ଅଚଳ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ବଦଳାଇବା ଦରକାର: ଶାହା

1

ଭୁବନେଶ୍ଵର: ୨୦୧୯ ନିର୍ବାଚନ ନେଇ ରାଜ୍ୟରେ ବିଜେପିର ସମରସଜ୍ଜା ଆରମ୍ଭ ହୋଇଯାଇଛି। ଏବେଠୁ କ୍ଷେତ୍ର ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତର ଆଜି ଥିଲା ଅନ୍ତିମ ଦିବସ। ଏହି ଅବସରରେ ଜନତା ମଇଦାନରେ ଆୟୋଜିତ ବିଜେପି ମଣ୍ଡଳ କାର୍ୟ୍ୟକର୍ତ୍ତା ସମ୍ମିଳନୀରେ ଶ୍ରୀ ଶାହା ବିଜେଡ଼ି ବିରୋଧରେ ଗର୍ଜିଛନ୍ତି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଓଡ଼ିଶାରେ ନବୀନ ସରକାରଙ୍କ ଟ୍ରାନ୍ସଫର୍ମର ସଂପୂର୍ଣ୍ଣ ଜଳିଗଲାଣି। ଏହି ଅଚଳ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ବଦଳାଇବାର ଦରକାର। ସେ ଦୃଢ଼ୋକ୍ତି ଦେଇ କହିଛନ୍ତି ଯେ ୨୦୧୯ ଜୁନରେ ଓଡ଼ିଶାରେ  ବିଜେପି ସରକାର ଗଢ଼ିବ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅମିତ୍ ଶାହା କାର୍ୟ୍ୟକର୍ତ୍ତାଙ୍କୁ ଦେଇଛନ୍ତି ବିଜୟର ମନ୍ତ୍ର। ଗସ୍ତର ପ୍ରଥମ ଦୁଇ ଦିନ ପରି ତୃତୀୟ ଦିନରେ ବି ଶ୍ରୀ ଶାହା ନବୀନଙ୍କୁ ଟାର୍ଗେଟ କରିଛନ୍ତି। ଜନତା ମଇଦାନରେ ଆୟୋଜିତ ସମାବେଶରେ ଭାଷଣ ଆରମ୍ଭରୁ ସେ ନବୀନଙ୍କୁ ସମାଲୋଚନା କରିଛନ୍ତି। ଶାହା କହିଛନ୍ତି ଯେ ନବୀନଙ୍କ ଆଶଙ୍କା ଅଛି ଯେ ବିଜେପି ୧୨୦ ସିଟ୍ ଜିତିବ ନା ନାହିଁ। କିନ୍ତୁ ତାଙ୍କର ଏହି ଆଶଙ୍କା ୨୦୧୯ ଜୁନରେ ଦୂର ହେବ।

ଶାହା କହିଛନ୍ତି ଯେ ଓଡ଼ିଶାକୁ ସର୍ବାଧିକ ବିକଶିତ କରିବାକୁ ଆମେ ସଂକଳ୍ପ ନେଇଛୁ। ଓଡ଼ିଶାକୁ ନେଇ କେନ୍ଦ୍ର ସରକାର ଗମ୍ଭୀର ଅଛନ୍ତି। କିନ୍ତୁ ଏବେ ଓଡ଼ିଶା ବିକାଶ ଠାରୁ ବହୁ ପଛରେ ରହିଯାଇଛି। ତେଣୁ ବିଜେପିକୁ ୨୦୧୯ରେ କ୍ଷମତାସୀନ କରାନ୍ତୁ। ସେ କହିଛନ୍ତି ଯେ ଭ୍ରଷ୍ଟାଚାରକୁ ନେଇ କେନ୍ଦ୍ର ସରକାର ଶୂନ୍ୟ ନୀତି ଆପଣେଇଛନ୍ତି। ୩ ବର୍ଷ ଭିତରେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ଦୁର୍ନୀତିର ଛିଟା ଲାଗିନି। ମୁଁ କେନ୍ଦ୍ରର ୩ ବର୍ଷର ହିସାବ ଦେବାକୁ ଆସିନି। ୧୭ ବର୍ଷର ବିଜେଡି ସରକାରର ହିସାବ ମାଗିବାକୁ ଏଠାକୁ ଆସିଛି। ୧୭ ବର୍ଷର ସ୍ଥିର ସରକାରରେ ଥିବା ସତ୍ଵେ ବି ନବୀନ ବାବୁ ରାଜ୍ୟରେ ବେରୋଜଗାରୀ ବଢ଼ାଇଛନ୍ତି। କେନ୍ଦ୍ରରେ ମୋଦୀ ସରକାର ଏକ ବିଦ୍ୟୁତ କାରଖାନ ଭଳି। ସାରା ଦେଶକକୁ ବିକାଶର ବିଦ୍ୟୁତ୍ ଶକ୍ତି ପହଞ୍ଚାଉଛନ୍ତି ଏହି ସରକାର। ଏଠି କିନ୍ତୁ ନବୀନ ସରକାରଙ୍କ ଟ୍ରାନ୍ସଫର୍ମର ସଂପୂର୍ଣ୍ଣ ଜଳିଗଲାଣି। ଏହି ଅଚଳ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ବଦଳାଇବାର ଦରକାର। ବିଜେଡି ସରକାରକୁ ଓପାଡ଼ି ସମୁଦ୍ରରେ ଫୋପାଡ଼ି ଦେବାକୁ ଲୋକଙ୍କୁ ଆହ୍ଵାନ କରିଛନ୍ତି। ବିଜେପି ସରକାର ଆସିଲେ ସମସ୍ତଙ୍କୁ ଜେଲ ପଠାଯିବ। ଶାହା କହିଛନ୍ତି ଯେ ମୁଁ ଓଡ଼ିଆ  କହିପାରୁନଥିବାରୁ କ୍ଷମା ମାଗୁଛି।  ଯେଉଁମାନେ ଓଡ଼ିଆ କହିପାରୁନାହାନ୍ତି ସେମାନେ କ୍ଷମା ମାଗୁଛନ୍ତି କି ?

LEAVE A REPLY

Please enter your comment!
Please enter your name here