଛନ୍ତି ସେ । ଏବେ ଖାଲି ଯାହା ଔପଚାରିକ ଘୋଷଣାନାମା ଓ ନିର୍ବାଚନ ଲଢିବା ବାକି । ସେଥିପାଇଁ ନବୀନ ନିବାସ ଥିଙ୍କ-ଟ୍ୟାଙ୍କ୍ ସିଏମଙ୍କ ଫ୍ୟାମିଲି ଅଡଜଷ୍ଟମେଣ୍ଟ ପାଇଁ ପ୍ରସ୍ତୁତ କରିଛନ୍ତି ଯୋଜନା । ଯେପରିକି ଅରୁଣ ପଟ୍ଟନାୟକ ଓଡିଶା ଆସିବା ପରେ ସରକାରୀ କଳ ଓ ପାର୍ଟି ମେସିନାରୀକୁ ସହଜରେ ବୁଝିପାରିବେ, ସେଥିଲାଗି ନିର୍ବାଚନ ମଣ୍ଡଳୀ ବି ଖୋଜା ସରିଲାଣି । ନବୀନଙ୍କ ପରି ଉଚ୍ଚଶିକ୍ଷିତ ତଥା ମ୍ୟାନେଜମେଣ୍ଟ ଡିଗ୍ରୀ ଧାରୀ ଅରୁଣ ଆଉ ଗ୍ରାମାଞ୍ଚଳରୁ ପ୍ରାର୍ଥୀ ହେବେନି ବରଂ ଟାର୍ଗେଟ ଓ ଫୋକସ୍ରେ ରହିବ ସହରାଞ୍ଚଳର ଗୋଟିଏ ଆସନ । ତାହା ପୁଣି ରାଜଧାନୀ ଭୁବନେଶ୍ୱରରୁ । ରାଜଧାନୀର ୩ଟି ନିର୍ବାଚନ ମଣ୍ଡଳୀ ଭିତରୁ ନବୀନ ନିବାସ ଯେଉଁ ନିର୍ବାଚନ ମଣ୍ଡଳୀରେ ଆସୁଛି, ସେଇଠି ନିଜ ପୁତୁରାଙ୍କୁ ଲଞ୍ଚ୍୍ କରାଇବେ ଅଙ୍କଲ ନବୀନ । କାରଣ ରାଜନୀତିରେ ଶ୍ରୀଅକ୍ଷର ବିବର୍ଜିତା ଅରୁଣ ଏକାମ୍ରରେ ମାନେ ରାଜଧାନୀରେ ରହିଲେ ରାଜନୀତିର ଅ-ଆ ଶିଖିବା ତାଙ୍କ ପାଇଁ ସରଳ ହେବ । ପୁଣି ନବୀନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହି ରାଜନୀତିର ଗୋଳମାଳିଆ ପାଠକୁ ହଜମ କରି ବିଚକ୍ଷଣ ହେବାକୁ ଅରୁଣଙ୍କୁ ବେଶି ଦିନ ଲାଗିବନି । ଏହାସହ ଗ୍ରାମାଞ୍ଚଳ-ସହରାଞ୍ଚଳ ଓ ବୟସ୍କ-ଯୁବଙ୍କ ମଧ୍ୟରେ ଥିବା ତାରତମ୍ୟ ମଧ୍ୟ ଦୂର ହୋଇପାରିବ ବୋଲି ନବୀନଙ୍କୁ ବୁଝାଇ ଦିଆଗଲାଣି । ସେମିତି ବି ନବୀନଙ୍କ ଉତ୍ତରାଧିକାରୀ ଆସିଲେ ଅନେକ ଚର୍ଚ୍ଚାର ଅବସାନ ତ ଘଟିବ ମାତ୍ର ଲାଭାନ୍ୱିତ ହେବେ ବିଜେଡିର ୟଙ୍ଗ୍ ବ୍ରିଗେଡ୍ । ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଜେନା, ଇଂଲିଶ୍ କୁହା ସାଂସଦ କଳିକେଶ ନାରାୟଣ ଓ ତାଙ୍କ ସାନ ଭାଇ ଅର୍କେଶ ସିଂହଦେଓଙ୍କ ସମେତ ଆଉ କିଛି ହାତଗଣତି ନେତାଏ ରହିବେ ଫାଇଦାରେ ।
ସେମିତି ବି ଦେଖିବାକୁ ଗଲେ ରାଜଧାନୀର ଯେ କୌଣସି ଆସନରୁ ଅରୁଣ ପଟ୍ଟନାୟକ ପ୍ରାର୍ଥୀ ହୋଇ ପାରିଥାନ୍ତେ । ମାତ୍ର ଏକାମ୍ରକୁ ବାଛିବା ପଛର କାରଣ ହେଉଛି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ଖରାପ ପ୍ରଦର୍ଶନ । ୨୦୧୩ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେଡି ଏକକ ସଂଖ୍ୟାଗରିଷ୍ଠତା ହାସଲ କଲା ସତ ମାତ୍ର ପଛରେ ପଡିଗଲେ ଅଶୋକ ବାବୁ । ନାଲି ଆଖି ଦେଖାଇ ଟିକେଟ ନେଲେ ଆଉ ମନ ମୁତାବକ ପ୍ରାର୍ଥୀ ବି ଦେଲେ । ପୁଣି ମୁଖ୍ୟମନ୍ତ୍ରୀଙ୍କୁ ବି ମାରାଥନ ପ୍ରଚାରରେ ସାମିଲ କଲେ । ସବୁ ସତ୍ତ୍ୱେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ୨୩ଟି କର୍ପୋରେଟର ଆସନରୁ ୧୦ଟିରେ ହାରିଗଲେ । ଆଉ ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ତାଙ୍କ ଅଧୀନରେ ଥିବା ଏକମାତ୍ର ଜିଲ୍ଲା ପରିଷଦ ସିଟରେ ହାରୁ ହାରୁ ଜିତିଗଲେ ବାବୁ ଅଶୋକ । ଏ ସବୁ ରିପୋର୍ଟ ନବୀନ ନିବାସରେ ପହଞ୍ଚିିବା ପରେ ଅଶୋକଙ୍କୁ ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତିରୁ ହଟାଇ ରାଜ୍ୟସଭାରେ ଥଇଥାନ ପାଇଁ କୁଆଡେ ଯୋଜନା ପ୍ରସ୍ତୁତ ସରିଛି । ଆଉ ସେହି ସ୍ଥାନରୁ ହିଁ ଅରୁଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବାକୁ ମନ ବଳାଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କରି ନେହରୁ ପରିବାରର ସକେସ୍ ଫର୍ମୁଲାକୁ ରିପିଟ୍ କରିବାକୁ ଚାହୁଁଛନ୍ତି ନବୀନ ଆଣ୍ଡ କୋ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଯେତେବେଳେ ଉତ୍ତରପ୍ରଦେଶର ସହରାଞ୍ଚଳ ଆସନ ଆହ୍ଲାବାଦରୁ ନିର୍ବାଚନ ଲଢୁଥିଲେ, ସେତେବେଳେ ନିଜ ଜ୍ୱାଇଁ ଫିରୋଜ ଗାନ୍ଧିଙ୍କୁ ରାଏବରେଲି ପରି ରୁରାଲ୍ ସିଟରେ ପ୍ରାର୍ଥୀ କରାଉଥିଲେ । ତେଣୁ ସେହି ସମୀକରଣର ପୁନରାବୃତ୍ତି ଦେଖିବାକୁ ମିଳିବ ୨୦୧୯ ନିର୍ବାଚନରେ । ଅରୁଣଙ୍କ ଯୁବ ଚେହେରା ଭାବେ ପ୍ରୋଜେକ୍ଟ କରି ସହରାଞ୍ଚଳ ଭୋଟରଙ୍କୁ ବିଜେଡି ସହ ଯୋଡି ରଖି ୫ମ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ନବୀନ ।
