ଆରମ୍ଭ ହେଲା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ପତାକା ଧରିଲେ ପି.ଭି ସିନ୍ଧୁ

ଗୋଲଡ୍କୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡ଼କୋଷ୍ଟଠାରେ ଉଦ୍ଘାଟିତ ହୋଇଛି କ୍ରୀଡ଼ା ମହାକୁମ୍ଭ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା । ଆସନ୍ତା ୧୫ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି ୨୨୭ ଜଣ ଭାରତୀୟ ପ୍ରତିଯୋଗୀ ଏବଂ ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ଓଡ଼ିଆ କ୍ରୀଡ଼ାବିତ । ସାରା ବିଶ୍ୱର ୭୧ଟି ଦେଶ ଏହି ପ୍ରତିଯୋଗୀତାରେ ଭାଗ ନେଉଛନ୍ତି । ସର୍ବମୋଟ ୪ହଜାର ୩ଶହ ପୁରୁଷ/ମହିଳା ପ୍ରତିଯୋଗୀ ୧୯ଟି ଇଭେଣ୍ଟ୍ର ୨୭୫ଟି ବିଭାଗରେ ପ୍ରତିଦ୍ୱନ୍ଦିତା କରିବେ । ତେବେ ବିଶ୍ୱର ବଛାବଛା ଖେଳାଳି ଏହି ପ୍ରତିଦ୍ୱନ୍ଦିତାରେ ଭାଗନେଉଥିବା ବେଳେ ଭାରତୀୟ ପ୍ରତିଯୋଗୀ ଏଥର ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି ।

ଆଜି ଗୋଲଡ଼କୋଷ୍ଟ ସହରର ଏକ ବିଶାଳ ଷ୍ଟାଡ଼ିୟମରେ ଆତସବାଜି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଏହି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । ଭାରତୀୟ ଅଲିମ୍ପିକ ବିଜେତା ତଥା ବ୍ୟାଡ଼ମିଣ୍ଟନ୍ ସୁନ୍ଦରୀ ପିଭି ସିନ୍ଧୁ ଭାରତୀୟ ଜାତୀୟ ପତାକା ଧରିବା ସହିତ ଭାରତୀୟ ଦଳକୁ ମାର୍ଚ୍ଚପାଷ୍ଟ କରାଇଥିଲେ । ଭାରତୀୟ ଖେଳାଳିମାନେ ବିଶେଷକରି ହକି, ସୁଟିଂ, ବ୍ୟାଡ଼ମିଣ୍ଟନ୍, ବକ୍ସିଂ, କୁସ୍ତି, ଆଥଲେଟିକ୍ସ୍ ତଥା ଭାରୋତ୍ତଳନ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବାର ଆଶା ରହିଛି । ଓଡ଼ିଶା କ୍ରୀଡ଼ାଜଗତ ଲାଗି ଏହା ଖୁସିର ଖବର ଯେ, ଏଥର ଓଡ଼ିଶାରୁ ମୋଟ ୮ ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ମହିଳା ହକିରେ ନମିତା ଟୋପ୍ପୋ, ଦୀପ୍ ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା ଏବଂ ନୀଳିମା ମିଞ୍ଜ୍ ଅଂଶଗ୍ରହଣ କରୁଥିବା ବେଳେ ପୁରୁଷ ହକିରେ ଏକମାତ୍ର ଓଡ଼ିଆ ଅମିତ ରୋହିଦାସ ଖେଳୁଛନ୍ତି । ପୁରୁଷ ଜିମ୍ନାଷ୍ଟିକ୍ରେ ରାକେଶ ପାତ୍ର ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଆଥଲେଟିକ୍ସ୍ରେ ଜଉନା ମୁର୍ମୁ ଏବଂ ପୂର୍ଣ୍ଣିମା ହେମ୍ବ୍୍ରମ୍ ଭାରତ ଲାଗି ପ୍ରତିନିଧିତ୍ୱ କରୁଛନ୍ତି । ଆସନ୍ତା କାଲିଠାରୁ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ ।