ଆଧାର ସଂଯୋଗ ବାଧ୍ୟତାମୂଳକ ପ୍ରସଙ୍ଗ: ଅନ୍ତରୀଣ ରହିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ମୋବାଇଲ ଫୋନ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ମନା କରିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ଏକ ସାମ୍ବିଧାନିକ ଖଣ୍ଡପୀଠ ଦ୍ୱାରା କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବ୍ୟାଙ୍କ ଏବଂ ମୋବାଇଲ ଫୋନ୍ କମ୍ପାନିମାନଙ୍କ ଦ୍ୱାରା ଗ୍ରାହକଙ୍କୁ ଘନଘନ ମେସେଜ୍ ପଠାଯାଇ ଆଧାର ସହ ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ନ କଲେ ସେବା ବନ୍ଦ ହୋଇଯିବ ବୋଲି ଯେଉଁ ଚେତାବନୀ ଦିଆଯାଉଛି ତାହାକୁ ସର୍ବୋଚ୍ଚ ଅଦାଲତ ନାପସନ୍ଦ କରିଛନ୍ତି । ଏପରି କରି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରା ନଯାଉ ବୋଲି ଅଦାଲତ କହିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏପରି ମେସେଜ୍ ପଠାଯିବାକୁ ଅସ୍ୱୀକାର କରିଛନ୍ତି ।
ଏହି ମାମଲାର ଶୁଣାଣି କରୁଥିବା ବିଚାରପତି କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି କି ତାଙ୍କ ନମ୍ବରକୁ ମଧ୍ୟ ଏପରି ମେସେଜ ଆସୁଛି । ଏହି ମେସେଜରେ ଚେତାବନୀ ଦିଆଯାଉଛି କି ଆଧାର ସଂଯୋଗ ନକଲେ ମୋବାଇଲ ଓ ଆକାଉଣ୍ଟ ଅଚଳ ହୋଇଯିବ ।
            ସର୍ବୋଚ୍ଚ ଅଦାଲତ ବ୍ୟାଙ୍କ ଓ ମୋବାଇଲ ଅପରେଟରମାନଙ୍କୁ ଭୟଭୀତ କରିବା ଭଳି ମେସେଜ୍ ଗ୍ରାହକମାନଙ୍କୁ ନ ପଠାଇବାକୁ ତାଗିଦ କରିଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗ ବିଚାରାଧୀନ ରହିଥିବାରୁ ଏପରି ନ କରିବା ଉଚିତ ବୋଲି ଅଦାଲତ ମତ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି କୋର୍ଟ । ସରକାର ବ୍ୟାଙ୍କ ଓ ଟେଲିକମ୍ କମ୍ପାନୀମାନଙ୍କୁ ପ୍ରତି ମେସେଜ୍ରେ ଆଧାର ସଂଯୋଗର ଶେଷ ତାରିଖ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରନ୍ତୁ । ଉଲ୍ଲେଖଯୋଗ୍ୟ କି ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗର ଶେଷ ତାରିଖ ଡିସେମ୍ବର ୩୧ ରହିଛି । ଅନ୍ୟପକ୍ଷରେ କେନ୍ଦ୍ରସରକାର ଫେବୃଆରୀ ୬ ତାରିଖକୁ ମୋବାଇଲ ନମ୍ବର ସହ ଆଧାର ସଂଯୋଗର ଶେଷ ତାରିଖ ବୋଲି ଘୋଷଣା କରିଥିଲେ । ମୋବାଇଲ ଫୋନ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ଦ୍ୱାରା ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତା କ୍ଷୁର୍ଣ୍ଣ ହେବ ବୋଲି ଅଭିଯୋଗ କରି ଏହା ଉପରେ ରହିତାଦେଶ ଜାରି ଲାଗି ଆବେଦନ ଜଣାଇ ଏକାଧିକ ମାମଲା ସୁପ୍ରିମକୋର୍ଟଙ୍କ ନିକଟରେ ଦାୟର ହୋଇଥିଲା ।