ବିଜେଡିରେ ଚାଲିଥିବା ଏହି ନୂଆ ରଣକୌଶଳକୁ ନେଇ ଚର୍ଚ୍ଚା-ଆଲୋଚନା ଜାରି ରହିଥିବା ସମୟରେ ଏବେ ସାମ୍ନାକୁ ଆସିଛି ବିଜେପିର ପୋଷ୍ଟର ବଏଙ୍କ ରାଜ୍ । ଆଗାମୀ ୨୦୧୯ ନିର୍ବାଚନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଆଡେ ବିଧାନସଭା ନିର୍ବାଚନ ଲଢିବେ । ଧର୍ମେନ୍ଦ୍ର ତାଙ୍କ ପାରମ୍ପରିକ ତଥା ପାରିବାରିକ ସିଟ ଅନୁଗୁଳ ଜିଲ୍ଲାର ପାଲଲହଡା ଉପରେ ଆଉ ଆସ୍ଥା ଓ ଭରସା ଜୁଟାଇ ପାରୁନାହାନ୍ତି । କାରଣ ସେ ଓ ତାଙ୍କ ବାପାଙ୍କୁ ବାରମ୍ବାର ଏହି ସିଟରେ ପରାଜୟ ସାମ୍ନା କରିବାକୁ ପଡିଛି । ଏପରିକି ପଞ୍ଚାୟତ ନିର୍ବାଚନର କ୍ରେଡିଟ୍ ନେଉଥିବା ଧର୍ମେନ୍ଦ୍ର ପ୍ରଧାନ ନିଜ ଅନୁଗୋଳ ଜିଲ୍ଲାରେ ବିଜେଡି ଠାରୁ ପଛରେ ପଡି ଯାଇଛନ୍ତି । ସେଥିପାଇଁ ୨୦୧୯ ନିର୍ବାଚନରେ ନିଜର ପୂର୍ବତନ ବ୍ୟକ୍ତିଗତ ସହାୟକ କାଳନ୍ଦୀ ସାମଲଙ୍କୁ ବିଜେଡି ବିଧାୟକ ମହେଶ ସାହୁଙ୍କ ସହ ପାଲଲହଡାରେ ଭିଡାଇ ଦେବେ । ଆଉ ନିଜେ ଏକ ସୁରକ୍ଷିତ ଆସନରୁ ଲଢିବେ । ସେଫ୍ ଜୋନ୍ରେ ରହିବାକୁ ଅନେଇ ବସିଥିବା ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ନଜର ପଡିଛି ମୟୂରଭଞ୍ଜ ଜିଲ୍ଲା ଉପରେ । ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକମାତ୍ର ଅଣସଂରକ୍ଷିତ ଆସନକୁ ସୁରକ୍ଷିତ ବୋଲି ଭାବି ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏମିତି ବି ମୟୂରଭଞ୍ଜ ରାଜା ପ୍ରବୀଣ ଭଞ୍ଜ ଦେଓଙ୍କ ପ୍ରଭାବ ଓ ପତିଆରା କମୁଥିବାରୁ ଧର୍ମେନ୍ଦ୍ରଙ୍କ ଫୋକସରେ ଏବେ ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ।
ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ତାର ଶକ୍ତି ପ୍ରଦର୍ଶନ କରିଛି । ମୋଟ ୫୬ଟି ଜିଲ୍ଲା ପରିଷଦ ଆସନରୁ ୪୯ଟି ଜୋନକୁ ନିଜ କବ୍୍ଜାକୁ ନେଇଛି ବିଜେପି । ସେହିପରି ମୋରଡା ବିଧାନସଭା ନିର୍ବାଚନ କ୍ଷେତ୍ର ମଧ୍ୟରେ ଥିବା ଶୁଲିଆପଦା, ମୋରଡା ଓ ରାସଗୋବିନ୍ଦପୁର ବ୍ଲକର ୭ଟି ଜିଲ୍ଲା ପରିଷଦ ଆସନରୁ ୬ଟିରେ ବିଜୟ ଲାଭ କରିଛନ୍ତି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ । ଏମିତି ବି ଦେଖିଲେ ମୋରଡାରେ ବିଜେପିର ନେତୃତ୍ୱ ନେଉଥିବା ରାଜକିଶୋର ଦାସଙ୍କ ଉପରେ ସ୍ଥାନୀୟ ଦଳୀୟ କର୍ମୀ ଓ ନେତା ସନ୍ତୁଷ୍ଟ ନାହାନ୍ତି । ଭୋଟରମାନେ ବି ନୂଆ ମୁହଁ ଖୋଜିଲେଣି । ତେଣୁ ମୋରଡା ବାସୀ ମୁଖ୍ୟମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କୁ ଜିତାଇ ଆଣିବାକୁ ନିଶ୍ଚୟ ପସନ୍ଦ କରିବେ । ଏତିକିବେଳେ ବିଲେଇ କପାଳକୁ ଶିକା ଛିଣ୍ଡିବା ପରି ମନ ଚାହୁଁଥିବା ଆସନଟିଏ ମିଳି ଯାଉଥିବାରୁ ବେଶ ଖୁସ ବାବୁ ଧର୍ମେନ୍ଦ୍ର ।
 ମୋରଡା ଉପରେ ଆଖି ପକାଇ ପ୍ରଧାନମନ୍ତ୍ରୀଙ୍କ ମୋଦି ୨୦୧୪ ଫର୍ମୁଲାକୁ ରିପିଟ୍ କରିବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪ ନିର୍ବାଚନ ସମୟରେ ମୋଦି ବାରାଣସୀକୁ ନିଜ ଲୋକସଭା କ୍ଷେତ୍ର ଭାବେ ବାଛିଥିଲେ । କାରଣ ବାରାଣସୀର ଚାରିପାଖରେ ଥିବା ପାଖାପାଖି ୪୦ଟି ଲୋକସଭା ଆସନ ଏହାଦ୍ୱାରା ପ୍ରଭାବିତ ହୋଇଥିଲା । ଫଳସ୍ୱରୂପ ବିହାର, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ବିଜେପି ଭଲ ପ୍ରଦର୍ଶନ କଲା । ଠିକ୍ ସେମିତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର, ମୋରଡାରୁ ଲଢିଲେ ଉତ୍ତର ଓଡିଶାର ଅଧିକ ପଦ୍ମ ଫୁଟିବ । ଅର୍ଥାତ ମୟୂରଭଞ୍ଜର ୯ଟି , ବାଲେଶ୍ୱରର ୮ ଓ କେନ୍ଦୁଝରର ୬ ବିଧାନସଭା ଆସନ, ଏମିତି ମୋଟ ଉପରେ ୨୩ଟି ଆସନ ଉପରେ ତାଙ୍କର ପ୍ରଭାବ ରହିବ । ଆଉ ଯଦି ଭାଗ୍ୟ ସାଥ୍ ଦିଏ, ମାନେ ୨୩ରୁ ବିଜେପି ହାତକୁ ଯଦି ୧୫ ପାଖାପାଖି ଆସନ ଆସିଗଲା, ତେବେ ଧର୍ମେନ୍ଦ୍ରଙ୍କର ତ କଚେ ପୁଅ ବାର୍ । ଆଉ ଯଦି ବିଜେପି କ୍ଷମତାକୁ ଆସିଲା ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଆଉ କେହି ବି ତାଙ୍କୁ ଅଟକାଇ ପାରିିବେନି । କାରଣ ପଶ୍ଚିମ ଓଡିଶାର ୩୫ଟି ବିଧାନସଭା ଆସନରେ ଏଥର ପଞ୍ଚାୟତ ନିର୍ବାଚନରେ ଦବଦବା ଦେଖାଇଛି ବିଜେପି । ଆଉ ଏହି ଜନମତ ଯଦି ୨୦୧୯ ପର୍ଯ୍ୟନ୍ତ ଜାରି ରହେ ତେବେ ପଶ୍ଚିମ ଓଡିଶାରେ ବିଜେପି ଯେ ଭଲ କରିବ, ତାହା ସଭିଙ୍କୁ ଜଣା । ଠିକ୍ ଏହି ସମୟରେ ମୋରଡାରୁ ପ୍ରାର୍ଥୀ ହୋଇ ଧର୍ମେନ୍ଦ୍ର୍ର, ନିଜକୁ ଆଭ୍ୟନ୍ତରୀଣ ଓ ଆଦିବାସୀ ଅଞ୍ଚଳରୁ ପ୍ରତିନିଧିି ଭାବେ ଦର୍ଶାଇ କେନ୍ଦ୍ର ନେତୃତ୍ୱଙ୍କ ଆସ୍ଥାଭାଜନ ହେବେ ଆଉ ମୁଖ୍ୟମନ୍ତ୍ରୀ ଭାବେ ଗାଦିରେ ବସିବେ ।

LEAVE A REPLY

Please enter your comment!
Please enter your name here